ପ୍ରଶାନ୍ତ ପଟ୍ଟନାୟକ
ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍ଡିଭିଜନରେ ମୁଖ୍ୟତଃ ଶିକ୍ଷା, ସଂସ୍କୃତି ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ବାପା ସର୍ବଦା ଅଗ୍ରୀମ ଭୂମିକା ଗ୍ରହଣ କରୁଥିଲେ । ମୋର ଜେଜେବାପା ଦାଶରଥୀ ପଟ୍ଟନାୟକ ଆମ ଜିଲ୍ଲାର ଜଣେ ଖ୍ୟାତନାମା ଜମିଦାର ଏବଂ ଆମ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦାଶରଥୀ ହାଇସ୍କୁଲ ଥିଲା ପୁରୀ ଜିଲ୍ଲାର ତୃତୀୟ ହାଇସ୍କୁଲ । ମୋ’ର ବାପା ରଘୁନାଥ ପଟ୍ଟନାୟକ ପ୍ରାକ୍ ସ୍ୱାଧୀନତା କାଳରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ରେଭେନ୍ସା କଲେଜର ଛାତ୍ର ଥିବା ସମୟରେ ସକ୍ରିୟ ରାଜନୀତି ଲାଗି ଉତ୍ସାହିତ ହୋଇ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଯୋଗଦେଇ କାରାବରଣ କରିଥିଲେ । ଆମ ଘର ପ୍ରାୟତଃ ରାଜନୈତିକ ଓ ସଂସ୍କୃତିପ୍ରେମୀ ବ୍ୟକ୍ତିମାନଙ୍କର ଏକ ମିଳନସ୍ଥଳୀ ଥିବାରୁ ବାଲ୍ୟାବସ୍ଥାରୁ ବହୁ ବିଶିଷ୍ଟ ରାଜନେତାଙ୍କ ସହ ମୋ’ର ପରିଚୟ ହୋଇଥିଲା । ୧୯୫୬ ମସିହାରେ ବାପା ଏବଂ ତାଙ୍କର ସମଭାବାପନ୍ନ କେତେକ ବନ୍ଧୁଙ୍କ ସହାୟତାରେ ଆମ ଗାଁରେ ‘ଶିକ୍ଷା, ସଂସ୍କୃତି ଓ ପ୍ରଦର୍ଶନୀ’ ସପ୍ତାହ ଆୟୋଜନ କରାଯାଇଥିଲା । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଲାଗି ପ୍ରତ୍ୟହ ବିଶିଷ୍ଟ ରାଜନେତା, କବି, ସାମ୍ବାଦିକ, ଅଧ୍ୟାପକମାନଙ୍କୁ ଭାଷଣ ଦେବା ଲାଗି ନିମନ୍ତ୍ରଣ କରାଯାଉଥିଲା । ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନବକୃଷ୍ଣ ଚୌଧୁରୀ, ଡ. ହରେକୃଷ୍ଣ ମହତାବ, ପଣ୍ଡିତ ଗୋଦାବରୀଶ ମିଶ୍ର, ‘ନିଆଁଖୁଣ୍ଟା’ର ସମ୍ପାଦକ ଗୋଦାବରୀଶ ମହାପାତ୍ର, କବି କାଳନ୍ଦୀ ଚରଣ ପାଣିଗ୍ରାହୀ, ସାମ୍ୟବାଦୀ ନେତା ସୁବକ୍ତା ମନମୋହନ ମିଶ୍ର ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି ଗୁରୁତ୍ୱପୂର୍ଣ୍ଣ ଅତିଥିମାନଙ୍କର ନୈଶ୍ୟ ଭୋଜନର ବ୍ୟବସ୍ଥା ଆମ ଘରେ ହିଁ କରାଯାଉଥିଲା । ସେହି ସୁଯୋଗରେ ଡ. ହରେକୃଷ୍ଣ ମହତାବ ଆମ ଘରେ ରାତ୍ରିଭୋଜନ କରିବା ସମୟରେ ପ୍ରଥମେ ମୋ’ ଛାତ୍ରାବସ୍ଥାରେ ତାଙ୍କୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲି । ଡ. ମହତାବ ଓ ଅନ୍ୟାନ୍ୟ ଅତିଥିମାନେ ମୋ’ ବୋଉ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଖାଇ ପ୍ରଶଂସା କରୁଥିଲେ । ଅତିଥିମାନେ ଖାଇସାରିବା ପରେ ଆମେ ପିଲାମାନେ ଖାଉଥିଲୁ । ଡ. ମହତାବଙ୍କ ଖାଇବା ଶୈଳୀ ମୋତେ ଅନେକ ପରିମାଣରେ ପ୍ରଭାବିତ କରିଥିଲା । ସେ ଖାଇବା ସମୟରେ ବାପାଙ୍କୁ କହୁଥିଲେ, ‘ରଘୁ ବାବୁ ମୁଁ ଯଥେଷ୍ଟ ଖାଦ୍ୟ ପ୍ରିୟ ଏବଂ ସୁନିର୍ବାଚିତ ଖାଦ୍ୟ ପ୍ରତି ମୋର ଯଥେଷ୍ଟ ରୁଚି ରହିଥାଏ । ଓଡ଼ିଶା ତଥା ଭାରତର ବିଭିନ୍ନ ସ୍ଥାନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଆତିଥ୍ୟ ମୁଁ ଉପଭୋଗ କରିଛି । ମାତ୍ର ଆପଣଙ୍କ ଘରେ କଂସା ବେଲାରେ ଯେଭଳି ସୁସ୍ୱାଦୁ ଖାସି ମାଂସ ଯେଉଁ ପରିମାଣର ପରସା ଯାଇଛି, ତାହା ମୁଁ କେବେ ହେଲେ ଭୁଲି ପାରିବି ନାହିଁ ।’
