Tue. Mar 10th, 2026

୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି ନକ୍ସଲ, ଯୁବକ ଯୁବତୀଙ୍କୁ ଦଳରେ ସାମିଲ ପାଇଁ ଚାଲିଛି ପ୍ରୟାସ

155 Views

ମାଲକାନଗିରି : ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନକ୍ସଲ ମାନେ ଗତ ସେପ୍ଟେମ୍ବର ୨୧ ତାରିଖ ଠାରୁ ୮ ନଭେମ୍ବର ପର୍ଯ୍ୟନ୍ତ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରୁଛନ୍ତି ବାର୍ଷିକ ଉତ୍ସବ। ଏହି ଅବସରରେ ନକ୍ସଲମାନେ ସୀମାନ୍ତ ଗ୍ରାମ ଗୁଡିକରେ ପଶି ଲୋକଙ୍କୁ ନକ୍ସଲ ସଂଗଠନର ଉଦେଶ୍ୟ ଓ ଲକ୍ଷ୍ୟ ବୁଝାଇବା ସହ ସରକାର ଏବଂ ପୁଲିସ ପ୍ରଶାସନ ବିରୋଧରେ ମତାଉଛନ୍ତି। ନିଜର ହକ୍ ପାଇଁ ନିଜେ ଲଢ ବୋଲି ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ନକ୍ସଲ ପାର୍ଟିରେ କ୍ୟାଡର ନକ୍ସଲଙ୍କର ଅଭାବ ଦେଖାଦେଲାଣି। ଗତ କିଛି ମାସ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଓଡିଶା ଓ ଛତିଶଗଡରେ ବଡ ବଡ କ୍ୟାଡର ନକ୍ସଲ ଏନକାଉଣ୍ଟରରେ ବଳି ପଡିଛନ୍ତି। ଏହାର ଭରଣ କରିବାକୁ ଦଳ ଏବେ ବହୁ ସଂଖ୍ୟାରେ ଯୁବକ ଯୁବତୀମାନଙ୍କୁ ପାର୍ଟିରେ ଭର୍ତ୍ତି କରିବାକୁ ଚେଷ୍ଟା ଆରମ୍ଭ କରିଛି। ଏପରିକି ବାଲ ସଂଗମରେ ମଧ୍ୟ ଶିଶୁମାନଙ୍କୁ ଭର୍ତ୍ତି ଚାଲିଛି। ଯଦି କେହି ଏହାର ବିରୋଧ କଲେ ଜବରଦସ୍ତ ପାର୍ଟିରେ ଭର୍ତ୍ତି କରାଯାଉଥିବା କିଛି ଲୋକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ବିଶେଷ କରି ଯୁବତୀମାନଙ୍କୁ ଟାର୍ଗେଟ କରି ଦଳରେ ଭର୍ତ୍ତି କରାଯାଉଛି। ଯଦି ନମିଶନ୍ତି ତେବେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ମିଳୁଛି।

ନକ୍ସଲ ମାନେ ଗଣନାଟ୍ୟ ମାଧ୍ୟମରେ ବିଭିନ୍ନ ଗାଁ ବୁଲି ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି। ଜଳ, ଜମି ଓ ଜଙ୍ଗଲ ସେମାନଙ୍କର ଅଧିକାର ବୋଲି କହିବା ସହ ଏହାକୁ ପୁଞ୍ଜିପତିଙ୍କ ହାତରେ ଟେକି ନଦେବାକୁ ନିଜକୁ ତିଆରି କରିବାକୁ ପଡିବ ବୋଲି କୁହାଯାଉଛି। ଓଡିଶା, ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶରେ ରହିଥିବା ଖଣିକୁ କର୍ପୋରେଟର ଏବଂ ପୁଞ୍ଜିପତିମାନଙ୍କୁ ରାଜ୍ୟ ଏବଂ କେନ୍ଦ୍ର ସରାକର ଟେକି ଦେବାକୁ ବସିଛନ୍ତି। ତେଣୁ ଏହାର ଘୋର ବିରୋଧ କରିବାକୁ ଦାବି କରାଯାଇଛି। ସୀମାନ୍ତ ଗ୍ରାମ ଗୁଡିକରେ ନକ୍ସଲ ପୋଷ୍ଟର ଓ ବ୍ୟାନର ମାରି ଲୋକଙ୍କୁ ବହୁ ସଂଖ୍ୟାରେ ପାର୍ଟିରେ ଯୋଗ ଦେବା ପାଇଁ ଆହ୍ବାନ ଦେଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ଏବେ କ୍ୟାଡର ନକ୍ସଲ ଘନ ଘନ ବୈଠକ କରୁଥିବା ଜଣାପଡିଛି। ଆଗକୁ ନକ୍ସଲ କୌଣସି ଏକ ବଡ ଧରଣର ଅଘଟଣ ଘଟାଇବାକୁ ଯାଉଥିବା ଆଶଂକା କରାଯାଉଛି। ଗୋଟିଏ ପଟେ ଲୋକଙ୍କୁ ପ୍ରଶାସନ ବିରୋଧରେ ଉସୁକାଇ ଆନ୍ଦୋଳନ କରାଇବାରେ ସଫଳ ହୋଇଥିବା ବେଳେ ଆଗକୁ ମଧ୍ୟ ଏହି ଆନ୍ଦୋଳନ ଜୋର ଧରିବ ବୋଲି ଅନୁମାନ କରାଯାଉଛି। ନକ୍ସଲଙ୍କର ଏହି କାର୍ଯ୍ୟକ୍ରମକୁ ପୁଲିସ ଏବଂ ବିଏସଏଫ ଗୁଇନ୍ଦା ନଜର ରଖିଛନ୍ତି। କୌଣସି ମୁହୂର୍ତ୍ତରେ କିଛି ବି ଘଟିଲେ ମୁକାବିଲା ପାଇଁ ସତର୍କତା ଅବଲମ୍ବନ କରାଯାଇଛି। ଅନ୍ୟପଟେ ପୁଲିସ ମଧ୍ୟ ନକ୍ସଲଙ୍କୁ ଆତ୍ମସମର୍ପଣ କରାଇବାର ପ୍ରୟାସ ଜାରି ରଖିଛି। ତେବେ କିଏ ସଫଳ ହେଉଛି ତାହା ସମୟ କହିବ।

By amfnews

Related Post