Mon. Dec 23rd, 2024

ସୁଷମା ସ୍ୱରାଜଙ୍କ ଠାରୁ ବାଜପେୟୀଙ୍କ ଅସ୍ଥି କଳସ ଗ୍ରହଣ କଲେ ବସନ୍ତ ପଣ୍ଡା, ଆସନ୍ତାକାଲି ମହୋଦଧୀରେ ହେବ ବିସର୍ଜନ

By amfnews Aug 22, 2018 #Featured
190 Views

ଭୁବନେଶ୍ୱର, ଅଗଷ୍ଟ ୨୨:

ଭାରତ ରତ୍ନ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମକୁ ଦେଶର କୋଣ ଅନୁକୋଣରେ ଥିବା ପବିତ୍ର ନଦୀ ଓ ସମୁଦ୍ର ଜଳରେ ବିସର୍ଜନ କରିବାକୁ ଭାରତୀୟ ଜନତା ପାର୍ଟି ନିଷ୍ପତି ନେଇଛି । ଏହି କ୍ରମରେ  ଓଡିଶାରେ ମଧ୍ୟ ଅଜାତଶତ୍ରୁ ଶ୍ରୀ ବାଜପେୟୀଙ୍କର ପବିତ୍ର ଅସ୍ଥିକୁ ବିସର୍ଜନ କରାଯିବ ।

ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଠାରୁ  ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ଅସ୍ଥି କଳସକୁ ଗ୍ରହଣ କରିଛନ୍ତି । ଏହା ପରେ ଭୁବନେଶ୍ୱର ଅଭିମୁଖେ ଅସ୍ଥି କଳସ ନେଇ ଶ୍ରୀ ପଣ୍ଡା ଅପରାହ୍ନରେ ଦିଲ୍ଲୀ ଛାଡିବେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଶା ଆସିବା ନେଇ ସୂଚନା ମିଳିଛି ।

ଆଜି ସଂଧ୍ୟା ୬ ଘଂଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବ ଅଟଳଙ୍କ ଅସ୍ଥି କଳସ । କଳସ ପହିଂଚିବା ପରେ ଏହାକୁ ବିରାଟ ଶୋଭାଯାତ୍ରାରେ ଦଳୀୟ କାର୍ୟ୍ୟାଳୟକୁ ଅଣାଯିବ । ସେଠାରେ ରାତିସାରା ଏହି ଅସ୍ଥିକଳସ ରଖାଯିବ ଏବଂ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ରହିବ । ଆସନ୍ତାକାଲି ବିଜେପି ନେତୃବୃନ୍ଦଙ୍କ ଗହଣରେ ଅସ୍ଥି କଳସକୁ ସକାଳ ୯ ଟାରେ ବିଜେପି କାର୍ୟ୍ୟାଳୟରୁ ପୁରୀ ଅଭିମୁଖେ ନିଆଯିବ । ଅସ୍ଥି କଳସକୁ ଉତରା – ପିପିଲି ପୁରୁଣା ରାସ୍ତା ଦେଇ  ପୁରୀ ନେବା ସମୟରେ ବହୁ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବା ନେଇ ସ୍ଥିର ହୋଇଛି । ପୁରୀରେ ପହଂଚିବା ପରେ କଳସକୁ ବଡଦାଣ୍ଡରୁ ସମୁଦ୍ର ପର୍ୟ୍ୟନ୍ତ ଏକ ପଦଯାତ୍ରାରେ ସମ୍ମାନର ସହକାରେ ନିଆଯିବ ବୋଲି ଜଣାପଡିଛି।

ଏହି ମହାନଆତ୍ମାଙ୍କ ଅସ୍ଥିକୁ ମହୋଦଧୀରେ ବିସର୍ଜନ କରିବା ପରେ ୨୪ ତାରିଖ ଦିନ ଅପରାହ୍ନ ୪ ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ସାର୍ବଜନୀନ ଓ ସର୍ବଦଳୀୟ ସାଧାରଣ ସଭାର ଆୟୋଜନ କରାଯିବ ।  ଏହି ସଭାରେ ଦଳଗତ ନିର୍ବିଶେଷରେ  ସମସ୍ତେ ଉପସ୍ଥିତ ରହି ଯୋଗଜନ୍ମା ମହାପୁରୁଷ ଅଟଳଜୀଙ୍କୁ ଶ୍ରଦ୍ଧାଂଜଳୀ ଦେବା ପାଇଁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।

By amfnews

Related Post