Wed. Mar 11th, 2026

୨୨ ବର୍ଷ ଜେଲରେ ଥିଲା, ନାଁରେ ରହିଛି ୧୪୨ଟି ମାମଲା, ଓଡ଼ିଶାରୁ ଗିରଫ କଲା ଦିଲ୍ଲୀ ପୁଲିସ୍‌

160 Views

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୁଲିସ୍‌ ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରୁ ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି। ତା’ ନାଁରେ ୧୪୨ଟି ମାମଲା ରୁଜୁ ହୋଇଥିବା ବେଳେ ସେ ପୂର୍ବରୁ ୨୨ ବର୍ଷ ଜେଲରେ ରହିଥିଲା।
ତା’ ବୟସ ୩୭ ଅର୍ଥାତ ସେ ୧୫ ବର୍ଷରୁ ହିଁ ଅପରାଧ ଦୁନିଆରେ ପାଦ ଦେଇଥିଲା। ଓଡ଼ିଶାର କେଉଁ ସ୍ଥାନରୁ ଦିଲ୍ଲୀ ପୁଲିସ୍‌ ତା’କୁ ଗିରଫ କରିଛି ଜଣାପଡ଼ିନାହିଁ। କିନ୍ତୁ ଓଡ଼ିଶାର ଏକ ନକ୍ସଲ ପ୍ରବଣ ଅଞ୍ଚଳରେ ସେ ଆତ୍ମଗୋପନ କରିଥିବା ବେଳେ ପୁଲିସ୍‌ ତା’କୁ କାବୁ କରିଛି।

ଉକ୍ତ ଅପରାଧୀର ନାଁ ଯୋଗେନ୍ଦ୍ର ଓରଫ ଜଗା। ତା’କୁ ଦିଲ୍ଲୀର ସାଗରପୁର ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲାରେ ଗିରଫ କରାଯାଇଛି। ଜଗା ସହ ତା’ ପତ୍ନୀକୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ଏହି ହତ୍ୟାକାଣ୍ଡ ପରେ ଜଗା ଓ ତା’ ପତ୍ନୀ ଦିଲ୍ଲୀରୁ ଓଡ଼ିଶା ଚାଲି ଆସିଥିଲେ।

ଦିଲ୍ଲୀ ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇ ଉଭୟଙ୍କୁ ଗିରଫ କରିଛି। ତେବେ ଜଗା ସାଗରପୁର ହତ୍ୟାକାଣ୍ଡରେ ସଂପୃକ୍ତ ନଥିବା କହିଛି। ହେଲେ ସେ ୨୨ ବର୍ଷ ଜେଲରେ ଥିଲା ଏବଂ ବିଭିନ୍ନ ଥାନାରେ ତା’ ନାଁରେ ୧୦୦ରୁ ଅଧିକ ମାମଲା ରୁଜୁ ହୋଇଥିବା ସ୍ୱୀକାର କରିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଜଗା ଓ ତା’ ପରିବାର ବିଭିନ୍ନ ମାମଲାରେ ସଂପୃକ୍ତ ରହିଛନ୍ତି। ହତ୍ୟା ପରେ ସେ ଦିଲ୍ଲୀ ଛାଡ଼ି ଦେଇଥିଲା। ତେବେ ଓଡ଼ିଶାର ଏକ ନକ୍ସଲ ପ୍ରବଣ ଅଞ୍ଚଳରେ ସେ ଓ ତା’ର ପତ୍ନୀ ଲୁଚିଥିବା ଖବର ମିଳିଥିଲା। ଆମେ ସେଠାରୁ ତା’କୁ ଗିରଫ କରିଛୁ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

By amfnews

Related Post