Mon. Mar 9th, 2026

ସୁନାବେଶରେ ଅପରାହ୍ନ ୪ରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

245 Views

ପୁରୀ : ଆଜି ଅପରାହ୍ନ ୪ଟାରୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ୪ଟାରୁ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଚାଲୁ ରହିବ। ଏହି ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ ସହ ଓ୍ଵାନ୍‌ େଓ୍ଵ ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ହୋଇଛି।

ମହାପ୍ରଭୁ ପ୍ରାୟ ୨ ଶହ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧି ଲକ୍ଷ ଲକ୍ଷ ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶକୁ ରାଜରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଏ। ବିଶ୍ୱାସ ରହିଛି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ଶ୍ରୀମନ୍ଦିର ପରମ୍ପରା ଅନୁସାରେ ବର୍ଷକୁ ୪ ଥର ସୁନା ବେଶ ହୋଇଥାଏ। ମନ୍ଦିର ଭିତରେ ୩ ଥର ହୋଇଥିବା ବେଳେ ବାହୁଡ଼ା ଯାତ୍ରା ପରେ ବଡ଼ ଦାଣ୍ଡରେ ଥରେ ସୁନାବେଶ ହୋଇଥାଏ। ରଥ ଉପରେ ହୋଇଥିବା ଏହି ସୁନା ବେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭକ୍ତମାନେ ବିଶ୍ୱାସ କରି ଆସିଛନ୍ତି।

ଏହି ବେଶ ସମୟରେ ଶ୍ରୀଜିଉ ଆଡ଼କାନି, ଘାଗରା ମାଳି, କିରିଟି, ବାଘନଖ ଓ ପାନପତ୍ରି ଆଦି ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେବେ। ଏହି ସବୁ ସୁନା ଅଳଙ୍କାର ପିନ୍ଧିବା ସହ ରୂପାରେ ତିଆରି ପଞ୍ଚଜନ୍ୟ ଶଙ୍ଖକୁ ଧାରଣ କରିବେ। ଆଜି ସୁନା ବେଶ ସରିବା ପରେ ଆସନ୍ତାକାଲି ହେବ ଅଧରପଣା ନୀତି। ତା’ପରଦିନ ହେବ ନିଳାଦ୍ରି ବିଜେ।

By amfnews

Related Post