Sun. Mar 8th, 2026

୧୨ ଜିଲ୍ଲାରେ ହେବ କାଳବୈଶାଖୀ ବର୍ଷା; ସତର୍କ କଲା ପାଣିପାଗ ବିଭାଗ

236 Views

ଭୁବନେଶ୍ୱର  : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ। ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାରେ ହିଟ୍ ୱେଭ୍ କଣ୍ଡିସନ୍‌ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି। ଏହି ସବୁ ଜିଲ୍ଲାରେ ସାଧାରଣ ତାପମାତ୍ରା ଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିବାର ସମ୍ଭାମନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରା କହିଛନ୍ତି। ଏହା ସହିତ ଆଜି ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ଥିବା ସେ କହିଛନ୍ତି।

ଡ୍ୟୁଟି ଅଫିସର ଶ୍ରୀ ବେହେରା କହିଛନ୍ତି,“ଆଜି କୋରାପୁଟ, ଗଜପତି, ଗଞ୍ଜାମ, ଫୁଲବାଣୀ, ନୟାଗଡ଼, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।”

ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଥିଲା। ସେହିପରି ହୀରାକୁଦରେ ୪୪.୪ଡିଗ୍ରୀ, ଝାରସୁଗୁଡ଼ାରେ ୪୪.୨, ସୋନପୁରରେ ୪୪, ଟିଟିଲାଗଡ଼ରେ ୪୩.୪, ତାଳଚେରରେ ୪୨.୫, ବଲାଙ୍ଗିରରେ ୪୧.୮, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୦.୬, ଭୁବନେଶ୍ୱରରେ ୪୦.୩, ମାଲକାନଗିରିରେ ୪୦.୨ ଏବଂ ଚାନ୍ଦବାଲିରେ ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

By amfnews

Related Post