Sun. Mar 8th, 2026

ହରଡ଼ବାଡ଼ି ଗ୍ରାମରେ କିଡନି ରୋଗ ଆତଙ୍କ, ବର୍ଷକରେ ଗଲାଣି ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ

170 Views

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ହଦଗଡ଼ ପଞ୍ଚାୟତ ହରଡ଼ବାଡ଼ି ଗ୍ରାମରେ କିଡନି ରୋଗର ଆତଙ୍କ। ବର୍ଷେ ଭିତରେ ଏହି ରୋଗରେ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏବେ ୧୦ରୁ ଊର୍ଦ୍ଧ୍ବ ଲୋକେ କିଡନି ରୋଗରେ ଆକ୍ରାନ୍ତ ହୋଇଛନ୍ତି।

ହରଡ଼ବାଡ଼ି ଗ୍ରାମରେ କିଛିବର୍ଷ ହେଲା ବ୍ୟାପିଛି କିଡନି ରୋଗ। ବହୁ ସଂଖ୍ୟାରେ ଲୋକେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଲୋକଙ୍କୁ ଜ୍ୱର ହେଉଛି। କିଛିଦିନ ପରେ ସେମାନେ କିଡନି ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗ୍ରାମର ବିକାନ ବାସ୍କେ (୩୪) ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା। ବାଟରେ ସେ ପ୍ରାଣ ହରାଇଛନ୍ତି।

ସେହିପରି ବର୍ଷକ ମଧ୍ୟରେ ଗ୍ରାମର କୁଆଁର ସୋରେନ (୪୫), ମାଟ୍ରା ହେମ୍ବ୍ରମ (୪୦), କୁଆଁର ମୁର୍ମୁ (୩୫), ମୁନିରାମ କିସ୍କୁ (୫୦), ଚୈତନ୍ୟ ମୁର୍ମୁ (୪୩), ରାନୁ ହାଁସଦା (୩୨), ସୁଦାମ ମୁର୍ମୁ (୪୮), ଘନଶ୍ୟାମ ବେଶ୍ରା (୩୩), କାର୍ତ୍ତିକ ମୁର୍ମୁ (୩୭), ମୋତିରାମ ସୋରେନ (୪୦), ରୂପେଇ କିସ୍କୁ (୪୫), ସୁନାରାଇ ହେମ୍ବ୍ରମ (୪୧), ତାନସିଂ ମାରାଣ୍ଡି (୪୮), ବୁଦ୍ଧିରାମ ମୁର୍ମୁ (୩୯), ନାରଣ କିସ୍କୁ (୪୨), ଦୁର୍ଗା ମୁର୍ମୁ (୪୯), ଟୁନୁ ମୁର୍ମୁ (୩୨)ଙ୍କ କିଡିନି ରୋଗରେ ମୃତ୍ୟୁ ଘଟିଛି। ଏହାଛଡ଼ା ଗ୍ରାମର ଦୀନବନ୍ଧୁ ମାଝୀ, କାଶୀରାମ କିସ୍କୁ, କାରମି ହାଁସଦା, ଦୁଗାର ଟୁଡୁ, ବାସନ୍ତି ହାଁସଦା, ଲମ୍ବୋଦର କିସ୍କୁ, ପାଣ୍ଡବ ମାରାଣ୍ଡି ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଗ୍ରାମରେ ୬ଟି ନଳକୂଅ ଅଛି। ସେଥିରୁ ୪ଟିରେ ଆଇରନଯୁକ୍ତ ପାଣି ବାହାରୁଛି। ସେହିପରି ଆଦିବାସୀ ସମ୍ପ୍ରଦାୟର ଏହି ଲୋକମାନେ ମହୁଲି ମଦ ପିଇଥାନ୍ତି। ମଦରେ କିଛି ରସାୟନିକ ପଦାର୍ଥ ମିଶୁଛି। ଆଇରନଯୁକ୍ତ ପାଣି ଓ ମହୁଲି ମଦରେ ମିଶୁଥିବା ରସାୟନିକ ପଦାର୍ଥ କିଡନି ରୋଗର ମୂଳ କାରଣ ବୋଲି କୁହାଯାଉଛି। ସେହିପରି ଜ୍ବରରେ ଆକ୍ରାନ୍ତ ହେବା ପରେ ଲୋକେ ସ୍ଥାନୀୟ ବଜାରରୁ ଔଷଧ ଆଣି ଖାଇଥାନ୍ତି। ‌ଜ୍ବର ଭଲ ହୋଇନଥାଏ। ଏହାପରେ ସେମାନେ ଟାଇଫଏଡ୍‌ ଓ ଶେଷରେ କିଡନି ରୋଗର ଶିକାର ହେଉଛନ୍ତି ବୋଲି ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁ କହିଛନ୍ତି। ସ୍ଥାନୀୟ ବଜାରରେ ମଳୁଥିବା ଔଷଧର ମାନ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏନେଇ ସେ ଜିଲ୍ଲା ପରିଷଦ ବୈଠକରେ ଦୁଇଦୁଇ ଥର ସିଡିଏମ୍‌ଓଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଦଳ ହରଡ଼ବାଡ଼ି ଗ୍ରାମକୁ ଯାଇ ରୋଗର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post