Fri. Mar 6th, 2026

ହଟ୍‌ସ୍ପଟ୍‌ ମୁହାଁ ଓଡ଼ିଶା! ସଂକ୍ରମଣ ହାର ବଢ଼ୁଛି

331 Views

ଭୁବନେଶ୍ବର : ଜୁନ୍ ପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସଂକ୍ରମଣ ହାର ବେଶ୍ ସନ୍ତୋଷଜନକ ଥିଲା। କିନ୍ତୁ ଜୁଲାଇ ଆରମ୍ଭରୁ ସ୍ଥିତି ଅଧିକ ବିପଜ୍ଜନକ ହେଉଥିବା ଦେଖାଯାଉଛି। ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ହାର ଜାତୀୟ ହାରଠାରୁ ଢେର୍‌ ଉପରକୁ ଚାଲିଗଲାଣି।

ଜାତୀୟ ସ୍ତରରେ ଦୈନିକ ସଂକ୍ରମଣ ବୃଦ୍ଧି ହାର ୨.୮୫% ଥିଲା ବେଳେ ଓଡ଼ିଶା କ୍ଷେତ୍ରରେ ଏହା ୫.୪୩ % ରହିଛି। ଅନ୍ୟପକ୍ଷରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆରରେ ମଧ୍ୟ ଦ୍ରୁତ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ସଂକ୍ରମଣ ହାର ୯.୧୭% ରେକର୍ଡ କରାଯାଇଛି। ଆହୁରି ସ୍ପଷ୍ଟ କରି କହିଲେ, ରାଜ୍ୟରେ ଆଜି ଦିନରେ ପ୍ରାୟ ୧୧ଟି ନମୁନାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯଦିଓ ଦେଶରେ ଏବେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ଜାତୀୟସ୍ତରରେ ଟିପିଆର୍‌ ୯.୫% (ଆଜି ଦିନରେ) ରହିଛି। ତେବେ ଆଜି ପର୍ଯ୍ୟନ୍ତ ଯେତେ ପରୀକ୍ଷା ହୋଇଛି, ଯଦି ତାକୁ ବିଚାରକୁ ନିଆଯିବ, ତେବେ ରାଜ୍ୟରେ ଏବେ ୨୮ଟି ନମୁନାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଥିବା ପରିସଂଖ୍ୟାନ କହୁଛି। ଗତ ଏପ୍ରିଲ ଶେଷ ଆଡ଼କୁ ୨୦୦ରୁ ଅଧିକ ନମୁନାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଥିଲେ।

ରାଜ୍ୟ‌ ସରକାରଙ୍କ ପକ୍ଷରୁ ଏବେ ଘରକୁ ଘର ବୁଲି କ‌ରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଥିବାରୁ ସଂକ୍ରମଣ ହାରରେ ବୃଦ୍ଧି ଘଟିଥିବା କୁହାଯାଉଛି। ହେଲେ ଆସାମ ଓ ଆନ୍ଧ୍ର ଭଳି ରାଜ୍ୟର ବହୁ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା କରାଯାଉଥିବାରୁ ସେସବୁ ରାଜ୍ୟରେ ୩୬ ଓ ୪୮ଟି ନମୁନାରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଅନ୍‌ଲକ୍-୨ ପରେ ଓଡ଼ିଶା ହଟସ୍ପଟ୍‌ରେ ପରିଣତ ହେଉଛି ବୋଲି ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଉଛି, ଏସବୁ ପରିସଂଖ୍ୟାନ ଏହି ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କଲାଣି।

ବିଶେଷଜ୍ଞଙ୍କ କହିବା ମୁତାବକ ଅଧିକ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା କରାଗଲେ ପଜିଟିଭ୍ ସଂଖ୍ୟା ବଢ଼ିବ। ତେବେ ଏହି ପରୀକ୍ଷା ରୢାଣ୍ଡମ୍ ବଦଳରେ କେବଳ କରୋନା ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ହିଁ ପରୀକ୍ଷା ହେଉଛି। ରାଜ୍ୟରେ ଗତ ଜୁନ୍ ମାସରେ ଯଥେଷ୍ଟ କମ୍ ସଂଖ୍ୟକ ପରୀକ୍ଷା କରାଯାଉଥିଲା। ତେବେ ଜୁଲାଇ ଆରମ୍ଭରୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ ଆଇସିଏମ୍‌ଆର ପକ୍ଷରୁ ରାଜ୍ୟମାନଙ୍କୁ ପରୀକ୍ଷା ବଢ଼ାଇବା ଲାଗି କୁହାଯାଇଥିଲା। ରାଜ୍ୟ ସରକାର ଏବେ କୋଭିଡ ପରୀକ୍ଷା ସଂଖ୍ୟାରେ ବୃଦ୍ଧି କରିଛି। ଏପରିକି ଦୈନିକ ସାଢ଼େ ୬ ହଜାର ପରୀକ୍ଷା କରିବା ଲାଗି ସରକାର ଏକପ୍ରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଅପରପକ୍ଷରେ ରାଜ୍ୟରେ ଏବେ ୨୯ଟି କୋଭିଡ ପରୀକ୍ଷାଗାରକୁ ଆଇସିଏମ୍‌ଆର ପକ୍ଷରୁ ଅନୁମତି ଦିଆଯାଇଛି। ଏଥିରେ ୨୨ଟି ସରକାରୀ ପରୀକ୍ଷାଗାର ଥିବା ବେଳେ ୭ଟି ଘରୋଇ ପରୀକ୍ଷାଗାର ରହିଛି। ଏହାସହ ରାଜ୍ୟ ସରକାର ଘରୋଇ ପରୀକ୍ଷାଗାରରେ ନିଜର ‌କୋଭିଡ ପରୀକ୍ଷା କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ୨୨ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି।

By amfnews

Related Post