Wed. Mar 11th, 2026

୧୧୨ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

171 Views

ଖଣ୍ଡଗିରି: ମଙ୍ଗଳବାର ସନ୍ଧ୍ୟାରେ କମିସନରେଟ୍‌ ପୁଲିସ ହାତରେ ୫ ଜଣ ବ୍ରାଉନ୍ ସୁଗାର ବେପାରୀ ଧରାପଡ଼ିଛନ୍ତି। ସେମାନଙ୍କଠାରୁ ୧୧୨ ଗ୍ରାମ୍ ଧଳା ଜହର ଜବତ କରାଯାଇଛି। ଜବତ ମାଲ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଅଧିକ ତଦନ୍ତ ଜାରି ରହିଥିବାରୁ ପୁଲିସ ସେମାନଙ୍କ ନାମ ପ୍ରକାଶ କରିନାହିଁ। ତେବେ କୁଇକ୍ ଆକ୍‌ସନ ଟିମ୍‌ ସହ ଖଣ୍ଡଗିରି ଓ ଜଟଣୀ ଥାନାର ଅଧିକାରୀମାନେ ମିଳିତ ଭାବେ ଏହି ଚଢ଼ଉ କରିଥିବା ସୂଚନା ମିଳିଛି।

ସୂଚନାନୁସାରେ, ଖୋର୍ଧାରୁ ଏହି ବ୍ରାଉନ୍ ସୁଗାର ନେଇ ଦୁଇଟି ଟିମ୍‌ ରାଜଧାନୀ ଆସୁଥିବା ଖବର କୁଇକ୍‌ ଆକ୍‌ସନ ଟିମ୍‌ ନିକଟରେ ପହଞ୍ଚିଥିଲା। ତେଣୁ ଜଟଣୀ ଥାନା ପୁଲିସ ସହଯୋଗରେ କୁଇକ୍‌ ଆକ୍‌ସନ ଟିମ୍‌ ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରେ ଛକି ରହି ସନ୍ଦିଗ୍ଧ ବାଇକ୍‌କୁ ଅଟକାଇ ୨ଜଣଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ୫୧ ଗ୍ରାମ୍‌ ବ୍ରାଉନ୍ ସୁଗାର ମିଳିଥିଲା। ସେମାନଙ୍କଠାରୁ ସୂଚନା ପାଇ କ୍ୟୁଏଟି ଖଣ୍ଡଗିରି ଥାନାକୁ ଯୋଗାଯୋଗ କରିବା ସହ ଡୁମୁଡୁମା ଅଞ୍ଚଳରେ ଚଢ଼ଉ କରି ଅନ୍ୟ ୩ ଜଣଙ୍କୁ ଠାବ କରିଥିଲା। ସେମାନଙ୍କଠାରୁ ୬୧ଗ୍ରାମ୍‌ ବ୍ରାଉନ୍ ସୁଗାର ମିଳିଥିଲା।

By amfnews

Related Post