Sun. Jun 8th, 2025

୩ ବର୍ଷ ପରେ ମାମୁ ହତ୍ୟାକାଣ୍ଡର ପର୍ଦାଫାସ

By amfnews Sep 30, 2019 #Featured
185 Views

ଖଣ୍ଡଗିରି  : ଦୀର୍ଘ ୩ ବର୍ଷ ପରେ ମାମୁ ହତ୍ୟାକାରୀ ଭଣଜାକୁ ଗୁଜୁରାଟ କ୍ରାଇମ୍‌ ବ୍ରାଞ୍ଚ ଖଣ୍ଡଗିରି ଥାନା ପୁଲିସ ସହାୟତାରେ ସ୍ଥାନୀୟ ଘାଟିକିଆରୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଗଞ୍ଜାମ ସୋରଡ଼ାର ମାନସ ଜେନା(୨୮)। ୨୦୧୬ ମସିହାରେ ସେ ଗୁଜୁରାଟ ସୁରତରେ ନିଜ ମାମୁ କୃପାସିନ୍ଧୁ ପ୍ରଧାନ(୫୦)ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଗୁଜୁରାଟ କ୍ରାଇମ୍‌ ବ୍ରାଞ୍ଚ ମାନସକୁ ଭୁବନେଶ୍ବର କୋର୍ଟରେ ହାଜର କରାଇବା ପରେ ଗୁଜୁରାଟ ନେଇଯାଇଛି।

ସୂଚନାନୁସାରେ, କୃପାସିନ୍ଧୁ ମାନସର ସମ୍ପର୍କୀୟ ମାମୁ। କୃପାସିନ୍ଧୁ ସୁରତ ସହର ସର୍ଥାନା ଥାନା ଅଞ୍ଚଳରେ ଏକ ଅଟୋ ମୋବାଇଲ୍‌ କମ୍ପାନିରେ ମେକାନିକ୍ ଭାବେ କାମ କରୁଥିଲେ। ୨୦୧୬ ମସିହାରେ ମାନସକୁ ନେଇ ସେ ଉକ୍ତ କମ୍ପାନିରେ ରଖାଇ ଦେଇଥିଲେ। ମାନସ ଘର ଭଡ଼ା କରି ରହିବା ପର୍ଯ୍ୟନ୍ତ କୃପାସିନ୍ଧୁ ତାକୁ ନିଜ ଘରେ ବି ଆଶ୍ରୟ ଦେଇଥିଲେ। କିନ୍ତୁ କୌଣସି କାରଣକୁ ନେଇ ପରେ ସେମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଫଳରେ କୃତଘ୍ନ ମାନସ ସବୁଦିନ ପାଇଁ କୃପାସିନ୍ଧୁଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ୨୦୧୬ ମସିହା ଜୁନ୍‌ରେ କୃପାସିନ୍ଧୁଙ୍କ ମୃତଦେହ ଏକ ରାସ୍ତାକଡ଼ରୁ ଠାବ କରାଯାଇଥିଲା। ସୁରତ ପୁଲିସ ଏହି ହତ୍ୟାକାଣ୍ଡର ପର୍ଦାଫାସ କରିବାରେ ସଫଳ ନ ହେବାରୁ ପରେ ଏହି ମାମଲା କ୍ରାଇମ୍ ବ୍ରାଞ୍ଚ ହାତକୁ ଯାଇଥିଲା। ତଦନ୍ତରୁ ଏହା ମାନସର କାଣ୍ଡ ବୋଲି ଜଣାପଡ଼ିଥିଲା। ମାତ୍ର ସୁରତ କ୍ରାଇମ୍ ବ୍ରାଞ୍ଚ ଟିମ୍‌ ବାରମ୍ବାର ସୋରଡ଼ା ଆସିବା ପରେ ବି ମାନସର ଟେର୍ ପାଇନଥିଲା। ସୁରତରେ ବଡ଼ ଚତୁରତାର ସହ ମାମୁକୁ ହତ୍ୟା କରିବା ପ‌ରେ ମାନସ ଭୁବନେଶ୍ବର ଚାଲି ଆସିଥିଲା ଓ ଘାଟିକିଆ ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲା। ଶେଷରେ ଗତକାଲି ସୁରତ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ମାନସକୁ ଘାଟିକିଆରେ ଠାବ କରିବା ପରେ ଖଣ୍ଡଗିରି ଥାନା ପୁଲିସ ସହାୟତାରେ ଗିରଫ କରିଥିଲା।

By amfnews

Related Post