Sat. Mar 7th, 2026

ୟୁପିରେ ଏକ ହେବେ ଦାଦା ପୁତୁରା!

212 Views

ଲକ୍ଷ୍ନୌ: ନଭେମ୍ୱର ୨୨ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ। ଏହା ପୂର୍ବରୁ ପୁତୁରା ସହ ଥିବା ବିବାଦକୁ ଭୁଲି କୋଳେଇ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଶିବପାଲ ଯାଦବ। ଗତ ବିଧାନସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରେ ଯାଦବ ପରିବାରରେ ଦାଦା, ପୁତୁରା ମଧ୍ୟରେ ଯେଉଁ ଲଢ଼େଇ ଆରମ୍ଭ ହୋଇଥିଲା ତାହା ମୁଲାୟମଙ୍କ ଜନ୍ମଦିନ ଅବସରରେ ସମାପ୍ତ ହେବ ବୋଲି ଜଣାପଡ଼ିଛି। ପ୍ରଗତିଶୀଳ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ଏହା କହିଛନ୍ତି।

୨୦୨୨ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଯାଦବ ପରିବାର ଏକ ହେବା ଆବଶ୍ୟକ। ଏଥିସହ ପୁତୁରା ଅଖିଳେଶ ଯାଦବଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ପାଇଁ ରାଜି ବୋଲି ଶିବପାଲ ଯାଦବ କହିଛନ୍ତି। ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ସହ ପ୍ରଗତିଶାଳୀ ସମାଜବାଦୀ ମେଣ୍ଟ କରିବାକୁ ଚାହୁଁଛି ବୋଲି ଗଣମାଧ୍ୟମ ଜରିଆରେ ସେ ଅଖିଳେଶଙ୍କୁ ପ୍ରସ୍ତାବ ଦେଇଛନ୍ତି।

୨୦୨୨ରେ ସମାଜବାଦୀ ପାର୍ଟି ଓ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଯଦି ଏକ ହୋଇ ନିର୍ବାଚନ ଲଢ଼ିବେ ତାହେଲେ ସରକାର ଗଢ଼ିବେ ବୋଲି ଶିବପାଲ କହିଛନ୍ତି। ନଭେମ୍ୱର ୨୨ରେ ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ ରହିଛି। ଏହି ଅବସରରେ ସୌଫେଇରେ ଏକ ବଡ଼ ଆୟୋଜନ ହେବ ବୋଲି ସେ କହିଛନ୍ତି। ଘରର ମୁରବି ମୁଲାୟମ ତେଣୁ ତାଙ୍କ ଜନ୍ମଦିନରେ ଘରର ସଦସ୍ୟ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶିବପାଲ ଯାଦବ ଏବେ ସମାଜବାଦୀ ପାର୍ଟିରୁ ବିଧାୟକ ରହିଛନ୍ତି। ପୁତୁରା ତଥା ସମାଜବାଦୀ ପାର୍ଟିର ସଭାପତି ଅଖିଳେଶଙ୍କ ସହ ବିବାଦ ବଢ଼ିବାରୁ ଗତବର୍ଷ ସମାଜବାଦୀ ପାର୍ଟି ଛାଡ଼ି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଢ଼ି ଥିଲେ ଶିବପାଲ। ଏହାପରେ ସେ ଓ ତାଙ୍କ ଦଳର ନେତା ପ୍ରାର୍ଥୀ ହୋଇ ଲୋକସଭା ନିର୍ବାଚନରେ ଭାଗ ନେଇଥିଲା। ହେଲେ କୌଣସି ଆସନରେ ବିଜୟୀ ହୋଇ ପାରିନଥିଲେ। ଦଳ ବିରୋଧୀ ଆଇନ ଆଣି ସମାଜବାଦୀ ପାର୍ଟି ଶିବପାଲଙ୍କ ବିଧାୟକ ପଦବୀ ରଦ୍ଦ କରିବା ପାଇଁ ଆବେଦନ କରିଛି।

By amfnews

Related Post