ରାଉରକେଲା, ୧୩ା୯ : ସେକ୍ଟର-୧୬ ସ୍ଥିତ ଡିଏଭି ବିଦ୍ୟାଳୟ ସେପ୍ଟେମ୍ବର ୧ ତାରିଖଠାରୁ ହିନ୍ଦୀ ଦିବସ ଉପଲକ୍ଷେ ହିନ୍ଦୀ ଚତୁର୍ଦ୍ଦଶୀ ପାଳନ କରାଯାଇଛି । ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରେରଣାରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ମହାନ ହିନ୍ଦୀ ସାହିତ୍ୟିକଙ୍କ ରଚିତ କବିତା ଓ ସେମାନଙ୍କ ଜୀବନୀ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏଥିସହ କବିଙ୍କ ଦୋହାଗାନ କରାଯାଇଥିଲା ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତିଯୋଗିତା ମଧ୍ୟରେ ହସ୍ତାକ୍ଷର, କବିତା ଆବୃତ୍ତି ଓ କୁଇଜ୍ ଥିଲା । ହିନ୍ଦୀ ରାଷ୍ଟ୍ରଭାଷା ହୋଇଥିଲେ ମଧ୍ୟ ବୈଦେଶିକ ଭାଷାର ପ୍ରାଦୁର୍ଭାବରେ ରାଷ୍ଟ୍ରଭାଷା ପ୍ରତି ଅନାଗ୍ରହତା ଦେଖା ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଆଭିମୁଖ୍ୟ ଥିଲା ।
ଏହାବ୍ୟତୀତ ଏହି ଦିବସ ସହ ତାଳଦେଇ ସ୍ୱଚ୍ଛ ଭାରତ ପାଳନ କରାଯାଇ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବକ୍ତୃତା ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶିଷ୍ଟ ହିନ୍ଦୀ ସାହିତ୍ୟିକଙ୍କ ଫଟୋଚିତ୍ର ବଣ୍ଟନ କରାଯାଇଥିଲା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ପାଜପେୟୀଙ୍କ କବିତାଗୁଡିକୁ ସଂଗ୍ରହ କରି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆବୃତ୍ତି କରାଯାଇଥିଲା ।