Thu. Jan 23rd, 2025

ସେଲର ବୈଷୟିକ ନିର୍ଦ୍ଦେଶକ ରୂପେ ଏଚ. ଏନ. ରାୟଙ୍କ ଦାୟିତ୍ୱ ଗ୍ରହଣ

rklsanchar@gmail.com' By J.N. Pradhan Aug 2, 2018 #Featured
191 Views

ରାଉରକେଲା, ୨/୮ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ବୈଷୟିକ ନିର୍ଦ୍ଦେଶକ ରୂପେ ଶ୍ରୀ ହରି ନନ୍ଦ ରାୟ ଅଗଷ୍ଟ ୧ ତାରିଖରେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଆଇଆଇଟି ବିଏଚୟୁରୁ ମେଟାଲର୍ଜିକାଲ ଇଞ୍ଜିନିୟରିଂ ଶିକ୍ଷାଲାଭ କରିଥିବା ଶ୍ରୀ ରାୟ ୧୯୮୬ ମସିହାରେ ସେଲରେ ଯୋଗ ଦେଇଥିଲେ । ସେଲରେ ଦୀର୍ଘ ୩୨ ବର୍ଷର ସେବା ଅବଧି ମଧ୍ୟରେ ସେ ଭିଲାଇ ଷ୍ଟିଲ ପ୍ଲାଣ୍ଟ, ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ଏବଂ କର୍ପୋରେଟ ଅଫିସରେ କାର୍ଯ୍ୟ କରିଛନ୍ତି ।

ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ ଆରମ୍ଭ କରିଥିବା ଶ୍ରୀ ରାୟ ବ୍ଲାଷ୍ଟ ଫର୍ଣ୍ଣେସ ବୈଷୟିକ ଜ୍ଞାନକୌଶଳ, ଅପରେସନ ଓ ଲଜିଷ୍ଟିକ୍ସ ଇତ୍ୟାଦିରେ ସ୍ୱତନ୍ତ୍ର ଦକ୍ଷତା ଲାଭ ପୂର୍ବକ ବ୍ଲାଷ୍ଟ ଫର୍ଣ୍ଣେସ ମହାପ୍ରବନ୍ଧକ ପଦବୀକୁ ପଦୋନ୍ନତି ହୋଇଥିଲେ । ପରେପରେ ସେ ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ନିର୍ବାହୀ ନିର୍ଦ୍ଦେଶକ (କାର୍ଯ୍ୟ) ପଦବୀରେ ଯୋଗଦେଇଥିଲେ । ଏହି ପଦବୀରେ ସେ କାରଖାନାର ପ୍ଲାନିଂ, ମରାମତି ଓ ରକ୍ଷଣାବେକ୍ଷଣ, ଲଜିଷ୍ଟିକ୍ସ ଇତ୍ୟାଦି ସମେତ ସାମଗ୍ରିକ ଅପରେସନ ନିପୁଣ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହାପରେ ସେ କର୍ପୋରେଟ ଅଫିସରେ ନିର୍ବାହୀ ନିର୍ଦ୍ଦେଶକ (ଅପରେସନ) ରୂପେ ଅପରେସନ, ଲଜିଷ୍ଟିକ୍ସ, କଞ୍ଚାମାଲ ପ୍ଲାନିଂ ଓ ବିତରଣ ଆଦି ଦାୟିତ୍ୱ ନିର୍ବାହ କରିଥିଲେ । ସେ ସେଣ୍ଟ୍ରାଲ କୋଲ ସପ୍ଲାଇ ଅର୍ଗାନାଇଜେସନ, ଏନାର୍ଜୀ ମେନେଜମେଣ୍ଟ ଡିଭିଜନ ଓ ରେଳ ପରିବହନ ସେଲର ମଧ୍ୟ ପ୍ରଭାରୀ ଥିଲେ । ଶ୍ରୀ ରାୟ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ସମୟରେ କମ୍ପାନୀର ବୈଷୟିକ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ଯେତେବେଳେ ସେଲ ଏହାର ଆଧୁନିକୀକରଣ ଓ ସଂପ୍ରସାରଣ ଅନ୍ତର୍ଗତ ନୂତନ ୟୁନିଟଗୁଡିକରୁ ଉତ୍ପାଦନରେ ବ୍ୟାପକ ବୃଦ୍ଧି ଆଣୁଛି ।

Related Post