Fri. Dec 27th, 2024

ହକି ପାଇଁ ଦୌଡିଲା ରାଉରକେଲା ମିନି ମାରାଥନରେ ଶହ ଶହ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

By amfnews Nov 26, 2018 #Featured
203 Views

ରାଉରକେଲା, ୨୬ା୧୧ : ହକି ବିଶ୍ୱ କପ୍ ଉଦ୍ଘାଟନ ପୂର୍ବରୁ ରାଉରକେଲାରେ ଆୟୋଜିତ ହୋଇଯାଇଛି ମିନି ମାରାଥନ । ହକିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଶ୍ୱକପ୍ ମେଗା ଇଭେଣ୍ଟ ଆୟୋଜନ କରୁଥିବା ବେଳେ ତାକୁ ସଫଳ କରିବା ଓ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ଏହି ମିନି ମାରାଥନର ଆୟୋଜନ କରାଯାଇଥିଲା । ଉଭୟ ପୁରୁଷ ଓ ମହିଳା ବର୍ଗରେ ୫ ଶହ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ମିନି ମାରାଥନ ଆଜି ସକାଳ ୮ଟା ବେଳେ ୧୩ ନମ୍ବର ମେଲଣ ପଡିଆ ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତିଯୋଗୀମାନେ ଛେଣ୍ଡ ଛକ, ହନୁମାନ ବାଟିକା ଛକ ହୋଇ ଦୀର୍ଘ ୫ କିଲୋମିଟର ରାସ୍ତା ଅତିକ୍ରମ କରି ଉଦିତନଗର ପ୍ୟାରେଡ ପଡିଆ ଠାରେ ପହଞ୍ôଚଥିଲେ ।

ଉଭୟ ପୁରୁଷ ଓ ମହିଳା ବର୍ଗରେ ମୋଟ ୧୬ ଜଣ କୃତି ପ୍ରତିଯୋଗୀଙ୍କୁ ଉଦିତନଗର ପ୍ୟାରେଡ୍ ପଡିଆରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ପଦକ ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ପୁରୁଷ ବର୍ଗରେ ଜଗନ୍ନାଥ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁମନ୍ତ ମେହେର ପ୍ରଥମ ରନର୍ସଅପ୍ ଓ ସୋମିଲ ଓରାମ ଦ୍ୱିତୀୟ ରନର୍ସଅପ୍ ଭାବେ ବିବେଚିତ ହୋଇଥିଲେ । ସେହିପରି ସୋମୋ ଟପ୍ପୋ, ସୁରଜ ଠାକରୁ, ଦୀପକ ଲାକ୍ରା, ଅଭିଜିତ ମହାନ୍ତ ଏବଂ ରୋହିତ କୁମାରଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଥିସହିତ ମହିଳା ବର୍ଗରେ ମମତା କିଣ୍ଡୋ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିକିତା ଟପ୍ପୋ ପ୍ରଥମ ରନର୍ସଅପ୍ ଓ ସରସ୍ୱତୀ ଓରାମ ଦ୍ୱିତୀୟ ରନର୍ସଅପ୍ ଭାବେ ବିବେଚିତ ହୋଇଥିଲେ । ସେହିପରି ମନିଷା ମିଞ୍ଜ, କାବେରୀ ଭୂୟାଁ, ମେରୀ କାଣ୍ଡୁଲନା, ସୁମିତା କେର୍କେଟା ଓ ସୁମନ ହେମ୍ବ୍ରମଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଭୟ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧୦ ହଜାର, ପ୍ରଥମ ରନର୍ସଅପ୍ଙ୍କୁ ୭ ହଜାର, ଦ୍ୱିତୀୟ ରନର୍ସଅପ୍ଙ୍କୁ ୫ ହଜାର ଏବଂ ୫ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ୩ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

୧୩ ନମ୍ବର ମେଲଣ ପଡିଆ ଠାରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସ୍ମାର୍ଟସିଟି ସିଇଓ ତଥା ରାଉରକେଲା ମହାନଗର ନିଗମ କମିଶନର ରଶ୍ମିତା ପଣ୍ଡା, ଅର୍ଜୁନ ପୁରସ୍କାର ପ୍ରାପ୍ତ ଆଥଲେଟ୍ ମିନତୀ ମହାପାତ୍ର, ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଷମା ବିଲୁଙ୍ଗ ପତାକା ହଲାଇ ଏହି ମିନି ମାରାଥନର ଆରମ୍ଭ କରିଥିଲେ । ସମସ୍ତ ଅତିଥିମାନେ ନିଜ ନିଜ ଉଦ୍ବୋଧନରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ହକି ବିଶ୍ୱକପ୍କୁ ଉପଭୋଗ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଏଥିସହିତ ଅତିଥିମାନେ ରାଉରକେଲାକୁ ଏକ ସ୍ପୋର୍ଟସ୍ ହବ୍ରେ ପରିଣତ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରିବା ଲାଗି ନିବେଦନ କରିଥିଲେ । ସେହିପରି ଉଦିତନଗରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିମାନେ ପଦକ ଓ ମାନପତ୍ର ସହ ପୁରସ୍କାର ରାଶି କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଦାନ କରିଥିଲେ ।

ସମଗ୍ର କାର୍ଯ୍ୟକ୍ରମକୁ ବିଜୁ ଯୁବବାହିନୀର ସଂଯୋଜକ ବିକ୍ରମ କେଶରୀ ନାୟକ ସଂଯୋଜନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଏବଂ ମହାନଗର ନିଗମ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ । ସେହିପରି ଆଜି ରାଉରକେଲା ମହାନଗର ନିଗମର ପ୍ରତିଟି ୱାର୍ଡ ସ୍ତରରେ ମଧ୍ୟ ବିଜୁ ଯୁବ ବାହିନୀ ପକ୍ଷରୁ ହକି ପାଇଁ ଦୌଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖ ଦିନ ହକି ବିଶ୍ୱକପ୍ର ଉଦ୍ଘାଟନୀ ସମାରୋହ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଉପଭୋଗ କରିବା ପାଇଁ ଉଦିତନଗର ପ୍ୟାରେଡ୍ ପଡିଆଠାରେ ଜନସାଧାରଣଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ସାଧାରଣ ଜନତା ଉଦ୍ଘାଟନୀ ସମାରୋହର ସିଧା ପ୍ରସାରଣ ଦେଖିପାରିବେ । ସନ୍ଧ୍ୟା ୫ଟା ବେଳେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । କେବଳ ସେତିକି ନୁହେଁ, ମହାନଗର ଅଞ୍ଚଳରେ ଥିବା ସମସ୍ତ ୱାର୍ଡରେ ମଧ୍ୟ ଏହି ସିଧା ପ୍ରସାରଣ ଦେଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

By amfnews

Related Post