Wed. Dec 25th, 2024

ସିଦ୍ଧୁଙ୍କୁ ଜାତୀୟ ସୁରକ୍ଷା ଆଇନ ବଳରେ ଗିରଫ ପାଇଁ ଦାବି କଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ

By amfnews Nov 30, 2018 #Featured
215 Views

ନୂଆଦିଲ୍ଳୀ, ନଭେମ୍ବର ୩୦ : ପଞ୍ଜାବ ସରକାରଙ୍କ ମନ୍ତ୍ରୀ, କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ଖେଳାଳୀ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଜାତୀୟ ସୁରକ୍ଷା ଆଇନ ( ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ବା ଏନଏସଏ)ରେ ଗିରଫ କରିବା ପାଇଁ ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ। କ୍ରିକେଟିୟରରୁ ରାଜନେତା ପାଲଟିଥିବା

ଶ୍ରୀ ସିଦ୍ଧୁଙ୍କ ସହିତ ଖଲିସ୍ତାନ ଆନ୍ଦୋଳନର ନେତା ଗୋପାଲ ଚାଓ୍ଵଲାଙ୍କ ଫଟୋ ଥିବାରୁ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରି ବିଜେପି ନେତା ଶ୍ରୀ ସ୍ୱାମୀ କହିଛନ୍ତି ଯେ ସିଦ୍ଧୁଙ୍କ ବିରୋଧରେ ଏନଆଇଏ ତଦନ୍ତ କରିବା ଉଚିତ।
ଗୋପାଲ ଚାଓ୍ଵଲା କିଏ ସେ ଜାଣି ନାହାଁନ୍ତି ବୋଲି ସିଦ୍ଧୁ ଦେଇଥିବା ବୟାନ ଉପରେ ପ୍ରତିକି୍ରୟା ରଖି ଶ୍ରୀ ସ୍ୱାମୀ କହିଛନ୍ତି ଯେ ସିଦ୍ଧୁ ଯଦି କହୁଛନ୍ତି ଯେ ତାଙ୍କର ଖଲିସ୍ତାନ ସହିତ କିଛି ସମ୍ପର୍କ ନାହିଁ, ତେବେ ସେ ଏହାକୁ ନିନ୍ଦା କରିବା ଉଚିତ। କିନ୍ତୁ ସିଦ୍ଧୁଙ୍କ ବିରୋଧରେ ଏନଆଇଏ ତଦନ୍ତ ସହିତ ତାଙ୍କୁ ଏନଏସଏରେ ଗିରଫ କରାଯିବା ଉଚିତ ବୋଲି ସ୍ୱାମୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ ସିଦ୍ଧୁ ନିକଟରେ କର୍ତ୍ତାପୁର କରିଡରର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ତାଙ୍କ ସହ ଫଟୋ ଉଠାଇଥିବା ଖଲିସ୍ତାନ ଆନ୍ଦୋଳନର ନେତା ଗୋପାଲ ଚାଓ୍ଵଲା ସେହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି। ଶିରୋମଣି ଅକାଳି ଦଳର ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର ସିଦ୍ଧୁଙ୍କୁ ପାକିସ୍ତାନ ଏଜେଣ୍ଟ ବୋଲି ଅଭିହିତ କରି ଏ ନେଇ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୟାନ ଦେବା ଦାବି କରିଛନ୍ତି।

ତେବେ ସିଦ୍ଧୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଯେ ପାକିସ୍ତାନରେ ତାଙ୍କ ସହିତ ୫ରୁ ୧୦ ହଜାର ଲୋକ ଫଟୋ ଉଠାଇଛନ୍ତି। ସେ ଗୋପାଲ ଚାଓ୍ଵଲା କିିଏ ଜାଣି ନାହାଁନ୍ତି।
ସୂଚନାଯୋଗ୍ୟ ଯେ ଗୋପାଲ ଚାଓ୍ଵଲା ସେହି ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିବା ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କ୍ୱାମର ଜାଭେଦ ବାଜଓ୍ଵାଙ୍କ ସହିତ ହାତ ମିଳଉଥିବା ଫଟୋ ମଧ୍ୟ ମିଡିଆରେ ପ୍ରଚାର ହୋଇଛି। ସେହପରି ଏହି ଉତ୍ସବରେ ନିମନ୍ତ୍ରଣ ପାଇଥିିବା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ସେଠାକୁ ଯିବା ପାଇଁ ମନା କରି ଦେବା ସହିତ ସିଦ୍ଧୁଙ୍କୁ ମଧ୍ୟ ତାଙ୍କ ନିଷ୍ପତ୍ତିର ପୁର୍ନବିଚାର ପାଇଁ କହିଥିଲେ। ମାତ୍ର ସିଦ୍ଧୁ ସମସ୍ତ ପରାମର୍ଶକୁ ଅଗ୍ରାହ୍ୟ କରିବା ସହିତ ବନ୍ଧୁ ଇମ୍ରାନ୍‌ ଖାଁଙ୍କ ଅନୁରୋଧ ରକ୍ଷା କରି ସେଠାକୁ ଯାଇଥିଲେ।

By amfnews

Related Post