ନୂଆଦିଲ୍ଲୀ, ଜାନୁଆରୀ ୦୫ : ରାଫେଲ ବିମାନ କିଣା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ନିଜର ଆକ୍ରମଣ ଅବ୍ୟାହତ ରଖିଛି । ଆଜି ସରକାରଙ୍କ ତରଫରୁ ପ୍ରତିଆକ୍ରମଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ହାଲ ପାଇଁ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି । ସେ କହିଛନ୍ତି ଯେ ଭାରତୀୟ ବାୟୁସେନା ପାଇଁ ରାଫେଲ ବିମାନର ଆବଶ୍ୟକତା ରହିଛି ।
ଦେଶର ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ଡିଲ ଗୁଡିକ ଠିକ ସମୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ । କିନ୍ତୁ କଂଗ୍ରେସ ଜାଣିଶୁଣି ଏସବୁ ଡିଲକୁ ନେଇ ବିବାଦ ସୃଷ୍ଟି କରୁଛି । ସେ ସ୍ପଷ୍ଟ କରିଦେଇଛନ୍ତି ଯେ ହାଲ ଓ ଡସାଁ ଆଭିଏସନ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ କୌଣସି ମିଥ୍ୟା ତଥ୍ୟ ଦିଆଯାଇନାହିଁ ।
ଏହା ପୂର୍ବରୁ କଂଗ୍ରେସ ତରଫରୁ ଗୁଲାମନବୀ ଆଜାଦ, ମଲ୍ଲିକାର୍ଜୁନ ଖଡଗେ ଓ ରଣଦୀପ ସୂର୍ଯେଓ୍ଵାଲା ରାଫେଲ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଭିନ୍ନ ଦସ୍ତାବିଜ ରଖି ସେମାନେ ସରକାରଙ୍କୁ ଟାର୍ଗେଟ କରିଥିଲେ । ବୁଧବାରଦିନ ରାଫେଲ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାହୁଲ ଗାନ୍ଧୀଙ୍କୁ ଅଭିଯୋଗର ଜବାବ ଦେଇଥିଲେ ।