ଡ. ମହତାବଙ୍କ ସହ ମୋର ପ୍ରଥମ ଦେଖା ବେଳକୁ ମୋ’ର ବୟସ ଥିଲା ମାତ୍ର ୧୫ ବର୍ଷ । ଆମ ଘରକୁ ସେତେବେଳେ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ଖବର କାଗଜ ମଗାଯାଉଥିଲା । ପ୍ରଜାତନ୍ତ୍ରରେ ‘ଗାଁ ମଜଲିସ୍’ ସ୍ତମ୍ଭରେ ଡ. ମହତାବଙ୍କ ଲେଖା ପଢିବା ଲାଗି ମୋ’ର ଉତ୍ସୁକତା ବହୁ ପରିମାଣରେ ବଢିବାରେ ଲାଗିଥିଲା । ଗୋଦାବରୀଶ ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ‘ନିଆଁଖୁଣ୍ଟା’ଏବଂ ପ୍ରଜାତନ୍ତ୍ରରେ ଡ. ମହତାବଙ୍କ ‘ଗାଁ ମଜଲିସ୍’ ପଢିବା ପାଇଁ ବାପା ମଧ୍ୟ ମୋତେ ଉତ୍ସାହିତ କରୁଥିଲେ । ସନ୍ଧ୍ୟା ସମୟରେ ଆମ ଘରକୁ ଆସୁଥିବା ଗାଁ ସ୍କୁଲର ବରିଷ୍ଠ ଶିକ୍ଷକ, ଗାଁ ଡାକ୍ତରଖାନାର ଡାକ୍ତରବାବୁ ଏବଂ ରାଜନୀତିରେ ବିଶେଷ ରୁଚି ରଖିଥିବା ଆମ ସାହିର ଲକ୍ଷ୍ମଣ ଦାଦା (ଲକ୍ଷ୍ମଣ ପଟ୍ଟନାୟକ), ଶିବାଜୀ ଦାଦା (ଶିବାଜୀ ପଟ୍ଟନାୟକ), ଗାଁ ସ୍କୁଲରେ ଶିକ୍ଷକତା କରୁଥିବା କୈଳାସ ସାର୍ (କୈଳାସ ଚନ୍ଦ୍ର ଦାଶ), ପ୍ରଧାନ ଶିକ୍ଷକ ବନବିହାରୀ ପଟ୍ଟନାୟକ, ବିଜ୍ଞାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, କ୍ରୀଡ଼ା ଶିକ୍ଷକ ରବି ନାରାୟଣ ପଟ୍ଟନାୟକ ଓ ଅନ୍ୟମାନେ ପ୍ରାୟ ପ୍ରତ୍ୟହ ସନ୍ଧ୍ୟାରେ ଆମ ଘରକୁ ଆସି ବାପାଙ୍କ ସହ ରାଜନୀତିଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବା ସହ ତାସ୍ ଖେଳରେ କିଛି ସମୟ କଟାଇବା ସମୟରେ ଡ. ମହତାବ, ବିଜୁ ପଟ୍ଟନାୟକ, ଭବାନୀ ପଟ୍ଟନାୟକ, ଭଗବତୀ ପାଣିଗ୍ରାହୀ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ମାତୃଭୂମିର ସମ୍ପାଦକ ରାମଚନ୍ଦ୍ର କର, କବି ଅନନ୍ତ ପଟ୍ଟନାୟକ, ଗୁୁରୁୁଚରଣ ପଟ୍ଟନାୟକ, ନନ୍ଦକିଶୋର ପଟ୍ଟନାୟକ, ଚିନ୍ତାମଣି ପାଣିଗ୍ରାହୀ, ଗୋକୁଳ ରାୟ ମୋହନ ଚୂଡ଼ାମଣି, ନାରୀ ନେତ୍ରୀ ସରଳା ଦେବୀ, ରମାଦେବୀ, ଶ୍ରୀମତୀ ମାଳତୀ ଚୌଧୁରୀ ପ୍ରମୁଖଙ୍କର ଓଡ଼ିଶା ରାଜନୀତି, ସାହିତ୍ୟ, ସଂସ୍କୃତି ଓ ସମାଜକୁ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରୁଥିଲେ ।
