Sun. Mar 8th, 2026

୨୦୨୦ ସୁଦ୍ଧା ‘ସଂପୂର୍ଣ୍ଣା’ ଯୋଜନାର ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବ : ଜାରି ରହିବ ୟୁନିସେଫର ସହାୟତା

258 Views

ଭୁ‌ବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୟୁନିସେଫ୍‌ର ସହାୟତା ଜାରି ରହିବ। ଗତବର୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ୟୁନିସେଫ ମଧ୍ୟରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଚଳିତବର୍ଷ କାର୍ଯ୍ୟକାରୀ ହେବା ନେଇ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ଏହାର ସମୀକ୍ଷା କରିଛନ୍ତି।

ବିଗତ ବର୍ଷ ପରେ ଚଳିତବର୍ଷ ମଧ୍ୟ ୟୁନିସେଫ ତରଫରୁ ରାଜ୍ୟରେ ପୁଷ୍ଟିହୀନତା ଦୂରୀକରଣ, ନବଜାତକଙ୍କୁ ଉନ୍ନତମାନର ଚିକିତ୍ସା ଓ ମୃତ୍ୟୁହାର ହ୍ରାସ, ସମୟ ପୂର୍ବରୁ ଜନ୍ମ ନେଉଥିବା ଓ କମ୍ ଓଜନ ଶିଶୁଙ୍କ ଯତ୍ନ ପାଇଁ ସଂପୃକ୍ତ ଡାକ୍ତର ଓ ପାରାମେଡିକଙ୍କ ଦକ୍ଷତା ବୃଦ୍ଧି କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏଚ୍‌ଆଇଭି, ସିଫିଲିସ ଚିହ୍ନଟ, ଟିକାକରଣ, ସଂପୂର୍ଣ୍ଣା କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କ ଯତ୍ନ ଦିଗରେ ଜାରି ରହିଥିବା କାର୍ଯ୍ୟକ୍ରମରେ ୟୁନିସେଫର ସହଯୋଗ ବଜାୟ ରହିବ। ୨୦୨୦ ସୁଦ୍ଧା ସଂପୂର୍ଣ୍ଣା ଯୋଜନାର ଲକ୍ଷ୍ୟ ହାସଲ କରିବା, ଶିଶୁଙ୍କୁ ମାତୃ ସ୍ତନ୍ୟପାନର ଜରୁରୀ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହିତ ଖାଇବା ପୂର୍ବରୁ ହାତ ଧୋଇବା ଭଳି କାର୍ଯ୍ୟକ୍ରମକୁ ଆଗେଇ ନେବା ଦିଗରେ ସହାୟତା ଓ ସହଯୋଗ ସଂପର୍କରେ ଗ୍ରହଣ କରାଯିବାକୁ ଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସହଯୋଗୀ ସଂସ୍ଥାମାନେ ନିଜ ନିଜ ମଧ୍ୟରେ ଓ ସ୍ବାସ୍ଥ୍ୟ ବିଭାଗ ସହିତ ଅଧିକ ସହଯୋଗ ରକ୍ଷା କରି କାର୍ଯ୍ୟ କରିବାକୁ ଡା. ମେହେର୍ଦା ପରାମର୍ଶ ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ, ପରିବାର କଲ୍ୟାଣ ନିର୍ଦେଶକ ଡା. ଲିଙ୍ଗରାଜ ମିଶ୍ର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦେଶକ ଡା. ବିପିନ ବିହାରୀ ପଟ୍ଟନାୟକ, ୟୁନିସେଫର ବିବେକ ସିଂହ ଓ ସୌରଭ ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

By amfnews

Related Post