Thu. Jan 23rd, 2025

୨୮ଟି ପ୍ରତିଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ, ଜାରି ନୋଟିସ୍

rklsanchar@gmail.com' By J.N. Pradhan Jun 22, 2018 #Featured
187 Views

ରାଉରକେଲା, ୨୨/୬: ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ୨୮ଟି ପ୍ରତିଷ୍ଠାନରେ ଅଗ୍ନି ନିର୍ବାପକ ଓ ସୁରକ୍ଷା ବ୍ୟବସ୍ଥା ନେଇ ଯାଞ୍ଚ କରାଯାଇଛି । ପ୍ରତିଷ୍ଠାନଗୁଡିକରେ ପ୍ରତିଷେଧକ ବ୍ୟବସ୍ଥାର ଘୋର ଅଭାବ ରହିଛି ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଗ୍ନି ପ୍ରତିଷେଧକ ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ବ୍ରଜେନ୍ଦୁ ଭୂଷଣ ଦାସ ସୂଚନା ଦେଇ କହିଲେ ଯେ, ରାଜ୍ୟ ସରକାର ଗତ ଅକ୍ଟୋବର ୪ ତାରିଖ ୨୦୧୭ରେ ଓଡ଼ିଶା ଫାୟାର ପ୍ରିଭେନସନ ଆଣ୍ଡ ଫାୟାର ସେଫ୍ଟି ରୁଲ୍ସକୁ ଲାଗୁ ପରେ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଭିନ୍ନଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ରାଉରକେଲାରେ ଯାଞ୍ଚ ପ୍ରକ୍ରିଆ କରାଯାଇଛି ।

ସହରର ୭ଟି ସପିଙ୍ଗ ମଲ୍, ୭ଟି ଆବାସିକ ଆପାର୍ଟମେଣ୍ଟ, ୩ଟି ଶିକ୍ଷାନୁଷ୍ଠାନ, ୨ଟି କଲ୍ୟାଣ ମଣ୍ଡପ ସମେତ ୯ଟି ହୋଟେଲରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଏସବୁ ପ୍ରତିଷ୍ଠାନରେ ପୂର୍ଣ୍ଣାଙ୍ଗ ଅଗ୍ନି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଜଣାପଡିଛି । କେତେକ କ୍ଷେତ୍ରରେ ଅଗ୍ନିନିର୍ବାପକ ଉପକରଣ ଥିବାବେଳେ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ନାହିଁ । ୩ରୁ ୪ଦିନ ମଧ୍ୟରେ ଏସବୁ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ।

ଏହି ସମୟ ମଧ୍ୟରେ କୋଠାର ଯୋଜନା ମଞ୍ଜୁର କରୁଥିବା ଅଧିକୃତ ସଂସ୍ଥା ଆରଡିଏ ଠାରୁ ରିପୋର୍ଟ ମଗାଯିବ । ଏହି ସମୟ ମଧ୍ୟରେ ସମ୍ପୃକ୍ତ ସଂସ୍ଥା ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ନକଲେ ଆଇନଗତ ଗ୍ରହଣ କରାଯିବ । ଯଦି କୋ÷ଣସି ସଂସ୍ଥା ୫୦ରୁ ୬୦ ପ୍ରତିଶତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ଆଉ କିଛି ସମୟ ମାଗନ୍ତି, ତେବେ ତାହା ବିଚାରଯୋଗ୍ୟ । ନୂତନ ନିୟମ ଅନୁସାରେ ନୂତନ କୋଠା ନିର୍ମାଣ ବେଳେ ଏବେ ଅଗ୍ନିଶମ ବିଭାଗର ଅନୁମତି ନେବାକୁ ପଡ଼ିବ । ଜନସାଧାରଣଙ୍କ ସୁରକ୍ଷା ଏହି ଯାଞ୍ଚର ମୂଳ ଲକ୍ଷ୍ୟ ।

ସମ୍ଭାବ୍ୟ ଅଗ୍ନିକାଣ୍ଡଜନିତ ଦୁର୍ଘଟଣାକୁ ଏଡାଇବା ତଥା ଲୋକଙ୍କୁ ସଚେତନ କରାଇବା ଏହି ଯାଞ୍ଚର ଆଭିମୁଖ୍ୟ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରସ୍ଥିତ ଆଞ୍ଚଳିକ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ଭୋଳ, ରାଉରକେଲା ଜୋନ୍ର ବିଭାଗୀୟ ଉପନିର୍ଦ୍ଦେଶକ ବି.କେ. ସିଂ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

Related Post