ପ୍ରଜାତନ୍ତ୍ରର ‘ଗାଁ ମଜଲିସ୍’ ଲେଖା ପଢିବା ପାଇଁ ଅଧିକାଂଶ ପାଠକ ଉକ୍ରଣ୍ଠାର ସହିତ ଅପେକ୍ଷା କରିବା ଭଳି ମୁଁ ମଧ୍ୟ ଅପେକ୍ଷା କରୁଥିଲି । ଡ. ମହତାବଙ୍କ କଣ୍ଠସ୍ୱରରେ ଯେଭଳି ଏକ ସ୍ୱତନ୍ତ୍ରତା ସହଜରେ ବାରି ହୋଇ ପଡୁଥିଲା, ତାଙ୍କ ବଳିଷ୍ଠ ଲେଖନୀରୁ ନିସୃତ ଲେଖାଗୁଡ଼ିକରେ ସେଭଳି ସ୍ୱତନ୍ତ୍ରତା ଅନୁଭୂତ ହେଉଥିଲା । ତେଣୁ ତାଙ୍କ ଲେଖନୀ ଓଡ଼ିଶାର ରାଜନୀତିକୁ ହଲଚଲ କରିଦେଉଥିଲା ବୋଲି ଅନେକ ଅନୁଭବ କରୁଥିଲେ । ସେ ଯେଉଁ ବିଷୟ କହିବାକୁ ଚାହୁଁଥିଲେ, ବଳିଷ୍ଠ ଯୁକ୍ତି ସହ ତାହାକୁ ଉପସ୍ଥାପନ କରିବା ଦିଗରେ ଡ. ମହତାବ କେବେହେଲେ ପଶ୍ଚାତ୍ପଦ ହେଉନଥିଲେ ।
ମୁଁ ରେଭେନ୍ସା କଲେଜର ଛାତ୍ର ଥିବା ସମୟରେ ମାତ୍ର କେଇଥର ଡ. ମହତାବଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲି । ସେ ଯୁବକ ଓ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁବେଳେ ପ୍ରବର୍ତ୍ତାଉଥିଲେ । ମୋର ସହଧ୍ୟାୟୀ ଜଗତସିଂହପୁରର ସଂଗ୍ରାମ କେଶରୀ ମହାନ୍ତିଙ୍କ ସହ ଡ. ମହତାବଙ୍କର ଘନିଷ୍ଠତା ଥିଲା । ସେ ରେଭେନ୍ସା କଲେଜରୁ ବି.ଏ. ପାଶ୍ କରିବା ପରେ ମଧୁସୂଦନ ଆଇନ୍ କଲେଜରେ ଲ’ ପଢୁଥିବା ସମୟରେ ସଂଗ୍ରାମ କିଭଳି ଜଣେ ଆତ୍ମନିର୍ଭରଶୀଳ ସୁନାଗରିକ ଭାବରେ ନିଜକୁ ଗଢିପାରିବେ ସେଥିପାଇଁ କେବଳ ଯେ ପରାମର୍ଶ ଦେଇଥିଲେ ତାହା ନୁହେଁ, ନିଜକୁ ଉପାର୍ଜ୍ଜନକ୍ଷମ କରିବା ପାଇଁ ବାରଙ୍ଗସ୍ଥିତ ଶ୍ରୀଦୁର୍ଗା ଗ୍ଲାସ୍ ଫ୍ୟାକ୍ଟେରୀରେ ଏକ ସମ୍ମାନଜନକ ପଦବୀରେ ନିଯୁକ୍ତି ଦେବା ପାଇଁ ଏହି କାଚ କାରଖାନାର ମାଲିକ ଦେୱକରନ୍ ଝୁନ୍ଝୁନ୍୍ୱାଲାଙ୍କ ସହ ତାଙ୍କୁ ପରିଚିତ କରାଇ ନିଯୁକ୍ତି ପାଇଁ ସୁପାରିଶ୍ ମଧ୍ୟ କରିଥିଲେ । ମାତ୍ର ସଂଗ୍ରାମ ସେହି ମାଲିକଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ବିଶେଷ ଆଗ୍ରହ ପ୍ରକାଶ ନ କରିବାରୁ ତାଙ୍କ ଅଧୀନରେ କାମ କରିବା ପରିବର୍ତ୍ତେ ତାଙ୍କ ସହ ବ୍ୟବସାୟ କରି ଆର୍ଥିକ ସ୍ୱଚ୍ଛଳତା ବଢାଇବା ଲାଗି ପରାମର୍ଶ ଦେଇଥିଲେ । ସଂଗ୍ରାମ ଡ. ମହତାବଙ୍କ ପରାମର୍ଶ ମାନି ଉକ୍ତ ସଂସ୍ଥାକୁ କଞ୍ଚାମାଲ ଯୋଗାଇବା ନିମନ୍ତେ ଚୁକ୍ତିବଦ୍ଧ ହୋଇ କାର୍ଯ୍ୟ ଆରମ୍ଭକରିଥିଲେ । ଏହି ଘଟଣାରୁ ଡ. ମହତାବଙ୍କ ସାହାଯ୍ୟ ଓ ସହଯୋଗ କରିବା ଦିଗରେ ଆନ୍ତରିକତା ସୁସ୍ପଷ୍ଟ । ମାତ୍ର ସଂଗ୍ରାମ ବ୍ୟବସାୟରେ ବିଶେଷ ସଫଳ ହୋଇନପାରିବାରୁ ଜଗତସିଂହପୁରରେ ଓକିଲାତି କରିବା ଦିଗରେ ମନୋନିବେଶ କରିଥିଲେ । ଏଥିପାଇଁ ମଧ୍ୟ ଡ. ମହତାବଙ୍କର ଯଥେଷ୍ଟ ଆନ୍ତରିକ ଆଶୀର୍ବାଦ ଲାଭ କରି ଜଣେ ସଫଳ ଆଇନ୍ଜୀବୀ ଭାବରେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।
