Sun. Mar 8th, 2026

୨୧ରେ ମହୋଦଧି ଆରତି : ଦେଶରୁ ଯୋଗ ଦେବେ ବହୁ ସାଧୁସନ୍ଥ

335 Views

ପୁରୀ, ଜାନୁଆରୀ ୧୮ :‌ ଜାନୁଆରି ୨୧ ପୌଷ ପୂର୍ଣ୍ଣିମାରେ ମହୋଦଧି ସଂଧ୍ୟା ଆରତିର ଦ୍ବାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ। ଏହି ଦିନ ନିଜେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମହୋଦଧି ସଂଧ୍ୟା ଆରତି ସମର୍ପଣ କରିବେ। ଏଥି ପାଇଁ ପୁରୀ ଗୋବର୍ଦ୍ଧନ ମଠ ତରଫରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ପୁରୀ ସମେତ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ସାଧୁସନ୍ଥ, ମହନ୍ତ, ମଠାଧୀଶ, ‌ବ୍ରାହ୍ମଣ, ଶ୍ରୀମନ୍ଦିରର ବରିଷ୍ଠ ସେବକ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଗୋବର୍ଦ୍ଧନ ପୀଠଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହୋଦଧି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ମହୋଦଧି ଆରତି ପରିଚାଳନା କମିଟି ସଂପାଦକ ସୁନୀଲ କୁମାର ପୂଜାପଣ୍ଡା କହିଛନ୍ତି, ପ୍ରତିବର୍ଷ ମହୋଦଧି ଆରତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଏହା ୧୨ ବର୍ଷରେ ପଦାର୍ପଣ କରିଛି। ଏହାକୁ ଉତ୍ସବମୁଖର କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ୨୧ ତାରିଖ ଅପରାହ୍ଣ ୪ଟାରୁ ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ର ତଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୧ ତାରିଖ ସକାଳ ସାଢ଼େ ୬ଟାରେ ନାମ ସଂକୀର୍ତନ, ମଧ୍ୟାହ୍ନ ୧୨ଟାରେ ସୁନ୍ଦରକାଣ୍ଡ, ଅପରାହ୍ଣ ୪ଟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଅନ୍ୟ ସାଧୁସନ୍ଥ ଉଦ୍‌ବୋଧନ ଦେବେ।

By amfnews

Related Post