ଭୁବନେଶ୍ବର : ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ରେଳପଥ ପକ୍ଷରୁ ପୁରୀ-ହବିବଗଞ୍ଜ(ଭୋପାଳ)-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ୨୦୧୯ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହବିବଗଞ୍ଜ-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍(୦୧୬୬୧) ହବିବଗଞ୍ଜଠାରୁ ପ୍ରତି ମଙ୍ଗଳବାର ସକାଳ ୭ଟା ୨୦ରେ ଛାଡ଼ି ପୁରୀଠାରେ ତା’ ପରଦିନ ପୂର୍ବାହ୍ନ ୧୦ରେ ପହଞ୍ଚୁଥିବା ବେଳେ ପୁରୀ-ହବିବଗଞ୍ଜ ଏକ୍ସପ୍ରେସ(୦୧୬୬୨) ପୁରୀଠାରୁ ପ୍ରତି ବୁଧବାର ଅପରାହ୍ଣ ୩ଟାରେ ଛାଡ଼ି ତା’ପରଦିନ ଅପରାହ୍ଣ ୩ଟା ୨୫ରେ ହବିବଗଞ୍ଜରେ ପହଞ୍ଚୁଛି। ଜବଲପୁର ଷ୍ଟେସନ୍ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଏହି ଟ୍ରେନ୍ ଅଗଷ୍ଟ ୨୮ ପର୍ଯ୍ୟନ୍ତ ମାର୍ଗ ପରିବର୍ତ୍ତନ କରି ବିଦିଶା, ବିଣା, ସଗୌର, ଦାମୋହ ଓ କାଟଣି ମୁରୱାରା ଷ୍ଟେସନ୍ ମାର୍ଗରେ ଚଳାଚଳ କରୁଛି। ସେପ୍ଟେମ୍ବର ୩ରୁ ଏହାର ସ୍ଥିରୀକୃତ ମାର୍ଗ ହୋଷାଙ୍ଗବାଡ଼, ଇଟାରସି, ପିପାରିଆ, ନରସିଂହପୁର, ଜବଲପୁର ଓ କାଟଣି ସାଉଥ ମାର୍ଗ ହୋଇ ଯାତାୟାତ କରିବ। ଏହି ଟ୍ରେନ୍ରେ ଗୋଟିଏ ପ୍ରଥମ ଓ ଦ୍ଵିତୀୟ ଏସିର ମିଳିତ କୋଚ, ଗୋଟିଏ ଏସି-୨ ଟାୟାର, ୪ଟି ଏସି-୩ ଟାୟାର, ୧୧ଟି ସ୍ଲିପର କୋଚ, ଦୁଇଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
100 Views