Wed. Nov 20th, 2024

ସ୍ୱାଭିମାନ ଅଞ୍ଚଳରେ ୧୨ କୋଟି ଟଙ୍କା ବ୍ୟୟରେ ୩୩ କେଭି ର ସବଷ୍ଟେସନ ନିର୍ମାଣ ହେବ।

By amfnews Sep 7, 2018
250 Views

ଦୀର୍ଘ ୫୫ ବର୍ଷର ଅନ୍ଧକାର ଜୀବନ ଆଲୋକିତ ହେବ।
ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ମାଲକାନଗିରି ଜିଲ୍ଲା ଏବେବି ଅନ୍ଧକାର।ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ୩ ମାସ ସ୍ୱାଭିମାନ ଅଞ୍ଚଳବାସ ଅନ୍ଧାର ମଧ୍ୟରେ କାଟନ୍ତି।ଏହି ଅସୁବିଧାକୁ ଦୂର କରିବା ପାଇଁ ଏକ ସବଷ୍ଟେସନ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
୧୨ କୋଟି ଟଙ୍କା ବ୍ୟୟରେ ଏକ ୩୩ କେଭି ବିଦ୍ୟୁତ୍ ସବଷ୍ଟେସନ ନିର୍ମାଣ ପାଇଁ ଘୋଷଣା ସରିଛି।ଏନେଇ ବିଛିନ୍ନାଞ୍ଚଳରେ ସ୍ଥାନ ସ୍ଥିର କରିବା ସହ ସର୍ଭେ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।
ବିଦ୍ୟୁତ୍ ବିଭାଗ ବଡପଡା ଠାରେ ଏହି ୩୩ କେଭି ସବଷ୍ଟେସନ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଜିଲ୍ଲାପାଳଙ୍କ କହିବାନୁଯାୟୀ ୯ ଟି ପଞ୍ଚାୟତର ମଧ୍ୟ ସ୍ଥଳ ଯନ୍ତ୍ରୀ ଠାରେ ସବଷ୍ଟେସନ ନିର୍ମାଣ ହେଲେ ସବୁ ପଞ୍ଚାୟତ ଉପକୃତ ହେବେ।
ଏନେଇ ମାଲକାନଗିରି ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ କରିବାରୁ ଯୋଗାଯୋଗ ହୋଇ ପାରିଲା ନାହିଁ ଏଣୁ ବାଲିମେଳା ସାଉଥକୋ ଏସଡିଓ ପ୍ରମୋଦ କୁମାର ନାୟକଙ୍କୁ ପଚାରିବାରୁ ବଡପଡା କିମ୍ବା ଯନ୍ତ୍ରୀ ଠାରେ ଏକ ୩୩ କେଭି ସବଷ୍ଟେସନ ନିର୍ମାଣ କରିବାକୁ ସ୍ଥିର ହୋଇଛି।ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି।ଖୁବଶୀଘ୍ର ଟେଣ୍ଡର ଡକାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।ଏହି ସବଷ୍ଟେସନ କାର୍ଯ୍ୟକ୍ଷମ ହେଲେ ୯ ଟି ପଞ୍ଚାୟତ ୧୫୧ ଖଣ୍ଡ ଗାଁର ୩୦ ହଜାର ଲୋକ ଉପକୃତ ହେବେ।
ପ୍ରକାଶ ଥାଉକି ଚଳିତ ବର୍ଷ ଦୀର୍ଘ ଦୁଇ ମାସ ଧରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବାଲିମେଳା ଜଳ ଭଣ୍ଡାରରେ ଜଳ ବୃଦ୍ଧି ପାଇଛି।ଫଳରେ ସ୍ୱାଭିମାନ ଅଞ୍ଚଳର ରାଲେଗଡା ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ୮ ଟି ପଞ୍ଚାୟତର ୨୫୦୦୦ ଲୋକ ବିଗତ ୭ ଦିନ ହେଲା ଅନ୍ଧାର ମଧ୍ୟରେ ରହିଛନ୍ତି।