୧୯୬୪ ମସିହା ଛାତ୍ର ଆନ୍ଦୋଳନ ସମୟରେ ଛାତ୍ର ଆନ୍ଦୋଳନର କେନ୍ଦ୍ର୍ର ରେଭେନ୍ସା କଲେଜର ଛାତ୍ର ଭାବରେ ମୁଁ ଅନ୍ୟମାନଙ୍କ ସହ ସକ୍ରିୟ ଭୂମିକା ଗ୍ରହଣ କରିଥିଲି । ଡ. ମହତାବ ସବୁବେଳେ ଛାତ୍ରମାନଙ୍କର ସମ୍ମାନ ଓ ଦାବି ଲାଗି ସମ୍ବେଦନ ରହିଥିଲେ । ଫଳରେ ସେତେବେଳେ ‘ପ୍ରଜାତନ୍ତ୍ର’ର ସମ୍ପାଦକ ଭାବରେ ଜାନକୀ ବଲ୍ଲଭ ପଟ୍ଟନାୟକ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ସମ୍ବାଦମାନ ପ୍ରକାଶ କରୁଥିଲେ । ଏହି ଆନ୍ଦୋଳନ ଏତେ ଉଗ୍ର ଆକାର ଗ୍ରହଣ କରିଥିଲା ଯେ, ତଦନାନ୍ତୀନ କେନ୍ଦ୍ର ଗୃହମନ୍ତ୍ରୀ ଗୁଲଜାରୀଲାଲ୍ ନନ୍ଦା ଛାତ୍ରମାନଙ୍କ ଦାବି ପୂରଣ ପାଇଁ ଓଡ଼ିଶା ଆସିବା ନିମନ୍ତେ ବାଧ୍ୟ ହୋଇଥିଲେ ।
ମୁଁ ରେଭେନ୍ସା କଲେଜରେ ଛାତ୍ର ଥିବା ସମୟରେ ‘ପ୍ରଜାତନ୍ତ୍ର ପ୍ରଚାର ସମିତି’ଦ୍ୱାରା ପ୍ରକାଶିତ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ଇଂରାଜୀ ଦୈନିକ ପତ୍ରିକାର ସମ୍ବାଦଦାତା ଭାବରେ କାର୍ଯ୍ୟକରିବା ଲାଗି ସମ୍ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ମୋତେ ସୁଯୋଗ ଦେଇଥିଲେ । ତେଣୁ ଡ. ମହତାବଙ୍କ ସହ ବହୁଥର ଦେଖାହେଇପାରୁଥିଲା । କଟକ ବିହାରୀ ବାଗ୍ର ପ୍ରଜାତନ୍ତ୍ର ପରିସର ମଧ୍ୟରେ ଥିବା ସ୍ୱତନ୍ତ୍ର କକ୍ଷରେ ଡ. ମହତାବ ପ୍ରତ୍ୟହ ନିଜର ରାଜନୈତିକ, ସାହିତ୍ୟିକ ଓ ସାମାଜିକ କାର୍ଯ୍ୟକଳାପ ଚାଲୁ ରଖୁଥିଲେ । ଭୁବନେଶ୍ୱରର ଏକାମ୍ର ନିବାସରୁ ଚକୋଲେଟ୍ ରଂଗର ଡିଜେଲ୍ ଚାଳିତ ମର୍ସିଜିଡ୍ ବେଞ୍ଚ୍ କାର୍ରେ ସେ ପ୍ରତ୍ୟହ ଯିବା ଆସିବା କରୁଥିଲେ । ଡ. ମହତାବ ଥିଲେ ଜାତୀୟ କଂଗ୍ରେସର ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଅନ୍ୟତମ । ମୋ’ର ବାପା ଓଡ଼ିଶାରେ ଭଗବତୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତ କମ୍ୟୁନିଷ୍ଟ୍ ପାର୍ଟିର ସ୍ୱଳ୍ପ କେତେଜଣ ପ୍ରତିଷ୍ଠାତା ସଭ୍ୟଙ୍କ ମଧ୍ୟରୁ ଅନ୍ୟତମ ହୋଇଥିଲେ ମଧ୍ୟ ଡ. ମହତାବଙ୍କର ତାଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ରହିଥିଲା । ତେଣୁ ସେ ମୋତେ ଆନ୍ତରିକତା ସହ ଭଲ ପାଉଥିଲେ ଏବଂ ସାମ୍ବାଦିକତା, ଫଟୋଗ୍ରାଫି ଏବଂ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରିବା ଲାଗି ଉତ୍ସାହିତ କରୁଥିଲେ ।
ସେତେବେଳେ ‘ଝଙ୍କାର’ ଥିଲା ଓଡ଼ିଆ ଭାଷାରେ ସବୁଠାରୁ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା । ମୋର ଗଳ୍ପ, କବିତା ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲେ ମଧ୍ୟ ‘ଝଙ୍କାର’କୁ ଲେଖା ପଠାଇବା ପାଇଁ ମୋ’ର ସାହସ ହେଉନଥିଲା । ମାତ୍ର ଡ. ମହତାବଙ୍କ ପ୍ରେରଣା ପାଇ ମୁଁ ଝଙ୍କାରକୁ ‘ଶାପ ମୋଚନ’ ଶୀର୍ଷକ ଗଳ୍ପଟିଏ ପଠାଇଥିଲି । ଡ. ମହତାବଙ୍କ ଭଳି ରାଜନୈତିକ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଜଣେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ‘ଝଙ୍କାର’ରେ ମୋ’ ଗପ ପଢିଥିବେ ବୋଲି ମୋ’ର ଆଦୌ ଧାରଣା ନଥିଲା । ମାତ୍ର ଡ. ମହତାବ ଦିନେ ସକାଳେ ଏକାମ୍ର ନିବାସଠାରେ ତାଙ୍କୁ ସାକ୍ଷାତ କରିବା ପାଇଁ ଖବର ପଠାଇଥିଲେ । ସେଦିନ ‘କଳିଙ୍ଗ ଟ୍ୟୁବ୍ସ’ର ତଦନାନ୍ତୀନ ଉଚ୍ଚପଦାଧିକାରୀ ଏବଂ କଲିକତାରୁ ପ୍ରକାଶିତ ‘ଆସନ୍ତା କାଲି’ର ସମ୍ପାଦକ ଶ୍ରୀକାନ୍ତ ପଣ୍ଡାଙ୍କ ସହ ମୁଁ ଏକାମ୍ର ନିବାସକୁ ଯାଇଥିଲି । କଲିକତାଠାରେ ଶ୍ରୀକାନ୍ତ ପଣ୍ଡା ବିିଭିନ୍ନ ଓଡ଼ିଆ ସଙ୍ଗଠନ ସହ ଓତଃପ୍ରୋତ ଭାବରେ ଜଡ଼ିତ ରହି ଅନେକ ଗୁଡ଼ିଏ ଓଡ଼ିଆ ସ୍କୁଲ୍ ପ୍ରତିଷ୍ଠା କରିଥିବାରୁ ଡ. ମହତାବ ତାଙ୍କୁ ଭଲ ଭାବରେ ଜାଣିଥିଲେ । ମୋତେ ଓ ଶ୍ରୀପଣ୍ଡାଙ୍କୁ ଏକାଠି ଦେଖି ଡ. ମହତାବ ଖୁସି ହୋଇ ମୋତେ ତାଙ୍କ ନିକଟକୁ ଡାକିଲେ ଏବଂ ପିଠି ଥାପୁଡେଇ କହିଥିଲେ, ‘ପ୍ରଶାନ୍ତ, ତମ ‘ଶାପମୋଚନ’ ଗପଟି ପଢି ବହୁତ ଖୁସି ଲାଗିଲା । ସେହି ଗପରେ ତମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନର୍ସକୁ ଉପଭୋଗ କରି ପ୍ରଚୁର ସୁବିଧା ସୁଯୋଗ ଯୋଗାଇ ଦେବାର ଯେଉଁ ଚିତ୍ର ଦେଇଛ, ତାହା ଅତ୍ୟନ୍ତ ବାସ୍ତବ ।
କାରଣ ପଦପଦବୀରେ ଥିବା ରାଜନେତାମାନେ ମହିଳାମାନଙ୍କୁ ଉପଭୋଗ କରୁଥିବା ତାହା ସାଧାରଣରେ ଆଲୋଚିତ ହେଉଥିଲେ ମଧ୍ୟ ସେ ସମ୍ପର୍କରେ ନିଖୁଣ ଗଳ୍ପଟିଏ ମୁଁ ଏପର୍ଯ୍ୟନ୍ତ ପଢିନଥିଲି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପଭୋଗର ସାମଗ୍ରୀ ହୋଇଥିବା ସୁନ୍ଦରୀ ନର୍ସଟି ସରକାର ବଦଳି ଯିବା ପରେ ନୂଆ ସରକାରଙ୍କ ଆକ୍ରୋଶର ଶିକାର ହୋଇ ରାଜଧାନୀରୁ କୋରାପୁଟ ବଦଳି ହେବା ପରେ ବିଭିନ୍ନ ପ୍ରକାର ନିର୍ଯ୍ୟାତନାର ଶିକାର ହୋଇ ଆତ୍ମହତ୍ୟା କରିବା ଲାଗି ମୁଠାଏ ନିଦ ବଟିକା ଖାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ନୂଆ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କଠାରୁ ଡାକରା ପାଇବା ମାତ୍ରେ ନିଦ ବଟିକାଗୁଡ଼ିକ ରାସ୍ତାକୁ ଫୋପାଡ଼ି ଦେଇ ନୂଆ ମନ୍ତ୍ରୀଙ୍କ ଗାଡ଼ିରେ ବସିବା ପାଇଁ ଚାଲିଯିବାର ବର୍ଣ୍ଣନା ଅତ୍ୟନ୍ତ ବାସ୍ତବ ହୋଇଛି । ତୁମେ ଏଥିପାଇଁ ରାଜନେତାମାନଙ୍କର ଆକ୍ରୋଶର ଶିକାର ହେଉଛ, କାରଣ କେତେକ ରାଜନେତା ଏ ଗଳ୍ପଟି ସମ୍ପର୍କରେ ମୁଁ ସେମାନଙ୍କ ସହ ଆଲୋଚନା କଲାବେଳେ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ମୋ’ ଦ୍ୱାରା ପ୍ରତିଷ୍ଠିତ ‘ଝଙ୍କାର’ ଭଳି ଏକ ଉଚ୍ଚମାନର ସାହିତ୍ୟ ପତ୍ରିକାରେ ଏଭଳି ଗଳ୍ପ ପ୍ରକାଶ ପାଇବା ଉଚିତ୍ ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ମାତ୍ର ମୁଁ ସେଥିରେ ବିଚଳିତ ନ ହୋଇ ତୁମେ ଏଭଳି ଆଉ ଅନେକ ଗପ ଲେଖି ସମାଜର ପ୍ରତିଷ୍ଠିତ ଲୋକମାନଙ୍କର ମୁଖା ଖୋଲିଦେବା ପାଇଁ ତୁମକୁ ଆର୍ଶୀବାଦ ଓ ଉତ୍ସାହିତ କରୁଛି ।
