Sat. Mar 7th, 2026

୧୬ ବର୍ଷ ପରେ ମୁକ୍ତ ହେଲେ ପାକିସ୍ତାନୀ ନାଗରିକ, ଘରକୁ ନେଲେ ଭଗବତ ଗୀତା

163 Views

ବାରାଣସୀ, ନଭେମ୍ବର,୫: ୧୬ ବର୍ଷ ପରେ ବାରାଣସୀର କେନ୍ଦ୍ରୀୟ କାରାଗାରରୁ ମୁକ୍ତ ହୋଇ ଥିବା ଜଲାଲୁଦ୍ଦିନ ନାମକ ଜଣେ ପାକିସ୍ତାନୀ ନାଗରିକ ସାଥିରେ ଭଗବତ ଗୀତା ନେଇ ଘରକୁ ଯାଇଛନ୍ତି।ସନ୍ଦିଗ୍ଧ ଦଲିଲପତ୍ର ସହ ଜଲାଲୁଦ୍ଦିନ ବାରାଣସୀର କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରୁ ଗିରଫ ହୋଇଥିଲା ଏବଂ ଏବେ ସ୍ୱଦେଶକୁ ଫେରୁଛନ୍ତି।ବାରାଣସୀ କେନ୍ଦ୍ରୀୟ କାରାଗାରର ବରିଷ୍ଠ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମ୍ବରୀଶ ଗୌଡ଼ କହନ୍ତି ଯେ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରୁ ଆସିଥିବା ଜଲାଲୁଦ୍ଦିନ ୨୦୦୧ରେ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରୁ ଗିରଫ ହୋଇଥିଲା। କେତେକ ସନ୍ଦିଗ୍ଧ କାଗଜପତ୍ର ସହ ବାୟୁସେନା କାର୍ଯ୍ୟାଳୟ ନିକଟରୁ ତାଙ୍କୁ ପୁଲିସ ଗିରଫ କରିଥିଲା।

ଜଲାଲୁଦ୍ଦିନଙ୍କ ଠାରୁ ପୁଲିସ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳର ମାନଚିତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉଦ୍ଧାର କରିଥିଲା। ତା’ପରେ ଏକ ଅଦାଲତ ସେ ପାକିସ୍ତାନୀ ନାଗରିକଙ୍କୁ ୧୬ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।ଗୌଡ଼ କହନ୍ତି: ତାଙ୍କୁ ଅଫିସିୟାଲ୍‌ ସିକ୍ରେଟ୍‌ ଆକ୍ଟ୍‌ ଏବଂ ଫରେନର୍ସ ଆକ୍ଟ ବଳରେ କାରାଦଣ୍ଡ ଦିଆଯାଇଥିଲା। ତାଙ୍କୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି। ସାଙ୍ଗରେ ସେ ଖଣ୍ଡେ ଭଗବତ ଗୀତା ନେଇଛନ୍ତି।

ସେ ଆହୁରି କହିଛନ୍ତି: ଗିରଫ ହେବା ବେଳକୁ ସେ କେବଳ ହାଇସ୍କୁଲ୍‌ରୁ ପାସ୍‌ କରିଥିଲେ। ସେ ଉଚ୍ଚ ମାଧ୍ୟମିକ ପାସ୍‌ କରିବା ପରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳରୁ ସ୍ନାତକତ୍ତୋର ହାସଲ କରିଛନ୍ତି। ଜେଲ୍‌ରେ ସେ ମଧ୍ୟ ଇଲେକ୍ଟ୍ରିସିଆନ୍‌ କୋର୍ସ କରିଛନ୍ତି। ଗତ ତିନି ବର୍ଷ ହେବ ସେ ଜେଲ୍‌ କ୍ରିକେଟ୍‌ ଲିଗ୍‌ର ଅମ୍ପାୟାର୍‌ ହୋଇ ଆସୁଥିଲେ।

ଏକ ସ୍ୱତନ୍ତ୍ର ଦଳ ଜଲାଲୁଦ୍ଦିନଙ୍କୁ ଅମୃତସର ନେଇଛନ୍ତି। ସେଠାରେ ସେ ଓ୍ଵାଗା-ଅଟ୍ଟାରି ସୀମାନ୍ତରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ତା’ପରେ ସେ ପାକିସ୍ତାନ ଫେରିବେ।

By amfnews

Related Post