Fri. Jan 10th, 2025

ସ୍ମାର୍ଟସିଟିରେ ସ୍ମାର୍ଟ ବିଦ୍ୟୁତ୍ କାଟ୍: ଜନଅସନ୍ତୋଷକୁ ବିଭାଗୀୟ କର୍ମକର୍ତ୍ତାଙ୍କ ଫୁ …!

By amfnews Dec 26, 2018 #Featured
183 Views

ରାଉରକେଲା, ୨୬ା୧୨  : ସ୍ମାର୍ଟସିଟି ରାଉରକେଲାରେ ସ୍ମାର୍ଟ ବିଦ୍ୟୁତ୍ କାଟ୍ ବାରମ୍ବାର ହୋଇଚାଲିଛି । ହେଲେ ଏଥିପ୍ରତି କାହାର ଦରଦର ଥବାଭଳି ମନେ ହେଉନାହିଁ । ଏହି ସମସ୍ୟା ବର୍ତ୍ତମାନ ସ୍ମାର୍ଟସିଟି ପାଇଁ ସମସ୍ୟାର ଅନ୍ୟତମ କାରଣ ପାଲଟିଛି । ଏହି ସମସ୍ୟା ପ୍ରତି କାହାର ଦୃଷ୍ଟି ପଡୁନଥିବା ଅତ୍ୟନ୍ତ ପରିତାପର ବିଷୟ । ଏଥିସହ ବିଜୁଳି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଉଦାସୀନତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସ୍ମାର୍ଟସିଟିର ସ୍ମାର୍ଟ ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେବାରେ ଲାଗିଲାଣି । ଏହି ବିଦ୍ୟୁତ୍ କାଟ୍ ବିଶେଷ କରି ଛେଣ୍ଡ କଲୋନୀ, କଳିଙ୍ଗ ବିହାର, ବାସନ୍ତୀ କଲୋନୀ, ଉଦିତନଗର ଆଦି ଅଞ୍ଚଳରେ କରାଯାଉଥିବା ବେଳେ ସହରର ଅନ୍ୟାନ୍ୟ ସ୍ଥାନ ମଧ୍ୟ ବିଦ୍ୟୁତ୍ କାଟ୍ରୁ ବାଦ୍ ପଡୁନାହିଁ ।

ତେବେ ସହରରେ ବାରମ୍ବାର ବିଦ୍ୟୁତ୍ କାଟ୍କୁ ନେଇ ଜନଅସନ୍ତୋଷ କୁହୁଳିବାରେ ଲାଗିଛି । ଏଭଳି ଅଘୋଷିତ ତଥା ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେବା ଫଳରେ ଛୋଟମୋଟ ବ୍ୟବାସାୟ କରୁଥିବା ବ୍ୟବସାୟୀ, ବିଦ୍ୟୁତ୍ ସଂକ୍ରାନ୍ତୀୟ ବ୍ୟବସାୟ ବିଶେଷ ଭାବେ ପ୍ରଭାବିତ ହେବାରେ ଲାଗିଛି । ଏହି ସମସ୍ୟା ଦ୍ୱାରା ବର୍ତ୍ତମାନ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏଭଳି ବିଦ୍ୟୁତ୍ କାଟ୍ର ପ୍ରକୃତ ସମସ୍ୟା ସମ୍ପର୍କରେ ଜାଣିପାରୁ ନାହାନ୍ତି । ଛେଣ୍ଡ କଲୋନୀ ଅଞ୍ଚଳରେ ପ୍ରତିଦିନ ରାତି ସାଢେ ୮ରୁ ସାଢେ ୯ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଛି । ତା ସହିତ ଦିନ ତମାମ୍ ଯେତେବେଳେ ଇଚ୍ଛା ସେତେବେଳେ ବିଦ୍ୟୁତ୍ କାଟ୍ ମଧ୍ୟ ହେଉଛି କାହିଁକି ତାହା ବୁଝାପଡୁ ନାହିଁ ।

ସ୍ମାର୍ଟ ଉପଭୋକ୍ତାଙ୍କୁ ସଠିକ୍ ଭାବେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଉନଥିବା ଏଭଳି ସେବାର ସ୍ପଷ୍ଟ ବାରି ହେଉଛି । ଅର୍ଥାତ୍ ବିଦ୍ୟୁତ୍ ବିଲ୍ ଦେୟ ଆଦାୟରେ ଉପଭୋକ୍ତାମାନେ ଅବହେଳା କରୁନଥିବା ବେଳେ ସେମାନଙ୍କ ଉପରେ ଏଭଳି ସମସ୍ୟାକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ କାହିଁକି ଲଦି ଦେଉଛନ୍ତି, ତାହା ଜଣାପଡୁ ନାହିଁ । ଅନ୍ୟପକ୍ଷରେ ରାଉରକେଲା ସହରରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଅନେକ ଅନିୟମିୟତା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ସହରବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବେଳେବେଳେ ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ କର୍ମଚାରୀଙ୍କ ଅଣଦେଖା ନୀତି ଯୋଗୁ ସହରରେ ଦିନବେଳା ଷ୍ଟ୍ରିଟ୍ଲାଇଟ୍ ଜଳିବା, ଅବହେଳିତ ଅବସ୍ଥାରେ ଟ୍ରାନ୍ସଫର୍ମର ରହିବା ସମେତ ଅନ୍ୟାନ୍ୟ କେତେକ ଅଣଦେଖା ଏଭଳି ସମସ୍ୟାର ପ୍ରମୁଖ କାରଣ ବୋଲି ସହରର ସ୍ମାର୍ଟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

By amfnews

Related Post