Sun. Mar 8th, 2026

+୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି

282 Views

ଭୁବନେଶ୍ବର : ଯୁକ୍ତ୨ ମୂଲ୍ୟାୟନ କେନ୍ଦ୍ରରେ ଲାଗିବ ସିସିଟିଭି। ମୂଲ୍ୟାୟନକାରୀଙ୍କ ଗତିବିଧିର ଟିକିନିଖି ଖବର ରଖାଯିବ। କୌଣସି ସ୍ଥାନରେ ଯେପରି ଅନିୟମିତତା ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସମସ୍ତ ୧୦୯୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରଥମଥର ପାଇଁ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରିଭାଇଜର୍‌ଙ୍କୁ ନିର୍ଦେଶ ଦେଇଛନ୍ତି। ପରୀକ୍ଷା ସରିବା କ୍ଷଣି ମାର୍ଚ୍ଚ ୩ୟ ସପ୍ତାହରୁ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଆରମ୍ଭ ହେବ। ଏଥରକ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲଗାଯିବ। ମୂଲ୍ୟାୟନ ହୋଇଥିବା ଓ ମୂଲ୍ୟାୟନ ହେବାକୁ ଥିବା ଉତ୍ତର ଖାତା, ମାର୍କ ଫୁଏଲ୍‌, ପରୀକ୍ଷକଙ୍କ ରିପୋର୍ଟ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହୁଥିବା ଷ୍ଟ୍ରଙ୍ଗ୍‌ ରୁମ୍‌ରେ ସିସିଟିଭି ଲାଗିବ। ସମସ୍ତ ମୂଲ୍ୟାୟନ ଗୃହରେ ସିସିଟିଭି ଲାଗିବାକୁ ବାଧ୍ୟତାମୂଳକ। ସିସିଟିଭି ଫୁଟେଜ୍‌ଗୁଡ଼ିକୁ ସଂରକ୍ଷିତ କରି ରଖାଯିବ। ଭବିଷ୍ୟତରେ କୌଣସି ଅଭିଯୋଗ ଆସିଲେ ତାହାର ଯାଞ୍ଚ ହେବ। ସିସିଟିଭି ବ୍ୟବସ୍ଥାରେ ଇଣ୍ଟରନେଟ୍‌ ସଂଯୋଗ ରହିବା ନିହାତି ଆବଶ୍ୟକ। ଏହାଦ୍ବାରା ମୂଲ୍ୟାୟନ ସମୟରେ ପରିଷଦ କାର୍ଯ୍ୟାଳୟରେ ବି ମନିଟରିଂ କରାଯାଇପାରିବ।

ସେହିପରି ମାର୍ଚ୍ଚ ୭ରୁ ୩୦ ମଧ୍ୟରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ହେବାକୁ ଥିବାରୁ ପରୀକ୍ଷା ପରିଚାଳନା ହବ୍‌ଗୁଡ଼ିକ ଫେବ୍ରୁଆରି ୨୩ ସୁଦ୍ଧା ମରାମତି କରିବାକୁ କୁହାଯାଇଛି। ଆବଶ୍ୟକତା ଅନୁଯାୟୀ ହବ୍‌ଗୁଡ଼ିକୁ ମରାମତି କରିବା, ସ୍ବଚ୍ଛତା ବଜାୟ ରଖିବା, ସିସିଟିଭି ଲଗାଇବା, ସୁରକ୍ଷା ବଢ଼ାଇବା ପାଇଁ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନର ସହଯୋଗ ନେବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ସୁରକ୍ଷାକର୍ମୀ ନିଯୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।

By amfnews

Related Post