Mon. Dec 23rd, 2024

୬ ଗ୍ରାମରେ ନାହିଁ ଅଙ୍ଗନଓ୍ବାଡି କେନ୍ଦ୍ର…

amfnews2018@gmail.com' By Kalpana Das Sep 16, 2018 #Featured
246 Views

ଚିତ୍ରକୋଣ୍ଡା, ଆନ୍ଧ୍ର-ଓଡିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ଅଞ୍ଚଳର ବହୁ ରାଜସ୍ବ ଗ୍ରାମ ଏବଂ ଅନ୍ୟ ବଡ ଗ୍ରାମଗୁଡିକରେ ଅଙ୍ଗନୱାଡି କେନ୍ଦ୍ର ନାହିଁ।ଫଳରେ ଛୋଟ ପିଲାମାନେ ପ୍ରାକ୍‌ ଶିକ୍ଷା ଓ ଖାଦ୍ୟରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଏଥିସହ ଗର୍ଭବତୀ ମହିଳାମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଚିତ୍ରକୋଣ୍ଡାରେ ୨୦ରୁ ଉର୍ଦ୍ଧ୍ୱ  ଜନବସତି ରହିଛି। ୫ହଜାରରୁ ଊର୍ଦ୍ଧ୍ୱ ପରିବାରର ୫ଶହରୁ ଅଧିକ ପିଲା ରହିଛନ୍ତି। ଏଠାରେ ମାତ୍ର ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ରହିଛି। ବସ୍ତି ଓ କଲୋନୀଗୁଡିକ  କେନ୍ଦ୍ରଠାରୁ ୧ କିଲୋ ମିଟରରୁ ଅଧିକ ଦୂର ହୋଇଥିବାରୁ ଛୋଟ ପିଲାମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ନ ପାରି  ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଚିତ୍ରକୋଣ୍ଡା ସହରର ଜନବସତିକୁ ନେଇ  ୪/୫ଜଣ ଆଶାକର୍ମୀ କାମ କରୁଛନ୍ତି। ୫ଟି ଶିକ୍ଷାନୁଷ୍ଠାନ ରହିଛି। 

ମାତ୍ର ସେହି ତୁଳନାରେ  ଅଙ୍ଗନୱାଡି କେନ୍ଦ୍ର ନାହିଁ। ୨୫/୩୦ଟି ପରିବାର ବସବାସ କରୁଥିବା ଗ୍ରାମରେ ଗୋଟିଏ ଲେଖାଏ ଅଙ୍ଗନୱାଡି କେନ୍ଦ୍ର ରହିଛି। ସେହି ଅନୁସାରେ ଚିତ୍ରକୋଣ୍ଡାରେ ଆଉ ୨/୩ଟି ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବାର ଆବଶ୍ୟକତା ରହିଛି । ନୂତନ ଅଙ୍ଗନୱାଡି କେନ୍ଦ୍ର ଖୋଲାଯିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ସର୍ଭେ ମଧ୍ୟ ହୋଇଛି। ଅଥଚ କୌଣସି ସୁଫଳ ଏଯାଏ ମିଳିନାହିଁ। କେବଳ  ଚିତ୍ରକୋଣ୍ଡା ନୁହେଁ  ଚିତ୍ରକୋଣ୍ଡା ଅଞ୍ଚଳର ବିଭିନ୍ନ  ସ୍ଥାନ ଆରଏସସି-୧୫ ଗ୍ରାମରେ ୭୦ ପରିବାର ବସବାସ କରୁଥିବାବେଳେ ସେହି ଗ୍ରାମରେ  ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏହି ଗ୍ରାମର ପିଲାଙ୍କୁ ଆରଏସସି-୧୪ ଗ୍ରାମକୁ ଦେଢ କିଲୋମିଟର ବାଟ ଚାଲିଚାଲି ଯିବାକୁ ପଡେ। ବର୍ଷାଦିନେ ସମ୍ପୃକ୍ତ ଗ୍ରାମକୁ ଯିବା ବନ୍ଦ। ସେହିଭଳି  ଥାଟମାନଗୁଡା ଗ୍ରାମରେ ମଧ୍ୟ ଅଙ୍ଗନୱାଡି କେନ୍ଦ୍ର ନାହିଁ। ନିକଟସ୍ଥ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାକୁ ହେଲେ ପିଲାଙ୍କୁ ଚାଲିବାକୁ ପଡୁଛି ଦେଢ କିମି। ଦୁଇ ଗ୍ରାମ ମଝିରେ ସୀତାପାଦ ମନ୍ଦିର ପାଖରେ ଏକ ନାଳ। ଏହି ନାଳ ପାର ହୋଇ କେନ୍ଦ୍ରକୁ ଯିବା ପିଲାଙ୍କ ପାଇଁ ସମ୍ଭବ ନୁହେଁ। ସେହିଭଳି ଇସକାଲାମାମୁଡି, ନରସିଙ୍ଗପୁର, ନୂଆଗୁଡା,ଆରଏସସି-୧୩ ଓ ଘାଟକୋଣ୍ଡା ଭଳି ଗ୍ରାମରେ ମଧ୍ୟ ସମାନ ସ୍ଥିତି। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଅଙ୍ଗନଓ୍ବାଡି କେନ୍ଦ୍ର ନ ଥିବା ଗ୍ରାମରେ ତୁରନ୍ତ କେନ୍ଦ୍ର ଖୋଲିବା ଲାଗି ସାଧାରଣରେ ଦାବି ହେଉଛି।  

Related Post