Tue. Mar 4th, 2025

ହିଂସା ପଛରେ ଷଡ଼ଯନ୍ତ୍ର! : ପୂର୍ବ ପ୍ରସ୍ତୁତି କରି ଆସିଥିଲେ ଦୁର୍ବୃତ୍ତ

By amfnews Oct 5, 2018 #Featured
239 Views

ହିଂସା ସୃଷ୍ଟି ପାଇଁ ଦିଆଯାଇଥିଲା ୩୦ ପେଟି ନିଶା ବଟିକା

ପୁରୀ : ପୁରୀ ହିଂସାକାଣ୍ଡ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ଗନ୍ଧ ବାରିଛି ପୁଲିସ।  ମୁଖ୍ୟ ଖଳନାୟକ ଓ ଷଡ଼ଯନ୍ତ୍ରକାରୀଙ୍କୁ ଏବେ ଖୋଜା ଚାଲିଛି। ସହରରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ‌ରେ ଲିପ୍ତ ଥିବା ଓ ବିଭିନ୍ନ ଥାନାରେ ମାମଲା ଥିବା ପେ‌ସାଦାର ଅପରାଧୀଙ୍କୁ ପୁଲିସ ସ୍କାନର୍‌କୁ ନେଇଛି। କାହା ଇସାରା‌ରେ ଏତେ ବଡ଼ ଲଙ୍କାକାଣ୍ଡ ‌ଘଟିଲା ତାର କାରଣକୁ ଅନୁଧ୍ୟାନ କରୁଛି ପୁଲିସ। ପ୍ରଥମେ ଦୁର୍ବୃତ୍ତଙ୍କୁ ଧରିବା ପରେ ଷଡ଼ଯନ୍ତ୍ରକାରୀଙ୍କ ପାଖରେ ପହଞ୍ଚିବାକୁ ପୁଲିସ ‌ଯୋଜନା କରିଛି। ହିଂସାକାଣ୍ଡ ଭିଆଇବା ଲାଗି ଦୁର୍ବୃତ୍ତଙ୍କୁ ପ୍ରାୟ ୩୦ ପେଟି କୋରେକ୍ସ, ନିଶା ବଟିକା ଓ ମଦ ଦିଆଯାଇଥିବା ଚର୍ଚ୍ଚାକୁ ପୁଲିସ ଗୁରୁତ୍ବର ସହ ନେଇଛି। ହିଂସାର ପୂର୍ବ ଆକଳନ କରିପାରିନଥିବା ପୁରୀ ପୁଲିସକୁ ଷଡ଼ଯନ୍ତ୍ରକାରୀ ମାତ୍‌ ଦେବାରେ ସଫଳ ହୋଇଥିଲେ।

ପରିଣାମସ୍ବରୂପ ଗତକା‌ଲି ଯାହା ଘଟିଲା ତାହା ସମସ୍ତଙ୍କର କଳ୍ପନା ବାହାରେ ଥିଲା। ହଠାତ୍ ଅତର୍କିତ ଭ‌ାବେ କିଛି ଅସାମାଜିକ ଯୁବକ ମାଡି ଆସିଥିଲେ। ବଡଦାଣ୍ଡରେ ତାଣ୍ଡବ ରଚିଥିଲେ। ଆଖି ଆଗରେ ଯାହା ପଡ଼ିଲା ତାକୁ ଭାଙ୍ଗି, ଜାଳିପୋଡି ଚୂର୍‌ମାର୍‌ କରି ଦେଲେ। ଶ୍ରୀମନ୍ଦିର ଧାଡି ଦର୍ଶନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ‌ହୋଇଥିବା କେହି ଏତେ ବଡ କାଣ୍ଡକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଆନ୍ଦୋଳନ ଡାକରା ଦେଇଥିବା ଜଗନ୍ନାଥ ସେନାର ଏତେ ଲୋକ ଆସିଲେ କେଉଁଠୁ, କିଏ ସେମାନଙ୍କୁ ନିୟୋଜିତ କରିଥିଲା? ପୂର୍ବ ପ୍ରସ୍ତୁତି ମୁତାବକ ଦୁର୍ବୃତ୍ତ ପେଟ୍ରୋଲ, ଟାୟାର ସବୁ ମହଜୁଦ ରଖିଥିଲେ। ଅଧିକାଂଶ ଆନ୍ଦୋଳନକାରୀ ନିଶାଶକ୍ତ ଥିଲେ। ଏମାନଙ୍କୁ କିଏ ନିୟୋଜିତ କରିଥିଲା, ତାହା ବର୍ତ୍ତମାନ ପୁଲିସ ପାଇଁ ବଡ଼ ପ୍ରଶ୍ନ ଭାବେ ଠିଆ କରିଛି।

ହିଂସାକାଣ୍ଡ କେବଳ ଧାଡ଼ି ଦର୍ଶନ ପାଇଁ ହୋଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଗତ କିଛି ଦିନ ଧରି ପ୍ରଶାସନର କାର୍ଯ୍ୟକଳାପକୁ ନେଇ ଜନ ଆକ୍ରୋଶ ବଢିବାରେ ଲାଗିଥିଲା। ବାଇଶି ପାହାଚ‌ରେ ପିଣ୍ଡଦାନ କରୁଥିବା ବ୍ରାହ୍ମଣ, ଲୁଗାପଟି ସମ୍ମୁଖ ବଡ଼ଦାଣ୍ଡରେ ବ୍ୟବସାୟ  କରୁଥିବା ଉଠାଦୋକାନୀ, ସେବାୟତ ଅସନ୍ତୁଷ୍ଟ ଥିଲେ। ଅନ୍ୟପକ୍ଷରେ ଲୁଗାପଟି ପର୍ଯ୍ୟନ୍ତ ବ୍ୟାରିକେଡ଼ ପଡ଼ିବା ଯୋଗୁ ଶ୍ରୀମନ୍ଦିର ଚାରିକଡ଼ରେ ଥିବା ମୋବାଇଲ ଏବଂ ଜୋତା ଷ୍ଟାଣ୍ଡ ବ୍ୟବସାୟୀମାନଙ୍କର କ୍ଷତି ହୋଇଥିଲା। ଏହାକୁ ନେଇ ବ୍ୟବସାୟୀମାନେ ଅସନ୍ତୋଷ  ପ୍ରକଟ କରିଥିଲେ। ସମସ୍ତଙ୍କ ମନରେ ପ୍ରଶାସନ ଓ ପୁଲିସ ପ୍ରତି ଅସନ୍ତୋଷ ରହିଥିଲା। ତେବେ ଏତେ ସବୁ ଅସନ୍ତୋଷ ପରେ ଅସାମାଜିକଙ୍କୁ ଅର୍ଥ ଦେଇ ନିଶା ଖୁଆଇ ହିଂସା କରିବାକୁ ନିୟୋଜିତ କରାଯାଇଥିଲା। ପୁଲିସ ଏବେ କିଛି ଉଠା ବ୍ୟବସାୟୀଙ୍କ ସମେତ ନିଶାଖୋରଙ୍କୁ ତଦନ୍ତ ପରିସରକୁ ନେଇଛି।

By amfnews

Related Post