Sun. Nov 24th, 2024

ସ୍ୱାସ୍ଥ୍ୟସେବା ନେଇ ଯେତେ ଯୋଜନା କାହାପାଇଁ ? କାନ୍ଦୁଛି ଅନାବିଳ ଦାମ୍ପତ୍ୟ

By amfnews Jan 3, 2019 #Featured
747 Views

ଯାଜପୁର:  ଅନେକ କ୍ଷେତ୍ରରେ ପତ୍ନୀ ନିର୍ଯ୍ୟାତନା ନେଇ ଅଦ୍ଭୁତ ଘଟଣା ଘଟୁଛି । ହେଲେ ଜଣେ ରୋଗୀଣା ସ୍ତ୍ରୀକୁ ଆବଶ୍ୟକ ଚିକିତ୍ସା ସେବା ନମିଳିବା ନେଇ ସ୍ୱାମୀଙ୍କ କୋହ ମଣିଷ ପଣିଆ ଥିବା ପ୍ରତିଟି ମଣିଷର ବୁକୁ ଥରାଇ ଦେବ । ଗୋଟିଏ ପଟରେ ଏହା ପବିତ୍ର ଏବଂ ଅନାବିଳ ଭାରତୀୟ ଦାମ୍ପତ୍ୟର ସଂକେତ ହୋଇଥିବା ବେଳେ ଅନ୍ୟ ପଟରେ ସରକାରଙ୍କ ସ୍ୱାସ୍ଥ୍ୟସେବା ନେଇ ହୋଇଥିବା ଯୋଜନାର ବାସ୍ତବ ରୂପର ଦୃଷ୍ଟାନ୍ତ ସାଜିଛି ।

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଣ୍ଟିଆ ଗ୍ରାମର ଅନାଦି ଓଝାଙ୍କ ପତ୍ନୀ ଅନୂସୟା ଓଝା ଲିଭର କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅନାଦି ବି.ପି.ଏଲ ତାଲିକାଭୁକ୍ତ ପରିବାର ଏବଂ ତାଙ୍କର ମଧ୍ୟ ରାସନକାର୍ଡ ରହିଛି । ଅନାଦିଙ୍କର ଭୂଇଁରେ ଗାର ଟାଣିବାକୁ ବି ଜମି ନାହିଁ । ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର କଟକରେ ପ୍ରଥମେ ଚିକିତ୍ସା ପରେ ସେଠାରେ ଆବଶ୍ୟକ ହେଉଥିବା ଚିକିତ୍ସା ପାଇଁ ସୁଯୋଗ ନଥିବାର କୁହାଗଲା । ଏହାପରେ ଭିକ୍ଷାମାଗି ଗରୀବ ଅନାଦି ତାଙ୍କର ସ୍ତ୍ରୀକୁ ଚିକିତ୍ସା ପାଇଁ ପଣ୍ଡା ମେଡିକାଲରେ ଭର୍ତ୍ତି କଲେ । ସେଠାରେ ମଧ୍ୟ ଅସ୍ତ୍ରୋପଚାର କରାନଯାଇ ରାଜ୍ୟ ବାହାରର ହସ୍ପିଟାଲରେ ଆସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦିଆଗଲା । ହେଲେ ଅନାଦିଙ୍କ ପାଖରେ ଏଥିପାଇଁ ଆବଶ୍ୟକ ଅର୍ଥ ନାହିଁ ।

ଅନାଦି କହିଛନ୍ତି ଯେ, ମୋ ସ୍ତ୍ରୀ ଦିନକୁ ଦିନ ରୁଗଣ ହୋଇପଡୁଛି । ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟକୁ ତିନି ତିନି ଥର ଯାଇ ନିରାଶ ହୋଇ ଫେରିଲି । ଟଙ୍କାଟିଏ ସାହାର୍ଯ୍ୟ ମିଳିଲାନି । ଦିନରେ ଖାଇ ପାରୁନି କି ରାତିରେ ଶୋଇ ପାରୁନି । ମୋ ସ୍ତ୍ରୀ କିଛି ଘଟିଗଲେ ମୋ ପରିବାର ଭାସିଯିବ । ମୁଁ କଣ କରିବି, ମୋତେ କିଛି ବାଟ ଦେଖାଯାଉ ନାହିଁ । ମୋ ସ୍ତ୍ରୀ ବିନା ମୁଁ ମରିଯିବି ।

ସରକାର ଏତେ ଯୋଜନା କରିଥିବା ବେଳେ ମୋ ସ୍ତ୍ରୀ ପରି ଗରୀବ ଯଦି ଅର୍ଥାଭାବରୁ ଚିକିତ୍ସା ସେବା ନପାଇ ମରିଯିବ ତେବେ ଯୋଜନା କାହା ପାଇଁ? ମୋ ସ୍ତ୍ରୀ ଜୀବନ ବଂଚାଇବା ପାଇଁ ସରକାର ପଦକ୍ଷେପ ନେବାକୁ ଆକୁଳ ନିବେଦନ କରିଛନ୍ତି ଅନାଦି । ତେବେ କ୍ୟାନସର ରାକ୍ଷାସ କବଳରୁ ମାନବ ସମାଜରୁ ରକ୍ଷା କରିବା ପାଇଁ ସରକାର ବହୁ ଯୋଜନା କରୁଥିବା ବେଳେ ଏହି ରୋଗରୁ ମୁକ୍ତି ପାଇଁ ମାଗଣାରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ବାସ୍ତବତା ମଧ୍ୟ ଏଥିରୁ ପ୍ରମାଣିତ ହେଉଛି । ଏଥିନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଷ୍ଟି ପଡିବାକୁ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ନିବେଦନ କରିଛନ୍ତି ।

By amfnews

Related Post