Sat. Mar 7th, 2026

୧୫ ଦିନ ପାଇଁ ରିଲିଫ୍‌; ବୟସ୍କଙ୍କୁ ୬୦ଟଙ୍କା, ଶିଶୁଙ୍କୁ ଦୈନିକ ୪୫ଟଙ୍କାର ରିଲିଫ୍‌

191 Views

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଓ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ପ୍ୟାକେଜ୍‌ ଘୋଷଣା କରିଛନ୍ତି ।

ଗତକାଲି ପୂର୍ବାହ୍ନରେ ‘ତିତ୍‌ଲି’ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ପରେ ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୧୫ଦିନ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍ ଯୋଗାଇ ଦିଆଯିବ। ବୟସ୍କଙ୍କ ପାଇଁ ଦିନକୁ ୬୦ଟଙ୍କା ମୂଲ୍ୟର ଖାଦ୍ୟ ଓ ଛୋଟପିଲାଙ୍କ ପାଇଁ ୪୫ଟଙ୍କା ମୂଲ୍ୟର ଦୈନିକ ମାଗଣା ଖାଦ୍ୟ ଦିଆଯିବ।

ପ୍ରଭାବିତ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ଆଜି ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଚଳ ନଳକୂପ ମରାମତି କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ୯୦ ପ୍ରତିଶତ ସ୍ଥାନରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ ଓ ୧୦ ପ୍ରତିଶତ ଅଞ୍ଚଳରେ ୩ରୁ ୫ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। କ୍ଷୟକ୍ଷତି ଆକଳନ କରାଯିବା ପରେ କେନ୍ଦ୍ର ସରକାରଙ୍କ ନିକଟରେ ସହାୟତା ପାଇଁ ଦାବି ରଖାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଗଜପତି ଜିଲ୍ଲାରେ ମାଟିଅତଡ଼ା ଧସିବାରୁ ୧୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଯଦି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜନୀତି କରିବାକୁ ଚାହୁଁଛି ତାହା କରୁ କିନ୍ତୁ ସରକାର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

By amfnews

Related Post