ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କରିଛି। ଆଜି ସଂଧ୍ୟା ୫.୩୦ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହବାତ୍ୟା ରୂପ ନେବାପରେ ଘଣ୍ଟା ପ୍ରତି ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବ ବୋଲି ଡ.ମହାପାତ୍ର ସୂଚନା ଦେଇଛନ୍ତି।
ସଦ୍ୟତମ ସୂଚନା ଅନୁଯାୟୀ, ଏବେ ଅମ୍ଫାନ୍ ପାରାଦୀପଠାରୁ ୭୯୦ କି.ମି ଦୂରରେ ରହିଛି। ତା’ଛଡ଼ା ଦୀଘା (ପଶ୍ଚିମବଙ୍ଗ) ର ୯୪୦ କିଲୋମିଟର ଏବଂ ଖେପୁପାରା (ବାଂଲାଦେଶ)ର ୧୦୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଦୂରରେ ରହିଥିବା ଜଣାଯାଇଛି | ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଏବେ ଘଣ୍ଟା ପ୍ରତି ୧୩ କି.ମି ବେଗରେ ଗତି କରୁଥିବା ଜଣାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସୁପର ସାଇକ୍ଲୋନରେ ପରିଣତ ହୋଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି |