Sun. Nov 24th, 2024

ସ୍କୁଲ ଦିଦିଙ୍କ ଦାଦାଗିରି ଭିଡିଓ ଭାଇରାଲ

By amfnews Nov 2, 2019 #Featured
109 Views

ବୌଦ୍ଧ : ସ୍କୁଲକୁ ବିଳମ୍ବରେ ଆସୁଛନ୍ତି। ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଏଥିସହ ଗାଳିଗୁଲଜ ବି କରିବାକୁ ପଛାଉ ନାହାନ୍ତି। ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି।

ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ଇାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ଗତକାଲି ସ୍କୁଲକୁ ବିଳମ୍ବରେ ଆସିଥିଲେ। ସ୍କୁଲ କମିଟି ସଭାପତି ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପଚାରିବାକୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା କଥା କଟାକଟି ଓ ଯୁକ୍ତତର୍କ। ଏହି ଯୁକ୍ତତର୍କର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦିଦି କହୁଛନ୍ତି, “ମୁଁ ୧୦୦ ଟଙ୍କା ତେଲ ଖର୍ଚ୍ଚ କରି ବହୁତ ଦୂରରୁ ଆସୁଛି। ମୋତେ ଘରୁ ଆସିବା ପାଇଁ ଅଧଘଣ୍ଟା ଲାଗୁଛି।” ଭିଡିଓର ସତ୍ୟାସତ୍ୟ ସମ୍ପର୍କରେ ପଚାରିବାରୁ ଶିକ୍ଷୟତ୍ରୀ କଲ୍ୟାଣୀ ଦାସ କହିଛନ୍ତି, “ମୁଁ ସ୍କୁଲରେ ପହଞ୍ଚିଲାବେଳକୁ ୧୦ ମିନିଟ୍ ଡେରି ହୋଇଯାଇଥିଲା। ସ୍କୁଲ ସଭାପତି ପିଲାମାନଙ୍କୁ ମତେଇ ମୋ ଫଟୋ ଉଠାଇଥିଲେ। ମୋର ଯଦି ଡେରି ହୋଇଯାଇଛି,  ଏ ବିଷୟରେ ପରୀକ୍ଷା ପରେ କଥା ହେବି ବୋଲି ମଧ୍ୟ କହିଥିଲି। ହେଲେ ସେମାନେ ମୋ କଥା ନଶୁଣି ମୋ ଫଟୋ ଉଠାଇଥିଲେ। ସେଥିପାଇଁ ମୁଁ ରାଗି ଯାଇଥିଲି।’

ଏ ନେଇ ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଳା କହିଛନ୍ତି,“ ମୁଁ ଏହି ଭାଇରାଲ ଭିଡିଓ ଦେଖିଛି। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଦିଦି ବିଳମ୍ବରେ ଆସୁଥିବା ନେଇ ପୂର୍ବରୁ କେବେ ଅଭିଯୋଗ ହୋଇନାହିଁ।” ସ୍କୁଲ ଦିଦିଙ୍କ ଏପରି ଆଚରଣ ପିଲାଙ୍କ ପକ୍ଷେ କେତେ ଶିକ୍ଷଣୀୟ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

By amfnews

Related Post