Sun. Mar 8th, 2026

୭ ବର୍ଷର ଛାତ୍ରକୁ କାମୁଡ଼ି ମାରିଦେଲା ଅଜଣା ବନ୍ୟଜନ୍ତୁ

175 Views

କରଞ୍ଜିଆ/ପଦ୍ମପୁର/କରଞ୍ଜିଆ ଗୋଲେଇ, ଜାନୁଆରୀ ୨୨ : ଆଉ ଅଳ୍ପ ଦୂର ଯାଇଥିଲେ ସ୍କୁଲରେ ପହଞ୍ଚିଥା’ନ୍ତା ସେ। ପୁଣି ପାଠ ପଢ଼ି ଘରକୁ ଫେରିଥା’ନ୍ତା। ଘରେ ବାପାମା’ ପୁଅର ଫେରନ୍ତା ବାଟକୁ ଚାହିଁ ରହିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା। ପୁଅ ଫେରିଲା ନାହିଁ। ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ଜଣେ ପୁଅର ପ୍ରାଣ ଗଲା। ମୃତ ଶିଶୁ ଜଣକ ହେଉଛି ଗାଁର ଶର୍ମା ମହାରଣାଙ୍କ ପୁଅ ରିଙ୍କୁ(୭)। ଏପରି ଅଘଟଣ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ମହାର୍ଦ୍ଦାପଳସା ପଞ୍ଚାୟତର ବାଲିସୁଦୁରା ଗାଁରେ ଆଜି ଘଟିଛି। ଏପରି ହୃଦୟ ବିଦାରକ ଘଟଣା ସମଗ୍ର ଯଶିପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ, ସବୁଦିନ ପରି ସକାଳ ସାଢ଼େ ୯ଟା ବେଳେ ରିଙ୍କୁ ନିକଟସ୍ଥ ରାହାନ୍ଦା ପ୍ରାଥମିକ ବିଦ୍ୟାଳୟକୁ ବାହାରିଥି‌ଲା। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ରିଙ୍କୁ ସବୁଦିନେ ସାଙ୍ଗମାନଙ୍କ ସହିତ ସ୍କୁଲକୁ ଯାଉଥିବା ବେଳେ ଆଜି ଏକୁଟିଆ ଯିବା କାଳ ହୋଇଥିଲା।

ଘରଠାରୁ କିଛି ଦୂର ଅତିକ୍ରମ କରି ବିଲ ମଝିରେ ସେ ଯାଉଥିଲା। ଏତିକିବେଳେ କୌଣସି ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ତାକୁ ଆକ୍ରମଣ କରିଥିଲା। ପ୍ରାୟ ୪ ଶହ ମିଟର ଘୋଷାଡ଼ି ନେଇ ଶରୀର ସାରା କ୍ଷତବିକ୍ଷତ କରି ଦେଇଥିଲା। ପେଟକୁ କାମୁଡ଼ି ଛିନ୍‌ଭିନ୍‌ କରି ଅନ୍ତଃବୁଜୁଳା ବାହାର କରି ପକାଇଥିଲା। ଫଳରେ ଘଟଣାସ୍ଥଳରେ ରିଙ୍କୁର ମୃତ୍ୟୁ ଘଟିଥିଲା। ଖବରପାଇ ଯଶିପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ସରପଞ୍ଚ ରମାକାନ୍ତ ନାଏକ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର, ରେଡକ୍ରସ୍‌ ପାଣ୍ଠିରୁ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ପୁରୋହିତ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଯଶିପୁର ବିଧାୟକ ମଙ୍ଗଲସିଂ ମୁଦି, ବ୍ଲକ୍‌ ଅଧ୍ୟକ୍ଷ ମାନଗୋବିନ୍ଦ ନାଏକ, ବିଡିଓ ଦୁଃଖବନ୍ଧୁ ନାଏକ ପ୍ରମୁଖ ମୃତ ଶିଶୁର ଘରେ ପହଞ୍ଚି ଶୋକସପନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

By amfnews

Related Post