ଡ. ମହତାବଙ୍କର ଏତାଦୃଶ ଉକ୍ତି ମୋତେ ସ୍ତମ୍ଭୀଭୂତ କରିଥିଲା । କାରଣ ମୋ’ ଭଳି ଜଣେ ତରୁଣ ଲେଖକର ଗଳ୍ପ ତାଙ୍କ ଭଳି ସମ୍ମାନସ୍ପଦ ଓ ବ୍ୟସ୍ତବହୁଳ ରାଜନେତା ପଢିଥିବେ, ଏହା କେବେହେଲେ ମୁଁ ଧାରଣା କରିନଥିଲି । ‘ପ୍ରଜାତନ୍ତ୍ର’ ପ୍ରଚାର ସମିତି ପରିସରରେ ପ୍ରତ୍ୟହ ଡ. ମହତାବଙ୍କ ଅଧ୍ୟକ୍ଷତାରେ ଓ ରାଜ୍ୟର ବହୁ ସାମ୍ବାଦିକ, ସାହିତ୍ୟିକ, ରାଜନେତା ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତିରେ ଜମୁଥିବା ଆସରରେ ଡ. ମହତାବ ‘ଶାପମୋଚନ’ ଗଳ୍ପଟି ସମ୍ପର୍କରେ ଏକାଧିକବାର ଆଲୋଚନା କରିଥିବା ମୁଁ ଖୋଦ୍ ତାଙ୍କ ମୁହଁରୁ ଓ ବିଭିନ୍ନ ସୂତ୍ରରୁ ଜାଣିବାକୁ ପାଇବା ପରେ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ତଥା ତରୁଣ ଲେଖକମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଚେଷ୍ଟାର ପରିଚୟ ପାଇଥିଲି ।
ଜାନକୀବାବୁ ‘ପ୍ରଜାତନ୍ତ୍ର’ ଓ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ସମ୍ପାଦକ ଥିବା ସମୟରେ ମୁଁ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରେ ରେଭେନ୍ସା କଲେଜରେ ଘଟୁଥିବା ବିିଭିନ୍ନ ଘଟଣା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅଭାବ ଅସୁବିଧା ସମ୍ପର୍କରେ ଲେଖୁଥିଲି । ଡ. ମହତାବ ସେସବୁକୁ କେବେହେଲେ ଅଣଦେଖା କରୁନଥିଲେ ।
ପୂର୍ବ ଭାରତରେ ଇଂରାଜୀ ଭାଷାରେ ବହୁଳ ପ୍ରସାରିତ କଲିକତାରୁ ପ୍ରକାଶିତ ‘ଦ ଅମୃତବଜାର ପତ୍ରିକା’ ୧୯୬୬ ମସିହାରେ ଓଡ଼ିଶାରୁ ଏକ ସଂସ୍କରଣ ପ୍ରକାଶନ ପାଇଁ ସ୍ଥିର କରିବା ପରେ ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ସ୍ଥିତି ପ୍ରତି ବିପଦ ଆଶଙ୍କା କରି ଡ.ମହତାବଙ୍କ ଅନୁଗତ ଯୁବକ ଓ ଛାତ୍ରମାନେ ‘ଅମୃତବଜାର’ ପତ୍ରିକା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ କଟକ – ଭୁବନେଶ୍ୱରରେ ଏହି ସମ୍ବାଦପତ୍ର ପ୍ରସାର କରାଇ ନଦେବା ଲାଗି ଏହାକୁ ପୋଡ଼ି ଦେଉଥିଲେ । ଡ. ମହତାବ ଏଭଳି ଏକ ବିବାଦମାନ ପରିସ୍ଥିତିରେ ଦୈନିକ ଇଷ୍ଟର୍ଣ୍ଣ ଟାଇମ୍ସର ପ୍ରକାଶନ ବନ୍ଦ କରିଦେଇଥିଲେ । ଏଭଳି ସମୟରେ ମୁଁ ‘ଅମୃତ ବଜାର’ ପତ୍ରିକାରେ ସାମ୍ବାଦିକ ଭାବରେ ଯୋଗଦେବା ପରେ ଡ. ମହତାବ ସବୁବେଳେ ମୋ’ର ସମ୍ବାଦ ଏବଂ ଫଟୋଗ୍ରାଫ୍ଗୁଡ଼ିକୁ ଅନୁଧ୍ୟାନ କରି ତାଙ୍କର ସ୍ପଷ୍ଟ ମତାମତ ଦେବା ଲାଗି କେବେହେଲେ କୁଣ୍ଠିତ ହେଉନଥିଲେ ।
ସେତେବେଳେ ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ’ ଓ ‘ଆନନ୍ଦବଜାର’ ପତ୍ରିକାର ଓଡ଼ିଶା ମୁଖ୍ୟ ଭାବରେ ସୁନୀତି ଘୋଷ କାର୍ଯ୍ୟରତ ଥିଲେ । ଓଡ଼ିଶାର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଏକ ସ୍ୱତନ୍ତ୍ର ବିଶେଷାଙ୍କ ପ୍ରକାଶ ପାଇଁ ତାଙ୍କୁ ମୁଖ୍ୟ ସମ୍ପାଦକ ନିର୍ଦ୍ଦେଶ ଦେଇଥିଲେ । ଏହି ବିଶେଷାଙ୍କ ନିମନ୍ତେ ଆବଶ୍ୟକୀୟ ଫଟୋ ସବୁ ସଂଗ୍ରହ କରିବା ଲାଗି ଏହି ସମ୍ବାଦପତ୍ର ସଂସ୍ଥାର ମୁଖ୍ୟ ଫଟୋଗ୍ରାଫର୍ ଆଲୋକ ମିତ୍ରଙ୍କୁ କଲିକତାରୁ ପଠାଯାଇଥିଲା । ସେମାନଙ୍କୁ ସହଯୋଗ କରିବା ଲାଗି ମୋତେ ଶ୍ରୀ ଘୋଷ ଅନୁରୋଧ କରିବାରୁ ମୁଁ ମଧ୍ୟ ଏଥିରେ ସହଯୋଗ କରିଥିଲି । ଡ. ମହତାବଙ୍କ ଫଟୋଗ୍ରାଫ୍ ନିମନ୍ତେ ଆଲୋକ ଏବଂ ମୁଁ ଏକାମ୍ର ନିବାସଙ୍କୁ ଯାଇଥିଲୁ । ଡ. ମହତାବ ଏଥିରେ ଆନନ୍ଦ ପ୍ରକାଶ କରି ଆମକୁ ଯଥେଷ୍ଟ ସହଯୋଗ କରିଥିଲେ । ତାଙ୍କର କାର୍ଯ୍ୟକରିବାର ଶୈଳୀ ମିଜାଜ (ମୁଡ୍)ର ଅନେକଗୁଡ଼ିଏ ଫଟୋ ଉଠାଇବା ପାଇଁ ପ୍ରାୟ ୩/୪ ଘଣ୍ଟା ସେ ଆମ ସହ ସହଯୋଗ କରିଥିଲେ ଏବଂ ଆମକୁ ସୁସ୍ୱାଦୁ ଜଳଯୋଗରେ ଆପ୍ୟାୟିତ ମଧ୍ୟ କରିଥିଲେ । ସେଥିମଧ୍ୟରୁ ଅନେକଗୁଡ଼ିଏ ଫଟୋ ସୁନୀତ୍ ଘୋଷଙ୍କ ଦ୍ୱାରା ଲିଖିତ ‘କୋଣାର୍କ ହ୍ୱିଲ୍ ଏଣ୍ଡ୍ କେନ୍ଦୁଲିଫ୍’ଶୀର୍ଷକ ଏକ ପୁସ୍ତିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଡ. ମହତାବ ଏହି ପୁସ୍ତିକାଟିକୁ ଦେଖି ଯଥେଷ୍ଟ ଆନନ୍ଦ ପ୍ରକାଶ କରିଥିଲେ ।
ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ବନ୍ଦ ହୋଇଯିବାର କେଇବର୍ଷ ପରେ ତାହାକୁ ଏକ ସାପ୍ତାହିକ ଭାବରେ ପ୍ରକାଶ କରିବା ଲାଗି ଡ. ମହତାବ ସ୍ଥିର କରିଥିଲେ ଏବଂ ଏଥିପାଇଁ ଶ୍ରୀ ଭତ୍ତୃହରି ମହତାବଙ୍କୁ ଦାୟିତ୍ୱ ଦେଇଥିଲେ । ‘ଇଷ୍ଟର୍ଣ୍ଣ ଟାଇମ୍ସ’ର ସମ୍ପାଦନାରେ ଆଡ୍ଭୋକେଟ୍ ଜୟନ୍ତ ଦାଶ (ଜଷ୍ଟିସ୍ ନବକୁମାର ଦାଶ ଏବଂ ନାରୀନେତ୍ରୀ ପ୍ରଭାମୟୀ ଦେବୀଙ୍କ ପୁତ୍ର) ଏବଂ ମୁଁ ସହଯୋଗ କରିବା ଲାଗି ଡ. ମହତାବ ଇଚ୍ଛା ପ୍ରକାଶ କରିଥିଲେ । ତଦନୁଯାୟୀ ମୁଁ ଓ ଶ୍ରୀଦାଶ ଯୋଜନାବଦ୍ଧ ଭାବରେ ଭର୍ତ୍ତୃହରିଙ୍କ ସହ ଆଲୋଚନା କରି ପ୍ରତିଟି ସଂଖ୍ୟା ପ୍ରକାଶ କରିବାରେ ଲାଗିପଡ଼ିଥିଲୁ । ଏହି ସାପ୍ତାହିକଟିରେ କେଉଁ ଲେଖା ପ୍ରକାଶ ପାଇବ, ତାହା ନିଷ୍ପତ୍ତି କରିବାର ପୂର୍ଣ୍ଣ ସ୍ୱାଧୀନତା ଆମ ତିନିଜଣଙ୍କ ଉପରେ ନ୍ୟସ୍ତ ଥିଲା । ଡ. ମହତାବ ପ୍ରତିଟି ସଂଖ୍ୟା ଦେଖି ସନ୍ତୋଷ ପ୍ରକାଶ କରୁଥିଲେ ଏବଂ ଦିଲ୍ଲୀ, କଲିକତା, ବମ୍ବେ, ଅହମଦାବାଦ, ହାଇଦ୍ରାବାଦ ପ୍ରଭୃତି ଓଡ଼ିଶା ବାହାରେ ବିିଭିନ୍ନ ସ୍ଥାନରେ ଥିବା ତାଙ୍କର ପରିଚିତ ଓ ଅନୁଗତମାନେ ଏହି ସାପ୍ତାହିକଟି ପଢି ଓଡ଼ିଶାର ରାଜନୈତିକ ପାଣିପାଗ, ସାହିତ୍ୟ, ସଂସ୍କୃତି, କଳା ପ୍ରଭୃତି ବିଷୟରେ ଜାଣିବାକୁ ପାଉଥିବାରୁ ଡ. ମହତାବଙ୍କୁ ପ୍ରଶଂସା କରି ବାର୍ତ୍ତାମାନ ପଠାଉଥିବା ସେ ଉଲ୍ଲେଖ କରୁଥିଲେ । ମାତ୍ର ଅଚାନକ ଭାବରେ ଏହି ଇଂରାଜୀ ସାପ୍ତାହିକକୁ ବନ୍ଦ କରି ଦିଆଯାଇଥିଲା ।
