Sat. Nov 23rd, 2024

୭ ବର୍ଷର ପିଲା ପାଟିରୁ ବାହାରିଲା ୫୨୬ଟି ଦାନ୍ତ

By amfnews Aug 1, 2019 #Featured
123 Views

ଚେନ୍ନାଇ  : ମଣିଷ ପାଟିରେ ୩୨ଟି ଦାନ୍ତ ଥିବା ସମସ୍ତେ ଜାଣିଛନ୍ତି। ହେଲେ ଯଦି ଜଣଙ୍କ ପାଟିରେ ୫୨୬ଟି ଦାନ୍ତ ଥିବ, ତା’ହେଲେ ସେ କ’ଣ କରିବ? ଚେନ୍ନାଇର ଜଣେ ୭ ବର୍ଷର ପିଲା ସହ ଏଭଳି ଘଟଣା ଘଟିଛି। ପିଲାଟିର ପାଟିରୁ ଶହେ କିଂ ୨ଶହ ନୁହେଁ, ୫୨୬ଟି ଦାନ୍ତକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି।

ଏଠାକାର ସବିତା ଡେଣ୍ଟାଲ କଲେଜ ଓ ହସ୍ପିଟାଲର ଡାକ୍ତରମାନେ ବେଶ ସଫଳତାର ସହ ଏହି ଅପରେସନ କରିବାରେ ସକ୍ଷମ ହୋଇଛନ୍ତି। ପିଲାଟିର ବୟସ ୩ ବର୍ଷ ହୋଇଥିବା ବେଳେ ଧୀରେଧୀରେ ତା’ର ମୁହଁ ଫୁଲିବା ଆରମ୍ଭ କରିଥିଲା।

ପ୍ରାଥମିକ ଅବସ୍ଥାରେ ଏହାକୁ ବାପା ମା’ ଗୁରୁତ୍ୱ ଦେଇ ନଥିଲେ। ତେବେ ସମୟ କ୍ରମେ ମୁହଁର ଫୁଲା ବଢ଼ିବା ଆରମ୍ଭ କରିଥିଲା। ଶେଷରେ ତା’ର ବାପା ମା’ ତା’କୁ ଡାକ୍ତରଙ୍କ ପାଖକୁ ଆଣିଥିଲେ।

ଏକ୍ସ୍-ରେ ଓ ସ୍କାନ ପରେ ପିଲାଟିର ପାଟିର ଡାହାଣ ପଟେ ବହୁ ସଂଖ୍ୟକ ଛୋଟ ଛୋଟ ଦାନ୍ତ ରହିଥିବା ଜଣାପଡ଼ିଥିଲା। ଆନେସ୍ଥେସିଆ ଦେଇ ଡାକ୍ତରମାନେ ଉକ୍ତ ଫୁଲା ସ୍ଥାନଟିକୁ ଅପରେସନ କରି କ୍ଷୁଦ୍ର କ୍ଷୁଦ୍ର ୫୨୬ଟି ଦାନ୍ତ ବାହାର କରିଥିଲେ। ଏସବୁ ଦାନ୍ତର ଓଜନ ପ୍ରାୟ ୨୦୦ ଗ୍ରାମ ଥିଲା।

ପିଲାଟିର ମୁହଁରେ ଫୁଲା ଅଂଶ ମଧ୍ୟରେ ୫୨୬ଟି ଛୋଟ ବଡ଼ ଦାନ୍ତ ରହିଥିବା ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୀର୍ଘ ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡାକ୍ତରମାନେ ପିଲାଟି ମୁହଁରୁ ସମସ୍ତ ଦାନ୍ତକୁ ବାହାର କରିଥିଲେ। ବିଶ୍ୱରେ ପ୍ରଥମଥର ପାଇଁ କୌଣସି ମଣିଷର ଏତେ ସଂଖ୍ୟକ ଦାନ୍ତ ଠାବ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

By amfnews

Related Post