Sun. Jun 8th, 2025

ସେନାବାହିନୀ ସହ ସମ୍ପର୍କ ଥିବା ଅଭିଯୋଗରେ ଚୀନ୍‌ର ୩୩ଟି କମ୍ପାନି ଓ ପ୍ରତିଷ୍ଠାନକୁ ବର୍ଜନ କଲା ଆମେରିକା

By amfnews May 23, 2020 #Featured
170 Views

ୱାସିଂଟନ୍: ଚୀନ୍ର ପ୍ରାୟ ୩୩ଟି କମ୍ପାନି ଓ ପ୍ରତିଷ୍ଠାନକୁ ଯୁକ୍ତରାଷ୍ଟ୍ର ଆମେରିକା ବ୍ୟାବସାୟିକ ବର୍ଜନ ତାଲିକାଭୁକ୍ତ କରିଛି। ଏହି କମ୍ପାନି ସବୁ ବେଜିଙ୍ଗ୍‌କୁ ନିଜ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଗୁପ୍ତଚରଗିରି କରିବାରେ ସହାୟକ ହେଉଛି ଏବଂ ଚୀନ୍‌ ସେନାବାହିନୀ ସହ ଏହି କମ୍ପାନିଗୁଡ଼ିକର ସମ୍ପର୍କ ଅଛି ବୋଲି ଅଭିଯୋଗ ଆସିଛି।

ହଙ୍ଗ୍‌ କଙ୍ଗ୍‌ରେ ଜାତୀୟ ନିରାପତ୍ତା ଆଇନ ପ୍ରଣୟନ କରିବାକୁ ବେଜିଙ୍ଗ୍ ଯୋଜନା କରିବାର ଗୋଟିଏ ଦିନ ପରେ ଟ୍ରମ୍ପ୍ ପ୍ରଶାସନ ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ବିଭାଗ ଜରିଆରେ ଚୀନ୍ ବିପକ୍ଷରେ ଏହି ‌କଠୋର ପଦକ୍ଷେପ ଗ୍ରହଣ କରିଛି।

ବାଣିଜ୍ୟ ବିଭାଗ ଏକ ବିବୃତିରେ କହିଛି ଯେ ଏହି କମ୍ପାନି ଓ ପ୍ରତିଷ୍ଠାନଗୁଡ଼ିକ ଦଣ୍ଡିତ ହେବାର ବିଭିନ୍ନ କାରଣ ରହିଛି। ସେମାନେ ମାନବିକ ଅଧିକାର ଉଲ୍ଲଂଘନ କରିଛନ୍ତି ଏବଂ ଉଇଘର୍‌ଙ୍କ ବିରୋଧରେ ଚୀନ୍‌ ଚଳାଇଥିବା ଦମନ ଅଭିଯାନ, ସ୍ବେଚ୍ଛାଚାରୀ ଗଣ ଅଟକ, ଶ୍ରମିକଙ୍କୁ ବଳପୂର୍ବକ ନିୟୋଜନ, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସର୍ଭିଲେନ୍‌ସି ଆଦିରେ ସହାୟକ ହୋଇଛନ୍ତି।

ଚୀନ୍‌ର ହାଇଟେକ୍ନୋଲଜି ସର୍ଭିଲେନ୍ସ୍ ସକ୍ରିୟ କରାଇଥିବା କାରଣରୁ ଅନ୍ୟୂନ ସାତଟି ଶୀର୍ଷସ୍ତରୀୟ ପ୍ରଯୁକ୍ତିବିଦ୍ୟା କମ୍ପାନିକୁ ବର୍ଜନ ତାଲିକାଭୁକ୍ତ କରାଯାଇଛି। ଏହାଛଡ଼ା ଚୀନ୍‌ର ସେନାବାହିନୀର ବ୍ୟବହାର ପାଇଁ ସାମଗ୍ରୀ କିଣିବାରେ ସହାୟତା କରିଥିବା କାରଣରୁ ଅନ୍ୟ ୨୪ଟି କମ୍ପାନି, ସରକାରୀ ପ୍ରତିଷ୍ଠାନ ଏବଂ ବାଣିଜ୍ୟିକ ସଙ୍ଗଠନ ପାଇଁ ମଧ୍ୟ ଦଣ୍ଡବିଧାନ କରାଯାଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ବିଭାଗ କହିଛି।

By amfnews

Related Post