Sat. Mar 1st, 2025
277 Views

ଝାରସୁଗୁଡ଼ା,13 Jan. 2019: ବାରମ୍ବାର କନଫ୍ୟୁଜ୍‌ କରୁଛନ୍ତି ନବ। ଗତ ୧୧ ତାରିଖରେ ଭୁବନେଶ୍ବରରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମକୁ କହିଥିବା ବେଳେ ଆଜି କୋଲାବିରା ବ୍ଲକ ସମାସିଂହାରେ ୨୦୧୯ରେ ହାତ ନୁହେଁ ଶଙ୍ଖରେ ଲଢ଼ିବେ ବୋଲି ଏକ ସଭାରେ କହିବା ପରେ ଝାରସୁଗୁଡ଼ା ରାଜନୀତିରେ ପୁଣି ହଲଚଲ୍‌ ହୋଇଯାଇଛି। ନବ ଯଦି ବିଜେଡ଼ିକୁ ଯିବେ ସିଧା ସଲଖ ନଯାଇ ଏତେ ଦ୍ବନ୍ଦରେ ପକାଉଥିବାରୁ ସାରା ରାଜ୍ୟର ରାଜନୀତିରେ  ଉତ୍କଣ୍ଠା ବୃଦ୍ଧି ପାଉଛି। ନବ ବିଜେଡ଼ି ଯିବା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି ଯେଉଁ ରହସ୍ୟକୁ କେହି ଭେଦ କରି ପାରୁନାହାନ୍ତି। ନବ ମଧ୍ୟ ଏହି ରହସ୍ୟ ଗୋପନ ରଖିଛନ୍ତି।

ଗତ ଏକ ସପ୍ତାହ ଧରି ନବ ଜିଲ୍ଲାର ସବୁ ପଞ୍ଚାୟତର କଂଗ୍ରେସ କର୍ମୀଙ୍କୁ ଡ଼ାକି ବିଚାର ବିମର୍ଶ କରିଥିଲେ। ନବ ବିଜେଡ଼ିରେ ଯୋଗ ଦେବାର ଏକ ପ୍ରକାର ଚୁଡ଼ାନ୍ତ ହୋଇ ଯାଇଛି। ଆସନ୍ତା ୨୪ ତାରିଖ ଦିନ ଏଥି ପାଇଁ ଦିନ ଧାର୍ଯ୍ୟ ହୋଇ ସାରିଛି । ମୁଖ୍ୟମନ୍ତ୍ରୀ ଏହି ଦିନ ଝାରସୁଗୁଡ଼ା ଆସି ଅମଲିପାଲି ଠାରେ ଏକ ସଭାରେ ଉଦବୋଧନ ଦେବା ସହିତ ନବଙ୍କୁ ଦଳରେ ସାମିଲ ହୋଇଥିବା ନେଇ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ମୁଖ୍ୟମନ୍ତ୍ରୀ ୧୫୦ ରୁ ୩ ଶହ ‌କୋଟି ଟଙ୍କାରେ କ୍ୟାନସର ହସପିଟାଲ, ୩ ଶହରୁ ୫ ଶହ କୋଟି ଟଙ୍କାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବେଦାନ୍ତ ସହାୟତାରେ ଆଧୁନିକ ଡାଇଗ୍ନ‌ୋଷ୍ଟିକ ଓ ପାଥୋଲୋଜିଷ୍ଟ ସେଣ୍ଟର, ୫୦ ରୁ ଶହେ କୋଟି ଟଙ୍କରେ ଚୌକିପଡ଼ା ରେଳ ଓଭର ବ୍ରିଜ୍‌ ପ୍ରକଳ୍ପର ଶୁଭାରମ୍ଭ କରିବେ.

ଏହି ସଭାରେ ୫୦ ହଜାରରୁ ଅଧିକ ଲୋକ ଯୋଗ ଦେବା ପାଇଁ ନବଙ୍କ ତତ୍ବାବଧାନରେ ବ୍ଲୁ ପ୍ରିଣ୍ଟି ପ୍ରସ୍ତୁତି ସରି ଯାଇଛି। ନବ ଅତ୍ୟନ୍ତ ଈଶ୍ବର ଭକ୍ତ ହୋଇଥିବାରୁ ସେ ବିଜେଡ଼ିରେ ଯୋଗ ଦେବା ପୂର୍ବରୁ ନାସିକର ତ୍ରୈୟମ୍ବକେଶ୍ବର ମନ୍ଦିର, ସନି ସିଂଘନପୁର, କଲିକତାର ତାରାପୀଠ, ଆସାମର କାମାକ୍ଷାଦେବୀ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ଫେରି ଆସିଛନ୍ତି। ୨୪ ତାରିଖ ବିଜେଡ଼ିରେ ଯୋଗ ଦେବା ନେଇ ନବଙ୍କ ମତାବତ ନେବାରୁ ସେ ଏହାକୁ ସ୍ବୀକାର କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସୂଚନା ମଧ୍ୟ ଦେଇଥିଲେ। ତେବେ ସେ କଂଗ୍ରେସ ଦଳ ଛାଡ଼ି କାହିଁକି ବିଜେଡ଼ିରେ ଯୋଗ ଦେଉଛନ୍ତି ବୋଲି ପଚାରିବାରୁ ସେ କହିଲେ ଯେ, ଲୋକ ଚାହୁଁଛନ୍ତି ମୁଁ ବିଜେଡ଼ିରେ ଯୋଗ ଦେଇ ୨୦୧୯ ନିର୍ବାଚନ ଲଢ଼େ ବୋଲି । ତେବେ କଂଗ୍ରେସ ଦଳ‌ରେ ମୋର କୌଣସି  ମତାନ୍ତର କିମ୍ବା ମନାନ୍ତର ନାହିଁ। ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ତାଙ୍କର ଗଭୀର ସମ୍ମାନ ରହିଥିବା ସେ କହିଛନ୍ତି।

By amfnews

Related Post