ସ୍ୱାଭିମାନ ଅଞ୍ଚଳକୁ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ଠପ ହୋଇଯାଇଛି।ବିଦ୍ୟୁତ୍  ଖୁଣ୍ଟ ପାଣି ବୁଡି ଯାଇଛି।ସିଲିଗୁମ୍ମା ଗ୍ରାମରୁ ବୁଡିଗୁଡା ଗ୍ରାମକୁ ବିଦ୍ୟୁତ୍ ଖୁଣ୍ଟ ମାଧ୍ୟମରେ ବିଛିନ୍ନାଞ୍ଚଳକୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି।କିନ୍ତୁ ଏହି ଦୁଇ ଗ୍ରାମ ମଧ୍ୟରେ ରହିଛି ବାଲିମେଳା ଜଳଭଣ୍ଡାରର ଅଥଳ ଜଳ।ପାଣି ମଧ୍ୟରେ ୩ ଟି ଖୁଣ୍ଟରେ ତାର ଯାଇଛି।ବନ୍ୟା ଜଳ ପାଇଁ ମଝି ଖୁଣ୍ଟ ସମ୍ପୂର୍ଣ୍ଣ ବୁଡି ଯାଇଛି।ପ୍ରତ୍ୟେକ ଖୁଣ୍ଟର ବ୍ୟବଧାନ ୩୦୦ ମିଟରରୁ ୪୦୦ ମିଟର ରହିଥିବା ବେଳେ ବିଦ୍ୟୁତ୍ ତାର ଗୁଡିକ ଝୁଲି ରହିବା ଫଳରେ ବର୍ଷା ଦିନରେ ୨/୩ ମାସ ୮ ପଞ୍ଚାୟତର ଲୋକମାନେ ବିଜୁଳି ଆଲୋକ ଦେଖି ପାରନ୍ତି ନାହିଁ।
ଗୁରୁପ୍ରିୟା ସେତୁ ନିର୍ମାଣ ସତ୍ତ୍ୱେ ସ୍ୱାଭିମାନ ଅଞ୍ଚଳର ୯ ପଞ୍ଚାୟତରୁ ରାଲେଗଡା ଗୋଟିଏ ପଞ୍ଚାୟତ ଏବେବି ଅପହଞ୍ଚ।କିନ୍ତୁ ଖୁସିର ଖବର ଏହିକି ଯେ ବର୍ଷା ଦିନରେ ଯେତେବେଳେ ଅନ୍ୟ ୮ ଟି ପଞ୍ଚାୟତ ଅନ୍ଧକାରମୟ  ରାଲେଗଡା ପଞ୍ଚାୟତ କିନ୍ତୁ ଆଲୋକିତ ରହିଛି।
ବର୍ଷା ଋତୁରେ ପଣସପୁଟ, ଜୋଡାମ୍ବ, ଧୁଳିପୁଟ, ପାପରମେଟଲା, ବଡପଡା, ଗାଜଲମାମୁଡି, ଅଣ୍ଡ୍ରାପାଲ୍ଲି,ଯନ୍ତ୍ରୀ ଭଳି ୮ ପଞ୍ଚାୟତ ସହ ଜାନବାଇ କଲୋନୀ ୩ ମାସ ଅନ୍ଧାର ଭିତରେ ରହିଥାନ୍ତି।
ଗତ ଜୁନ ମାସ ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦଘାଟନ କରି ବିଛିନ୍ନାଞ୍ଚଳକୁ (ସ୍ୱାଭିମାନ ଅଞ୍ଚଳ) ବୋଲି ସମ୍ବୋଧନ କରି ନୂତନ ନାମକରଣ କରିବା ସହ ମାଲକାନଗିରି ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ୧୦୦ କୋଟି ଟଙ୍କା ଘୋଷଣା ମଧ୍ୟ କରିଦେଲେ।
ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବର୍ତ୍ତମାନ ସେଠାରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ।ବର୍ତ୍ତମାନ ସେଠାରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହେବାରେ ଲାଗିଛି। ବିଶେଷ କରି ଲୋକଙ୍କ ନିକଟରେ ମୌଳିକ ସୁବିଧା ତଥା ସରକାରୀ ଯୋଜନା ଯେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଏ ସମ୍ପର୍କରେ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦାଙ୍କୁ ପଚାରିବାରୁ ବିଛିନ୍ନାଞ୍ଚଳରେ ୩୩ କେଭି ସବଷ୍ଟେସନ ଏକ ଖୁସିର ଖବର। ଦୀର୍ଘ ୫୦ ବର୍ଷ କଂଗ୍ରେସ ଶାସନ କାଳରେ ବିଛିନ୍ନାଞ୍ଚଳ ବାସୀଙ୍କୁ ଗୁରୁତ୍ୱ ଦେଇ ନଥିଲେ କି କୌଣସି ମୌଳିକ ସୁବିଧା ସୁଯୋଗ ଯୋଗାଇ ନଥିଲେ।ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ୪ ବର୍ଷ ମଧ୍ୟରେ କରି ଦେଖେଇ ଦେଲେ ବୋଲି କହିଛନ୍ତି।

By amfnews

Related Post