Thu. Dec 26th, 2024

ହୋଟେଲ୍ ଲୁଟ୍ ଓ ଡକାୟତ ଦଳର ୪ ଗିରଫ

By amfnews Dec 13, 2018 #Featured
132 Views

ରାଉରକେଲା, ୧୩ା୧୨  : ସହରର ବିଭିନ୍ନ ସ୍ଥାନରେ ଡକାୟତି କରି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୪ ଜଣ ଡକାୟତଙ୍କୁ ରଘୁନାଥପାଲି ପୁଲିସ ଗିରଫ କରିଥିବା ସମ୍ପର୍କରେ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗତ ୧୯ ତାରିଖ ଜଲଦା ସି’ ବ୍ଲକ ଅଞ୍ଚଳରେ ଥିବା ମା’ ତାରିଣୀ ହୋଟେଲରେ କେତେକ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ହୋଟେଲ ମାଲିକ ରମେଶ ସାହୁଙ୍କୁ ପିସ୍ତଲ ଭୟ ଦେଖାଇ ୩୫ ହଜାର ଟଙ୍କା ସହ ଦୁଇଟି ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ । ଏ ସମ୍ପର୍କରେ ରମେଶ ଜଲଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ପୁଲିସ ଏହି ଡକାୟତ ଦଳକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କାଡ୍ ଗଠନ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ।

ରାଏବଗା ଅଞ୍ଚଳରୁ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଡକାୟତମାନେ ହେଲେ ବିନୋଦ ଟେଟେ (୨୮), ପ୍ରଦୀପ ଖାଲକୋ (୨୫), ଚନ୍ଦନ ନାୟକ (୨୬), ଜେଭିୟର ଟେଟେ (୩୦) । ଏହି ୪ ଜଣ ଡକାୟତଙ୍କ ମଧ୍ୟରୁ ବିନୋଦ ଟେଟେ ପିଏଲ୍ଏଫ୍ଆଇ ଦଳର ସଦସ୍ୟ ଥିବା ପୁଲିସ୍ ସୂଚନା ଦେଇଛି ।

ବିନୋଦ ପିଏଲ୍ଏଫ୍ଆଇକୁ ବିଭିନ୍ନ ସୂଚନା ଦେବା ସହ ପୁଲିସର ଗତିବିଧି ଉପରେ ସୂଚନା ଦେଇଥାଏ । ଗିରଫ ହୋଇଥିବା ଏହି ୪ ଜଣ ଡକାୟତଙ୍କ ନାମରେ ପୂର୍ବରୁ ରାଜଗାଙ୍ଗପୁର, କୁତ୍ରା, ବୀରମିତ୍ରପୁର, ବ୍ରାହ୍ମଣୀତରଙ୍ଗ, ରାଏବଗା ଆଦି ଥାନାରେ ବିଭିନ୍ନ ମାମଲା ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୩୫ ହଜାର ଟଙ୍କା ସହ ୨ଟି ଦେଶୀ ବନ୍ଧୁକ, ଗୋଟିଏ ଭୂଜାଲି, ୨ଟି ଲେଖାଏଁ ଅସ୍ତୁରା ଓ ବାଇକ୍ ପୁଲିସ୍ ଜବତ କରିଛି । ରଘୁନାଥପାଲି ଥାନା ଅଧିକାରୀ ସୋମନାଥ ଜେନା ଓ ବିଜୟ ଦାସଙ୍କ ସହ ଥାନାର ସମସ୍ତ କର୍ମଚାରୀ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

By amfnews

Related Post