Fri. Mar 6th, 2026

୫୦ ଲକ୍ଷ ଲୋକଙ୍କୁ ମାରିବାକୁ ସକ୍ଷମ ୯ କେଜି ଓଜନର ଭୟଙ୍କର ଫେଣ୍ଟାନାଇଲ ଜବତ

236 Views

ନୂଆଦିଲ୍ଲୀ : ଇନ୍ଦୋରର ଏ ଲାବୋରୋଟୋରିରୁ ବେଆଇନ ଭାବେ ପ୍ରସ୍ତୁତ ହୋଇଥିବା ୯ କେଜି ଓଜନର ଫେଣ୍ଟାନାଇଲ ବା ସିନ୍ଥେଟିକ୍‌ ଅଫିମକୁ ରାଜସ୍ଵ ଗୁଇନ୍ଦା ନିଦ୍ଦେଶାଳୟ ଜବତ କରିଛି। ଯେତିକି ଫେଣ୍ଟାନାଇଲ ଜବତ ହୋଇଛି, ତାହା ଯଦି ରାସାୟନିକ ଯୁଦ୍ଧରେ ବ୍ୟବହାର କରାଯାଏ େବେ ଏଥିରେ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇ ପାରିବ। ପ୍ରଥମ ଥର ପାଇଁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଓ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଏଷ୍ଟାବ୍ଲିସମେଣ୍ଟର ବୈଜ୍ଞାନିକ ଦଳଙ୍କ ସହଯୋଗରେ ଏତେ ପରିମାଣର ଫେଣ୍ଟାନାଇଲ ଜବତ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ ମେକ୍ସିକୀୟ ନାଗରିକଙ୍କ ସହିତ ତାଙ୍କର ଜଣେ ଭାରତୀୟ ସହଯୋଗୀଙ୍କୁ ଗିରଫ କରାଯାଇଛି।
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ଯେ, ଇନ୍ଦୋରର ଜଣେ ସ୍ଥାନୀୟ ବ୍ୟବସାୟୀ ଆମେରିକାର ଜଣେ ରାସାୟନିକ ବିଜ୍ଞାନର ରିସର୍ଚ୍ଚ ଛାତ୍ରଙ୍କ ସହଯୋଗରେ ଏହି ମୃତ୍ୟୁ ଦୂତ ପେଣ୍ଟାନାଇଲକୁ ନିଜସ୍ୱ ଲାବୋରୋଟୋରିରେ ପ୍ରସ୍ତୁତ କରିୁଥିଲେ।ଜବତ ପେଣ୍ଟାନାଇଲର ମୂଲ୍ୟ ୧୧୦ କୋଟି ଟଙ୍କା। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି।
ସୂଚନାଯୋଗ୍ୟ ଯେ ଫେଣ୍ଟାନାଇଲ ହେରୋଇନ ଠାରୁ ୫୦ ଗୁଣ ଅଧିକ ନିଶା ଦେଇଥାଏ। ତେବେ ଏହି ରାସାୟନିକ ପଦାଥଁ ଭାରତର ଏକ ଘରୋଇ ଲାବୋରୋଟୋରିରେ ପ୍ରସ୍ତୁତ ହେବା ଘଟଣାରେ ବୈଜ୍ଞାନିକ ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କାରଣ ଏହି ରାସାୟନିକ ପ୍ରସ୍ତୁତି ପାଇଁ ତାଲିମ ପ୍ରାପ୍ତ ବୈଜ୍ଞାନିକଙ୍କ ସହିତ ଏକ ଉନ୍ନତ ଲାବୋରୋଟୋରିର ଆବଶ୍ୟକତା ଥିବା ବେଳେ ଏହାକୁ ଯେପରି ଭାବେ ପ୍ରସ୍ତୁତ କରାଯାଇ ପାରିଛି ତାହା ହିଁ ଚିନ୍ତାର କାରଣ। ଏ ସମ୍ପର୍କରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡ. ଡି ପି ଦାଶ କହିଛନ୍ତି ଯେ ଦେଶରେ ପ୍ରଥମ ଥର ପାଇଁ ପ୍ରସ୍ତୁତ ହେଉଥିବା ଫେଣ୍ଟାନାଇଲକୁ ଜବତ କରିବାରେ ନିର୍ଦ୍ଦେଶାଳୟ ସକ୍ଷମ ହୋଇଛି।ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।
ବୈଜ୍ଞାନିକମାନଙ୍କ କହିବା କଥା ହେଉଛି ଏହି ରାସାୟନିକ ପଦାର୍ଥଟି ଖୁବ୍‌ ଶୀଘ୍ର ବାୟୁରେ ବ୍ୟାପିଯାଇଥାଏ। ଏହା ଚର୍ମ ଓ ଆଘ୍ରାଣ ଦ୍ୱାରା ଶରୀରକୁ ଯାଇଥାଏ। ମାତ୍ର ୨ ମିଲିଗ୍ରାମ ଫେଣ୍ଟାନାଇଲ ଜଣେ ବ୍ୟକ୍ତିଙ୍କୁ ମାରିବାକୁ ଯଥେଷ୍ଟ।
ସାଧାରଣତଃ ଏହି ଫେଣ୍ଟାନାଇଲ ଡ୍ରଗ୍‌ ସିଣ୍ଡିକେଟମାନଙ୍କର ଦ୍ୱାରା ଚୀନରୁ ମେକ୍ସିକୋ ଦେଇ ଆମେରିକା ଚାଲାଣ ହୋଇଥାଏ। ସେଠାରେ ଏହାକୁ ଅନ୍ୟ ରାସାୟନିକ ପଦାର୍ଥ ସହିତ ମିଶାଇ ପିଲ୍‌ ଆକାରରେ ନିଶାଖୋରମାନେ ବ୍ୟବହାର କରିଥାନ୍ତି।
ସୂଚନାଯୋଗ୍ୟ ଯେ ଫେଣ୍ଟାନାଇଲର ଓଭର ଡୋଜ୍‌ ଯୋଗୁଁ ୨୦୧୬ ମସିହାରେ କେବଳ ଆମେରକାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ତେବେ ଏବେ ଡ୍ରଗ୍‌ ମାଫିଆମାନେ ଭାରତରେ ଏହି ରାସାୟନିକ ପଦାର୍ଥ ତିଆରି କରିବା ପାଇଁ ଯୋଜନା ଚଳାଇଛନ୍ତି।

By amfnews

Related Post