ଭୁବନେଶ୍ୱର, ନଭେମ୍ବର ୨୯ : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ୨୦୧୮ ହକି ବିଶ୍ୱକପ୍। ପ୍ରଥମ ଦିନର ପ୍ରଥମ ମ୍ୟାଚ୍ରେ ବେଲଜିୟମ ଅପେକ୍ଷାକୃତ ଦୁର୍ବଳ କ୍ୟାନାଡାକୁ ୨-୧ରେ ପରାସ୍ତ କରିଦେଇଛି।
ଆଜିର ମ୍ୟାଚ୍ ଆରମ୍ଭରୁ ହିଁ ବେଲଜିୟମ କ୍ୟାନାଡା ଉପରେ ଚାପ ସୃଷ୍ଟି କରିଥିଲା। ବିଶ୍ୱକପ୍ର ପ୍ରଥମ ଗୋଲ ବେଲଜିୟମ ମ୍ୟାଚ୍ର ୩ ମିନିଟ୍ରେ ହାସଲ କରିଥିଲା। ବେଲଜିୟମର ଟମ୍ ବୋନ୍ ଦେଇଥିବା ଏକ ପାସ୍କୁ ଅତି ଚମତ୍କାର ଢଙ୍ଗରେ ଫେଲିକ୍ସ ଡେନାୟେର ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ।
ଏହାପରେ ମ୍ୟାଚର ୨୨ ତମ ମିନିଟରେ ବେଲଜିୟମ ଅଧିନାୟକ ଥୋମାସ ବ୍ରିଲେସ୍ କ୍ୟାନାଡା ଗୋଲପୋଷ୍ଟକୁ ବଲ୍ ମାରି ଦଳକୁ ୨-୦ରେ ଆଗୁଆ କରିଦେଇଥିଲେ। ୨-୦ରେ ପଛରେ ଥିବା କ୍ୟାନାଡା ଘନଘନ ଆକ୍ରମଣ କରିଥିଲେ ହେଁ ତୃତୀୟ କ୍ୱାର୍ଟରେ କୌଣସି ସୁଫଳ ପାଇନଥିଲା।
କିନ୍ତୁ ଦଳ ମ୍ୟାଚ୍ର ୪୭ ମିନିଟ୍ରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହାକୁ ମାର୍କ ପିୟରସନ୍ ଗୋଲ୍ରେ ପରିଣତ କରି ସ୍ଥିତି ୨-୧କୁ ଆଣିଥିଲେ। ଏହାପରେ ବେଲଜିୟମ ବେଶ ରକ୍ଷଣାତ୍ମକ ଢଙ୍ଗର ଖେଳ ପ୍ରଦର୍ଶନ କରିଥିଲା। ଶେଷରେ ଦଳ ମ୍ୟାଚ୍ଟିକୁ ୨-୧ରେ ଜିତି ନେବା ସହ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି।