Wed. Dec 25th, 2024

୧୫ ଦିନରେ ଗ୍ରିନ୍‌ରୁ ରେଡ୍‌ ପାଲଟିଗଲା ବାଲେଶ୍ବର

By amfnews May 3, 2020 #Featured
139 Views

ବାଲେଶ୍ବର : ଗତ ୧୫ ଦିନ ମଧ୍ୟରେ ଗ୍ରିନ୍‌ରୁ ରେଡ୍‌ଜୋନ୍‌ରେ ପହଞ୍ଚିଛି ବାଲେଶ୍ବର ଜିଲ୍ଲା। ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବାବେଳେ ଜିଲ୍ଲାର ୭ଟି ବ୍ଲକ୍‌ ଏବେ ଆବଦ୍ଧାଞ୍ଜଳ। ତେବେ ଆହୁରି ୧୩୭୨ଟି ରିପୋର୍ଟ ଆସିବାର ବାକି ଥିବାରୁ ଆଗକୁ ପଜିଟିଭ୍‌ ସଂଖ୍ୟା ବଢ଼ିବ କି ଏତିକିରେ ସ୍ଥିର ରହିବ, ତାହା ଦେଖିବାକୁ ବାକି ରହିଛି।

ଗତ ମାର୍ଚ୍ଚମାସ ୨୪ ତାରିଖ ରାତିରେ ଜିଲ୍ଲାରେ ଲକଡାଉନରେ ଥିବାବେଳେ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାବାସୀ ଆଶ୍ବସ୍ତିରେ ଥିଲେ। ଜିଲ୍ଲାରୁ କେହି ଜଣେ ବି କରୋନା ସଂକ୍ରମିତ ହୋଇନଥିଲେ। ମାର୍ଚ୍ଚ ୧୮ ତାରିଖରେ ବାଲେଶ୍ବର ସହରର ମଧ୍ୟସ୍ଥଳରେ ଥିବା ନୀଳିଆବାଗ ଅଞ୍ଚଳରୁ ଜଣେ ବୟସ୍କ ବ୍ୟକ୍ତି ପ୍ରଥମ କରୋନା ସଂକ୍ରମିତ ଭାବେ ଚିହ୍ନଟ ହେଲେ। ନୀଳିଆବାଗ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଦ୍ଧାଞ୍ଚଳ ଘୋଷଣା କରି ସେଠାରେ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ କରି ଦିଆଯାଇଛି। ଆବଦ୍ଧାଞ୍ଚଳବାସୀଙ୍କର ନିୟମିତ ସ୍ବାସ୍ଥ୍ୟପରୀକ୍ଷା ଓ ସେମାନଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପଠାଯାଇଥିଲା। ଏହି ଘଟଣାର ଠିକ୍‌ ଦୁଇଦିନ ପରେ ଆସିଥିଲା ଆଉ ଦୁଇ କରୋନା ପଜିଟିଭ୍‌। ନୀଳଗିରି ସବ୍‌ଡିଭିଜିନ ଅନ୍ତର୍ଗତ ବରହମ୍‌ପୁର ଥାନା ବାଉଁଶପାଳ ରିଗିଡ଼ି ଗ୍ରାମର ଜଣେ ୨ବର୍ଷର ଶିଶୁକନ୍ୟା ସହ ବାଲେଶ୍ବର ରେଳଷ୍ଟେସନ ଷ୍ଟାଫ୍‌କଲୋନିର ଜଣେ ଆରପିଏଫ୍‌ କନେଷ୍ଟବଳ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ଏହାର ୨୪ ଘଣ୍ଟା ନ ବିତୁଣୁ ନୀଳଆବାଗ୍‌ ଆବଦ୍ଧାଞ୍ଚଳରୁ ପୁଣି ୫ ଜଣ ଏବଂ ଆଉ ଦୁଇଦିନ ପରେ ପୁଣି ୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ। ଯେଉଁ ଆକ୍ରାନ୍ତମାନେ ନୀଳିଆବାଗ୍‌ର ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା।

ଉଭୟ ବାଲେଶ୍ବର ସହର ଓ ନୀଳିଗିରିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇ ୨୩ ତାରିଖ ରାତିରେ ସମଗ୍ର ଜିଲ୍ଲାକୁ ସଟ୍‌ଡାଉନ କରାଯାଇଥିଲା। ସେହିପରି ୨୭ ତାରିଖରେ ନୀଳିଆବାଗ ଆବଦ୍ଧାଞ୍ଚଳରୁ ଆଉ ୫ଜଣ, ବାହାନଗା ବିଷ୍ଣୁପୁର ଅଞ୍ଚଳରୁ ଜଣେ, ଖଇରା ଅନ୍ତରା ଅଞ୍ଚଳରୁ ଜଣେ, ସୋର ତଳନଗର ଅଞ୍ଚଳରୁ ୨ ଜଣ ଓ ଗତକାଲି ସିମୁଳିଆ ବ୍ଲକ କ‌ହ୍ନେଇବିନ୍ଧା ପଞ୍ଚାୟତରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ନୀଳିଆବାଗ ଓ ନୀଳଗିରିକୁ ବାଦ୍‌ଦେଲେ ଗତ ୧୫ ଦିନ ମଧ୍ୟରେ ବାହାନଗା, ସୋର, ଖଇରା, ସିମୁଳିଆ ବ୍ଲକର ଆକ୍ରାନ୍ତମାନେ ପଶ୍ଚିମବଙ୍ଗ ଫେରନ୍ତା। ଅଧା‌ମାସରେ କରୋନା ଜିଲ୍ଲାର ଅଧା ଅଞ୍ଚଳର ଲୋକଙ୍କୁ ଆକ୍ରାନ୍ତ କରିସାରିଛି। ୧୦ ଦିନରେ ୧୬ ଆକ୍ରାନ୍ତ -କେବଳ ନୀଳିଆବାଗ ଅଞ୍ଚଳରୁ ୧୩ ଏପ୍ରିଲ ୨୭ ତାରିଖରେ ବାଲେଶ୍ବର ଜିଲ୍ଲାରେ ଆଉ ୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିରୁ ୫ ଜଣ ଥିଲେ ନୀଳିଆବାଗ କଣ୍ଟେନ୍‌ମେଣ୍ଟ ଅଞ୍ଚଳର। ଅନ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବାହାନାଗା ଅଞ୍ଚଳର ୩୨ ବର୍ଷର ଯୁବକ। ଗତ ୧୦ ଦିନ ଭିତରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା‌ ୧୬କୁ ଛୁଇଁଥିଲା। ପରେ ଏହି ସଂଖ୍ୟା ୨୦କୁ ପହଞ୍ଚିଛି।

ଅନ୍ୟପକ୍ଷରେ, ଗତ ୧ ତାରିଖ ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ୪୧୫୩ ଜଣଙ୍କ ଠାରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୭୬୧ଟି ରି‌େପାର୍ଟ ଆସିଛି। ଉକ୍ତ ରିପୋର୍ଟରେ ୨୦ ଜଣଙ୍କର ନମୁନା କରୋନା ପଜିଟିଭ୍‌ ବାହାରିଥିବାବେଳେ ୨୭୪୧ଟି ରିପୋର୍ଟ ନେଗେଟିଭ ବାହାରିଛି। ତେବେ ୧୩୭୨ଟି ଆସିବାକୁ ବାକି ରହିଥିବା ଜଣାଯାଇଛି।

By amfnews

Related Post