Sun. Mar 8th, 2026

୧୦ ଦିନ ତିହାର ଜେଲରେ ଥିଲେ ନୋବେଲ ବିଜେତା ଅଭିଜିତ, ଜାଣନ୍ତୁ କାରଣ

707 Views

ନୂଆଦିଲ୍ଲୀ: ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ ପାଇଁ ସଂଘର୍ଷ କରୁଥିବା ଭାରତ-ଆମେରିକା ନାଗରିକ ଅଭିଜିତ ବାନାର୍ଜୀ ଚଳିତ ବର୍ଷ ଅର୍ଥନୀତି ନୋବେଲ ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ପତ୍ନୀ ତଥା ଫ୍ରେଞ୍ଚ ନାଗରିକ ଏଷ୍ଟର ଡୁଫ୍ଲୋଙ୍କୁ ମଧ୍ୟ ନୋବେଲ ମିଳିବ।

ତେବେ ୧୯୬୧ ମସିହାରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ ବିନାୟକ ବାନାର୍ଜୀଙ୍କ ସହ ତିହାର ଜେଲର ସମ୍ପର୍କ ରହିଛି। ସେ ଜେଏନ୍‌ୟୁରେ ପାଠ ପଢ଼ିବା ବେଳେ ୧୦ ଦିନ ତିହାର ଜେଲରେ ରହିଥିଲେ। ଏକଥା ଖୋଦ୍‌ ଅଭିଜିତ କହିଛନ୍ତି। ୧୯୮୦ରେ ସେ ଜେଏନ୍‌ୟୁରେ ପାଠ ପଢ଼ୁଥିଲେ। ଅର୍ଥନୀତିରେ ଏମଏ ପଢ଼ୁଥିବା ଅଭିଜିତ୍‌ କେବଳ ଟପ୍ପର ହୋଇ ନଥିଲେ ବରଂ ପୂର୍ବ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗି ଦେଇଥିଲେ। ଏଯାଏ ଅର୍ଥନୀତିରେ କେହି ବି ଜେଏନ୍‌ୟୁରେ ତାଙ୍କ ରେକର୍ଡ ଭାଙ୍ଗି ପାରିନାହାନ୍ତି।

ଅଭିଜିତ୍‌ କହିଛନ୍ତି, “ଜେଏନ୍‌ୟୁ ମୋତେ ରାଜନୀତି କ’ଣ ଶିଖାଇଥିଲା। ତେବେ ମୁଁ ଜେଏନ୍‌ୟୁ ଛାତ୍ର ସଂସଦର ସଦସ୍ୟ ହୋଇ ନଥିଲି କିମ୍ବା କୌଣସି ରାଜନୀତିକ ଦଳରେ ସାମିଲ ହୋଇ ନଥିଲି। କିନ୍ତୁ ଜେଏନ୍‌ୟୁ ମୋତେ ରାଜନୀତି କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ଶିଖାଇଥିଲା।

ମୁଁ କୋଲକାତାରୁ ଆସିଥିବାରୁ ବାମପନ୍ଥୀ ରାଜନୀତି ବିଷୟରେ ଭଲ ଭାବେ ଅବଗତ ଥିଲି। କିନ୍ତୁ ଭାରତର ଅନ୍ୟ ପ୍ରାନ୍ତରେ ଚାଲିଥିବା ରାଜନୀତି ବିଷୟରେ ଜାଣି ନଥିଲି। ଧୀରେଧୀରେ ମୁଁ ଗାନ୍ଧିଆନ, ଆରଏସ୍‌ଏସ୍‌ ଓ ଭାରତରେ ରାଜନୀତିକୁ କରୁଥିବା ଅନେକ ସଂଗଠନ ବିଷୟରେ ଜାଣିଥିଲି।

୨୦୧୬ ପରି ୧୯୮୩ରେ ଜେଏନ୍‌ୟୁର କିଛି ଛାତ୍ରଙ୍କୁ ଜୋରଜବରଦସ୍ତ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ମୁଁ ମଧ୍ୟ ରହିଥିଲି। ଆମେ କୁଳପତିଙ୍କ ଘର ଘେରାଉ କରିବାକୁ ଯାଉଥିବା ବେଳେ ପୁଲିସ୍‌ ଆମକୁ ଟେକି ନେଇଥିଲା। ସେ ଛାତ୍ର ସଂସଦ ସଭାପତିଙ୍କୁ ବହିଷ୍କାର କରିଥିବାରୁ ଏହାର ପ୍ରତିବାଦ କରାଯାଇଥିଲା।

ଗିରଫ କରାଯିବା ପରେ ଆମକୁ ତିହାର ଜେଲ ନିଆଯାଇଥିଲା। ସେଠାରେ ୧୦ ଦିନ ରହିବାକୁ ପଡ଼ିଥିଲା। ଏହି ସମୟରେ ପୁଲିସ୍‌ ଆମକୁ ମାଡ଼ ମଧ୍ୟ ମାରିଥିଲା। ଅବଶ୍ୟ ଆମ ବିରୋଧରେ ଦେଶଦ୍ରୋହ ମାମଲା ଲାଗି ନଥିଲା। କିନ୍ତୁ ହତ୍ୟା ଉଦ୍ୟମ ଭଳି ଚାର୍ଜ ଲାଗିଥିଲା। ଭଗବାନଙ୍କ ଦୟାରୁ ଆମ ବିରୋଧରେ ଚାର୍ଜକୁ ପ୍ରତ୍ୟାହାର କରାଯାଇଥିଲା ସତ କିନ୍ତୁ ସେତେବେଳେକୁ ଆମେ ତିହାର ଜେଲରେ ୧୦ ଦିନ ବିତାଇ ସାରିଥିଲୁ।

ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ଜେଏନ୍‌ୟୁରେ ବାମପନ୍ଥୀ ଚିନ୍ତାଧାରାର ଶିକ୍ଷକମାନେ ରହୁଥିଲେ। ଛାତ୍ର ସଂସଦ ସଭାପତି ଗ୍ରାମାଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ସୁଯୋଗ ଦେବାକୁ ଦାବି କରିବା ସହ ନାମଲେଖା ପ୍ରକ୍ରିୟାକୁ ବଦଳାଇବା ପାଇଁ ଚେଷ୍ଟା କରୁଥିଲେ। ହେଲେ ତାଙ୍କୁ ବହିଷ୍କାର କରାଯାଇଥିଲା।

କେନ୍ଦ୍ର ସରକାର ଓ ବାମପନ୍ଥୀ ଶିକ୍ଷକମାନେ ମିଳିତ ଭାବେ ଏଭଳି ପଦକ୍ଷେପ ନେଇଥିଲେ। ୨୦୧୬ରେ ମଧ୍ୟ ଜେଏନ୍‌ୟୁରେ ସରକାରୀ ହକୁମାତି ଦେଖିବାକୁ ମିଳିଛି। ସରକାର ବିଶ୍ୱ ବିଦ୍ୟାଳୟରେ ନିଜର କ୍ଷମତା ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି। ଫଳରେ ଏଭଳି ଦେଶଦ୍ରୋହ ସମସ୍ୟା ସୃଷ୍ଟି ହୋଇଛି।”

By amfnews

Related Post