Sat. Nov 23rd, 2024

ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆଜି ହେବେ ମୁହାଁମୁହିଁ

By amfnews Nov 10, 2020 #Featured
104 Views

ନୂଆଦିଲ୍ଲୀ, ନଭେମ୍ବର ୧୦: ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦୀର୍ଘ ୭ ମାସ ଧରି ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥିବା ବେଳେ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମୁହାଁମୁହିଁ ହେବେ । ଉଭୟ ନେତା ଆଜି ସାଂଘାଇ ସହଯୋଗ ସଂଗଠନ (ଏସଓସି) ଶିଖର ସମ୍ମିଳନୀର ବୈଠକରେ ଉପସ୍ଥିତ ରହିବେ । 

ଅନଲାଇନ ଶିଖର ସମ୍ମିଳନୀର ଆୟୋଜକ ହେଉଛି ରୁଷିଆ । ଏହି ସମ୍ମିଳନୀ ଆଜି ଅପରାହ୍ନ ୨ଟାରେ ଆରମ୍ଭ ହେବ । ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ବୈଠକରେ ଅଧ୍ୟକ୍ଷତା କରିବେ । ସାଂଘାଇ ସହଯୋଗ ସଂଗଠନର ଏହା ହେଉଛି ତୃତୀୟ ବୈଠକ, ଯେଉଁଥିରେ କି ଭାରତ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ଅଂଶଗ୍ରହଣ କରିଆସୁଛି ।

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଭର୍ଚ୍ୟୁଆଲ କମିଟି ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓର ରାଷ୍ଟ୍ର ପ୍ରମୁଖ ପରିଷଦର ୨୦ତମ ଶିଖର ସମ୍ମିଳନୀରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ କରିବେ । ଏହି ବୈଠକ ନଭେମ୍ବର ୧୦ତାରିଖରେ ଅନଲାଇନରେ ଅନୁଷ୍ଠିତ ହେବ । ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏହାର ଅଧ୍ୟକ୍ଷତା କରିବେ । 

ସୂଚନାଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଚଳିତ ବର୍ଷ ମେ’ ମାସ ଠାରୁ ପୂର୍ବ ଲଦ୍ଦାଖରେ ସୀମାକୁ ନେଇ ବିବାଦ ଦେଖାଯାଇଛି । ଏହାକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ଅନେକ ପର୍ଯ୍ୟାୟରେ ସୈନ୍ୟ ଓ କୁଟନୈତିକ ଆଲୋଚନା ହୋଇସାରିଛି । କିନ୍ତୁ ଆଲୋଚନା ଏଯାଏଁ ସଫଳ ହୋଇପାରି ନାହିଁ । ଚଳିତ ବର୍ଷ ଚୀନ ସୈନିକଙ୍କ ସହିତ ହିଂସା ଯୋଗୁଁ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହି ଦିନ ଠାରୁ ଉଭୟ ଦେଶର ସଂପର୍କ ଫିକା ପଡ଼ିଛି । ଏହାରି ମଧ୍ୟରେ ଆଜି ଏସସିଓ ବୈଠକ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଜିନପିଙ୍ଗ ଅନଲାଇନ ମାଧ୍ୟମରେ ମୁହାଁମୁହିଁ ହେବେ । 

ସାଂଘାଇ ସହଯୋଗ ସଂଗଠନର ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ସାମିଲ ହେବେ । ଏହା ବ୍ୟତୀତ କାଜକିସ୍ତାନ, ତାଜିକସ୍ତାନ ଓ ଉଜବେକିସ୍ତାନ ନେତା ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ବୈଠକରେ ସମସ୍ତ ସଦସ୍ୟ ସୁରକ୍ଷା, ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ, ଆର୍ଥିକ, ମାନବୀୟ ସହଯୋଗ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ କରିବା ନେଇ ଆଲୋଚନା ହେବ । ଏହା ବ୍ୟତୀତ ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା ହେବ ।

By amfnews

Related Post