ଡାକ୍ତରଙ୍କ ପୁଅକୁ ମେଡିକାଲ୍ କଲେଜରେ ନାମ ଲେଖାଇଦେବା କହି ୨୫ ଲକ୍ଷ ନେଇଥିଲା
ଖୋର୍ଧା : ବିଭିନ୍ନ ଉପାୟରେ ବଡ଼ ବଡ଼ିଆଙ୍କୁ ଠକି ସେମାନଙ୍କର କାମ କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ଏମବିଏ ଡିଗ୍ରିଧାରୀ ହାଇପ୍ରୋଫାଇଲ୍ ଠକକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ସ୍ୱର୍ଗତ ଅଜୟ ଚନ୍ଦ୍ର ଦାସଙ୍କ ପୁଅ ପ୍ରଦୋଷ ଦାସ(୪୩) ବୋଲି ଜଣାପଡ଼ିଛି। ଗିରଫ ସମୟରେ ପ୍ରଦୋଷଠାରୁ ଜନୈକ ଭବାନୀ ପଣ୍ଡା ଦେଇଥିବା ୮୪ ଲକ୍ଷ ଟଙ୍କାର ଏକ ଚେକ୍ ସହ ୪୦ ଲକ୍ଷ ଟଙ୍କା ମୁଲ୍ୟର ସାମଗ୍ରୀ ଜବତ କରାଯାଇଛି।
ସୂୁଚନାନୁଯାୟୀ, ପ୍ରଦୋଷ ଏମବିଏ ସାରି ଇନଫୋସିସରେ କାମ କରୁଥିବା ବେଳେ ଅଳ୍ପ ବେତନ ପାଇ ଅସନ୍ତୁଷ୍ଟ ଥିଲେ। ଅଧିକ ଅର୍ଥ ଉପାର୍ଜନ ପାଇଁ ସେ ବିଭିନ୍ନ ମେଡିକାଲ କଲେଜରେ ପଢ଼ିବାକୁ ଚାହୁଥିବା ଆଶାୟୀଙ୍କୁ ସେ ଜାଲରେ ପକାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଫସି ଯାଇଥିଲେ କଟକ ମର୍କତ ନଗର ସିଡିଏରେ ରହୁଥିବା ଡା.ତ୍ରିଲୋଚନ ବାରିକ। ନିଜ ପୁଅକୁ ଡାକ୍ତରୀ ପଢ଼ାଇବାକୁ ଡା. ଇଛୁକ ଥିବା ଜାଣି ପାରି ପ୍ରଦୋଷ ଥୋପ ପକାଇଥିଲା। ବାଙ୍ଗାଲୋର ସ୍ଥିତ ସେଣ୍ଟ ଜୋନ୍ସ ଏକାଡେମି ଅଫ୍ ମେଡିକାଲ ସାଇନ୍ସରେ ନାଁ ଲେଖାଇଦେବାକୁ ୨୫ ଲକ୍ଷ ପଡ଼ିବ ବୋଲି ପ୍ରଦୋଷ କହିଥିଲେ। ଏଥିରେ ଭରସା କରି ଡା. ବାରିକ ପ୍ରଦୋଷର ଖୋର୍ଧା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଥିବା ଜମାଖାତାକୁ ୪ଟି କିସ୍ତିରେ ୨୪ ଲକ୍ଷ ୨୫ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ଏହା ପରେ ପ୍ରଦୋଷ ସେଣ୍ଟ ଜୋନ୍ସ ମେଡିକାଲ କଲେଜର ଏକ ଚିଠି ଡାକ୍ତରଙ୍କୁ ମେଲ ମାଧ୍ୟମରେ ପଠାଇଥିଲେ। ମାତ୍ର ପରେ ତାହା ନକଲି ଚିଠି ଥିବା ଡା. ବାରିକ ସ୍ପଷ୍ଟ ହୋଇ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ। ଫଳରେ ସେ ଖୋର୍ଧ ଟାଉନ ଥାନାରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ।