ରାଉରକେଲା, ୨୭ା୮ : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧି ତଥା ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ଶ୍ରମିକ, କୃଷକ, ଚାଷୀମାନଙ୍କ ସମସ୍ୟାକୁ ଭିତ୍ତିକରି ୧୮ ଦଫା ଦାବିକୁ ନେଇ ଦିଲ୍ଲୀ ଆସନ୍ତା ସେପ୍ଟେମ୍ବର ୫ ତାରିଖ ସଙ୍ଗଠିତ ହେବାକୁ ଥିବା ମଜଦୁର କିସାନ ସଂଘର୍ଷ ସମାବେଶକୁ ସଫଳ କରିବା ସହିତ ସରକାରଙ୍କ ଜନବିରୋଧି ନୀତିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସିଆଇଟିୟୁ ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ଏକ ପ୍ରଚାର ଜାଠା ଜିଲା ସାଧାରଣ ସମ୍ପାଦକ ବିମାନ ମାଇତିଙ୍କ ନେତୃତ୍ୱରେ ଆଜି ରାଉରକେଲାରୁ ବାହାରିଛି ।
ଆଜି ନିର୍ମଳମୁଣ୍ଡା ମାର୍କେଟ ଠାରେ ଏହି ପ୍ରଚାର ଜାଠାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଛନ୍ତି ସଙ୍ଗଠନର ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମୋଦି ସରକାର କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଶ୍ରମିକ, କୃଷକ ତଥା ଜନସାଧାରଣଙ୍କ ବିରୁଦ୍ଧରେ ନୀତି ଗ୍ରହଣ କରିବାରେ ଲାଗିଛନ୍ତି । ୨୦୧୪ ମସିହା ସାଧାରଣ ନିର୍ବାଚନରେ ଯେଉଁ ପ୍ରତିଶ୍ରୁତି ଦେଇ ସେ କ୍ଷମତାକୁ ଆସିଥିଲେ ସେଥିମଧ୍ୟରୁ ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଅପରପକ୍ଷରେ ଦେଶର ସ୍ୱାଧୀନତା ପୂର୍ବରୁ ଶ୍ରମିକ ଓ କୃଷକମାନେ ଯେଉଁ ସୁବିଧା ସୁଯୋଗ ପାଉଥିଲେ ତାକୁ ବନ୍ଦ କରି ଦେବାକୁ ଆଇନ୍ ଆଣିଛନ୍ତି । ବିମୁଦ୍ରାୟନ ଓ ଜିଏସ୍ଟି ଭଳି ଭୁଲ୍ ପଦକ୍ଷେପ ଯୋଗୁଁ ଆଜି ଦେଶର ଅର୍ଥନୀତି ରସାତଳକୁ ଚାଲିଯାଇଚି ।
କଳ କାରଖାନା ବନ୍ଦ ହେବା ସହ କାମ କରୁଥିବା ଶ୍ରମିକ ବେକାର ହୋଇଛନ୍ତି । ବେକାରଙ୍କୁ ନିଯୁକ୍ତି ମିଳୁ ନାହିଁ । ଦରଦାମ୍ ନିୟନ୍ତ୍ରଣରେ ନାହିଁ । ଅନ୍ୟପକ୍ଷରେ ଜାତି, ଧନ ଓ ଖାଦ୍ୟ ନାମରେ ଦେଶରେ ଅରାଜକତା ବୃଦ୍ଧି ପାଇଛି । ଏହି ଜନବିରୋଧି ସରକାର ବିରୁଦ୍ଧରେ ଆଗାମୀ ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ ଠାରେ ପାର୍ଲିଆମେଣ୍ଟ ଅଭିଯାନ ସହ ମଜଦୁର କିସାନ ସଂଘର୍ଷ ସମାବେଶରେ ହଜାର ହଜାର ଶ୍ରମିକ, କୃଷକ, ସାଧାରଣ ଜନତା ସାମିଲ୍ ହେବାକୁ ଶ୍ରୀ ଅଲ୍ଲୀ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନମାଳୀ ଧୂପାଳ, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ବି.ପି. ମହାପାତ୍ର, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ନୃସିଂହ ନାରାୟଣ ପାଣିଗ୍ରାହୀ, ଅଶୋକ ମିଶ୍ର, ଅରୁ ଦାସ, କିଶୋର ତନ୍ତୀ, ବିଶ୍ୱଜିତ ମାଝି, ଦିବାକର ମହାରଣା, ଜେ.କେ. ସାହୁ, ଲକ୍ଷ୍ମୀଧର ନାୟକ, ପ୍ରଦୀପ ସେଠୀ, ପୀତାମ୍ବର ବେହେରା, ରତ୍ନାକର ନାୟକ ପ୍ରମୁଖ ସାମିଲ୍ ହୋଇଥିଲେ ।

