Sat. Mar 7th, 2026
235 Views

ଭୁବନେଶ୍ୱର : ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟର ୧୫ ଜିଲ୍ଲାରେ ଦେଖାଦେବ ଘନ କୁହୁଡ଼ି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ଗୌରାଙ୍ଗ ଚରଣ ବେହେରା କହିଛନ୍ତି,“ ଏହି ଦୁଇ ଦିନ ୧୫ଟି ଜିଲ୍ଲାରେ ଘନ କୁହୁଡି ଦେଖାଯିବ। ଏହି ଜିଲ୍ଲାଗୁଡ଼ିକ ହେଲା ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ ଓ ମାଲକାନଗିରି।”

ଶ୍ରୀ ବେହେରା ଆହୁରି କହିଛନ୍ତି,“ ଆଜି ଓ ଆସନ୍ତାକାଲି ଦୁଇଦିନ ରାଜ୍ୟରେ ଶୀତ ଅନୁଭୂତ ହେବ। ଏହି ସମୟରେ ଉତ୍ତରା ପବନ ବହିବା ଯୋଗୁ ରାଜ୍ୟର ତାପମାତ୍ରା  ସ୍ୱାଭାବିକ ତାପମାତ୍ରାଠାରୁ ୧ରୁ ୩  ଡିଗ୍ରୀ ଖସିବ। ଏହାପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ରାଜ୍ୟରେ ଘନ କୁହୁଡ଼ି ଦେଖାଦେବ। ”

ଗତକାଲି ମାଲକାନଗିରି ସବୁଠୁ ଥଣ୍ଡା ସହର ଥିଲା। ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୧୨ ଡିଗ୍ରୀ ଓ ଅନୁଗୋଳରେ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

By amfnews

Related Post