ଇତିମଧ୍ୟରେ ‘ପ୍ରଜାତନ୍ତ୍ର’ସାପ୍ତାହିକକୁ ଏକ ସଚିତ୍ର ପତ୍ରିକା ରୂପେ ପ୍ରକାଶ କରିବା ନିମନ୍ତେ ଡ. ମହତାବ ନିଷ୍ପତ୍ତି ନେଇଥିଲେ, ଇଂରାଜୀ ଭାଷାରେ ପ୍ରକାଶିତ ‘ସଣ୍ଡେ, ଦି ୱିକ୍, ଦ ଅନ୍ଲୁକର୍ ଭଳି ଏହି ପତ୍ରିକାଟିକୁ ପ୍ରକାଶ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପ୍ରତିସଂଖ୍ୟାରେ ଅନୁସନ୍ଧାନମୂଳକ ଲେଖା ଓ ସାହିତ୍ୟ, ସଂସ୍କୃତି, କଳା, ଚଳଚ୍ଚିତ୍ର, ଜନଜୀବନ ସମ୍ପର୍କିତ ଲେଖାମାନ ପ୍ରକାଶ କରିବା ନିମନ୍ତେ ହୋଇଥିବା ଉଦ୍ୟମରେ ମୁଁ ମଧ୍ୟ ସାମିଲ୍ ହୋଇଥିଲି । କ୍ରମାଗତ ଭାବରେ ଅନେକଗୁଡ଼ିଏ ସଂଖ୍ୟାର ପ୍ରଚ୍ଛଦ କାହାଣୀ, ଅନୁସନ୍ଧାନମୂଳକ ଲେଖା ଓ ସ୍ୱତନ୍ତ୍ର ବିବରଣୀଗୁଡ଼ିକ ଲେଖିବାର ଦାୟିତ୍ୱ ମୋତେ ଦିଆଯାଇଥିଲା । ତେଣୁ ଡ. ମହତାବଙ୍କୁ ସାକ୍ଷାତ କରି ଏସବୁ ସମ୍ପର୍କରେ ତାଙ୍କର ପରାମର୍ଶ ନେବା ଲାଗି ମୁଁ ସବୁବେଳେ ଚେଷ୍ଟିତ ଥିଲି ଏବଂ ସେ ଏ ଦିଗରେ ସାହାଯ୍ୟ କରିବା ପାଇଁ କେବେହେଲେ କୃପଣତା କରୁନଥିଲେ ।
କେତେକ ବ୍ୟକ୍ତିଗତ କାରଣରୁ ମୁଁ ‘ଅମୃତ ବଜାର ପତ୍ରିକା’ରୁ ଇସ୍ତଫା ଦେଇ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ସୁରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ସମ୍ପାଦିତ ‘କଳିଙ୍ଗ’ର ରାଜଧାନୀ ପ୍ରତିନିଧି ଭାବରେ ଯୋଗଦେବା ପରେ ଡ. ମହତାବଙ୍କ ସହ ମୋର ସମ୍ପର୍କ ଅତୁଟ ରହିଥିଲା । ବିଜୁବାବୁଙ୍କ ସହ ରାଜନୈତିକ କାରଣରୁ ତାଙ୍କର ମତାନ୍ତର ଓ ମନାନ୍ତର ଥିଲେ ମଧ୍ୟ ଡ. ମହତାବ ଖୋଲାଖୋଲି ଭାବରେ ମତେ ସ୍ନେହ ଶ୍ରଦ୍ଧା କରିବା ବିଷୟ ପ୍ରକାଶ କରିବା ଲାଗି କୁଣ୍ଠିତ ହେଉନଥିଲେ ।
ଏପରିକି ବିଧାନସଭାର ଲବି ଭିତରେ ଡ. ମହତାବ ଓ ବିଜୁବାବୁ ପାଖାପାଖି ବସିଥିବା ସମୟରେ ମୋତେ ଦେଖିଲେ ଅତ୍ୟନ୍ତ ଶ୍ରଦ୍ଧାର ସହ ମୋ’ ପିଠି ଥାପୁଡେଇ ବିଜୁବାବୁଙ୍କୁ କହୁଥିଲେ, ‘ବିଜୁ, ତୁମେ ଜାଣିଛ ନା, ପ୍ରଶାନ୍ତ ତୁମ କାଗଜରେ କାମ କରୁଥିଲେ ବି ସେ ହେଉଛନ୍ତି ମୋ’ର ଲୋକ ।’ ଡ. ମହତାବଙ୍କର ଏତାଦୃଶ ଉକ୍ତି ଶୁଣି ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ଓ ରାଜନେତାମାନେ ବିସ୍ମିତ ହୋଇ ବିଜୁଙ୍କ ପ୍ରତିକ୍ରିୟା ଜାଣିବା ଲାଗି ତାଙ୍କ ମୁହଁକୁ ଚାହୁଁଥିଲେ । ସେତେବେଳେ ବିଜୁବାବୁ ହସି ହସି କହୁଥିଲେ, ‘କେବଳ ପ୍ରଶାନ୍ତ ନୁହେଁ, ମୁଁ ମଧ୍ୟ ଆପଣଙ୍କ ଲୋକ ।’ ବିଜୁଙ୍କଠାରୁ ଏଭଳି ଉତ୍ତର ଶୁଣି ଡ. ମହତାବ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ହୋ ହୋ ହୋଇ ହସି ଉଠୁଥିଲେ ଏବଂ କହୁଥିଲେ, ‘ତୁମେ ତ, ପ୍ରଶାନ୍ତର ବାପା ରଘୁନାଥଙ୍କୁ ରେଭେନ୍ସା କଲେଜ ଦିନରୁ ଜାଣ କାରଣ ତୁମେ ଓ ଭାଇ ଡ. ଜର୍ଜ ପଟ୍ଟନାୟକ ଗୋଟିଏ ଫୁଟବଲ୍ ଟିମ୍ରେ ସାଙ୍ଗ ହୋଇ ଖେଳୁଥିଲ । ମୁଁ କିନ୍ତୁ ତାଙ୍କୁ ଏଯାଏଁ ଭୁଲିନି ତାଙ୍କର ଆତିଥ୍ୟ ଯୋଗୁଁ । କେବଳ ତାଙ୍କରି ଘରେ ହିଁ ଖାଇଥିବା କଂସାବେଲାରେ ଖାସି ମାଂସ ଝୋଳର ସ୍ୱାଦ କେବେହେଲେ ଭୁଲି ପାରିବିନି ।