Mon. Dec 23rd, 2024

ସିପିଆଇ (ଏମ୍) ସୁନ୍ଦରଗଡ ଜିଲା କମିଟି ବୈଠକରେ ଜନଗଣଙ୍କ ଜୀବନ ଜୀବିକାର ଦାବିକୁ ନେଇ ଆଲୋଚନା ନିଷ୍ପତ୍ତି : କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ଜିଲାବ୍ୟାପି ଆନ୍ଦୋଳନ କରିବ ସିପିଆଇ (ଏମ୍)

rklsanchar@gmail.com' By J.N. Pradhan Jul 8, 2018 #Featured
175 Views

ରାଉରକେଲା, ୮/୭: ସିପିଆଇ (ଏମ୍) ସୁନ୍ଦରଗଡ ଜିଲା କମିଟି ବୈଠକ ଦୁଇଦିନ ଧରି ଶକ୍ତିନଗର ସ୍ଥିତ ଏକେଜି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପାର୍ଟି ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତି, ଅନ୍ୟତମ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ମହାନ୍ତି ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୪ ବର୍ଷ ଶାସନକୁ ତୀବ୍ର ସମାଲୋଚନା କରିଥିଲେ ।

ମୋଦି ସରକାର ଦେଶବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ ଶାସନର ୪ ବର୍ଷ ପରେ ମଧ୍ୟ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି ନେତୃବୃନ୍ଦ ଅଭିଯୋଗ କରିଥିଲେ । ବଜାର ଦର ଆକାଶ ଛୁଆଁ ହୋଇଛି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇ ସର୍ବକାଳୀନ ରେକର୍ଡ କରିଛି । ବାର୍ଷିକ ୨ କୋଟି ବେକାରଙ୍କୁ ନିଯୁକ୍ତି ପ୍ରତିଶ୍ରୁତି କେବଳ ନିର୍ବାଚନୀ ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି । ବିଦେଶରୁ କଳାଧନ ଆଣି ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ମଧ୍ୟ ନିର୍ବାଚନୀ ଜୁମ୍ଲାରେ ପରିଣତ ହୋଇଛି ।

ଅନ୍ୟପକ୍ଷରେ ବୁମିଦ୍ରୀକରଣ, ଜିଏସ୍ଟି ଭଳି ସରକାରଙ୍କ କଳା ନିଷ୍ପତ୍ତି ଦେଶର ଜନସାଧାରଣ, ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ଅବସ୍ଥାକୁ ସଂକଟାପନ୍ନ କରିଦେଇଛି । ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ଛଟେଇ ହୋଇଥିବା ବେଳେ ହଜାର ହଜାର କଳକାରଖାନା ମୋଦି ସରକାରର କଳା ନିଷ୍ପତ୍ତି ଯୋଗୁ ବନ୍ଦ ହୋଇଯାଇଛି । ମୋଦି ସରକାର ଦେଶ ମଧ୍ୟରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରି ଦେଶରେ ଏକ ଅଶାନ୍ତର ବାତାବରଣ ସୃଷ୍ଟି କରିଛନ୍ତି । ମୋଦି ସରକାରର ଏସବୁ ଜନବିରୋଧି ନିଷ୍ପତ୍ତି ବିରୁଦ୍ଧରେ ଗ୍ରାମରୁ ନେଇ ସହର ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ଆନ୍ଦୋଳନରେ ସାମିଲ୍ କରିବାକୁ ଆହ୍ୱାନ ଦିଆଯାଇଛି ।

ଜିଲା କମିଟି ବୈଠକରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବନମାଳୀ ଧୂପାଳ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ସମ୍ପାଦକ ପ୍ରମୋଦ କୁମାର ସାମଲ ଜିଲାବାସୀଙ୍କ ବିଭିନ୍ନ ସମସ୍ୟା ଓ ଆନ୍ଦୋଳନର କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ । ଧନ ସହ ବିରି, ମୁଗ, ସୂର୍ଯ୍ୟମୁଖୀ, ମକା, ଗହମ ଆଦି ୨୬ଟି କୃଷି ଉତ୍ପାଦନ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଧାନର ସହାୟକ ମୂଲ୍ୟ ସର୍ବନିମ୍ନ କ୍ୱିଣ୍ଟାଲ ପିଛା ୩ ହଜାର ଟଙ୍କା, ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବା, ତାଳଚେର-ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ, ଜଙ୍ଗଲଜମିର ଅଧିକାର, କାରଖାନା ବାସଚ୍ୟୁତମାନଙ୍କୁ ସେହି କାରଖାନାରେ ଅଂଶୀଦାର, ଜାତୀୟ ରାଜପଥ ୨୧୫/୫୨୦ ଏବଂ ରାଜ୍ୟ ରାଜପଥ ୧୦ର ତୁରନ୍ତ ନିର୍ମାଣ, ଖୁଣ୍ଟୁଗାଁକୁ ବ୍ଲକ୍ ଘୋଷଣା, ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ଏବଂ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଆଦି ଦାବିରେ ଆନ୍ଦୋଳନ ସଙ୍ଗଠିତ କରିବାକୁ ଜିଲା କମିଟି ନିଷ୍ପତ୍ତି ଗ୍ରହଣ କରିଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ତଥା ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସଲୋମୀ ମିଞ୍ଜ, ଜିଲା କମିଟି ସଭ୍ୟ ବି.ପି. ମହାପାତ୍ର, ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ଅଜୟ ଶର୍ମା, ଅନିରୁଦ୍ଧ ତ୍ରିପାଠୀ, ଲାଲମୋହନ ଗୋପ, ଆନନ୍ଦମାସି ହରୋ, ବୈକୁଣ୍ଠ ଦଳେଇ, ମନୋଜ ମିର୍ଦ୍ଧା ପ୍ରମୁଖ ସାମିଲ୍ ଥିଲେ ।

Related Post