Tue. Nov 19th, 2024

ସିକ୍ୟୁରିଟି ଉଇଙ୍ଗ୍ ଏସ୍‌ପିଙ୍କ ଅଡ଼ୁଆ ବଢ଼ିଲା, ବିଧାନସଭାରେ ସ୍ବାଧିକାର ଭଙ୍ଗ ନୋଟିସ ଭଙ୍ଗ ଆଗତ

By amfnews Nov 20, 2019 #Featured
56 Views

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ସିକ୍ୟୁରିଟି ଵିଙ୍ଗ୍ ଏସ୍‌ପି କାହ୍ନୁରଂଜନ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ ହୋଇଥିବା ଆଲୋଚନା ସଂପର୍କରେ ଏହି ଅଧିକାରୀଜଣକ ଗଣମାଧ୍ୟମରେ ଉତ୍ତର ରଖିଛନ୍ତି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏପରିକି ତୁରନ୍ତ ଏହି ନୋଟିସ ଉପରେ ରୁଲିଂ ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି।

ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ ଯେ ପିଏସ୍‌ଓ ପ୍ରତ୍ୟାହାର ନେଇ ସେ ପୂର୍ବରୁ ବିଧାନସଭାର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଜଣେ ସରକାରୀ ଅଧିକାରୀ ଏହାର ଉତ୍ତର ବିଧାନସଭା ବାହାରେ ଗଣମାଧ୍ୟମରେ ଦେଇଛନ୍ତି। ବିରୋଧୀ ଦଳ ନେତା ପଦରେ ନଥିବାରୁ ସୁରକ୍ଷା ପ୍ରତ୍ୟାହାର କରାଯାଇଛି ବୋଲି କହିଛନ୍ତି। ଜଣେ ଯଦି ବିଧାନସଭାରେ କିଛି ପ୍ରଶ୍ନ ପଚାରେ ଓ ତାକୁ ଗୃହ ବାହାରେ ଗଣମାଧ୍ୟମରେ ଉତ୍ତର ଦିଆଯାଏ, ତେବେ ଏହା ଠିକ୍ ପରମ୍ପରା ତ? ଯଦି ଏମିତି ହେବ, ତେବେ ଏଠାରେ ମନ୍ତ୍ରୀ କାହିଁକି ରହିବେ? ଶ୍ରୀ ମିଶ୍ର କହିଥିଲେ ଯେ ସଂପୃକ୍ତ ଅଧିକାରୀ ଯାହା କହିଛନ୍ତି, ତାହା ଠିକ୍ ନୁହେଁ। ସେ କେବଳ ମିଛ ହିଁ କହିଛନ୍ତି। ଏହାଦ୍ବାରା କେବଳ ତାଙ୍କର ନୁହେଁ, ବରଂ ବିଧାନସଭାର ସମ୍ମାନ ହାନି ହୋଇଛି। ସ୍ବାଧିକାର କ୍ଷୁଣ୍ଣ ହୋଇଛି। ଏମିତି ଚାଲିଲେ, ଏହାର ଅନ୍ତ ଘଟିବନାହିଁ। ବାଚସ୍ପତି ଏଭଳି ଅସ୍ବାଭାବିକ ପରିସ୍ଥିତିକୁ ବରଦାସ୍ତ କରିବା ଉଚିତ୍ ନୁହେଁ। ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଗୃହକୁ ସମନ କରିବା ଲାଗି ସେ ଦାବି କରିଥିଲେ। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ କହିଥିଲେ ଶ୍ରୀ ମିଶ୍ର। ଏହାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ।

ଅନ୍ୟପକ୍ଷରେ ଅନ୍ୟ ଏକ ଘଟଣାକ୍ରମରେ ଆଜି ଶୂନ୍ୟକାଳରେ ଶ୍ରୀ ମିଶ୍ର ପୁଣି ଏକ ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ସ୍ବତନ୍ତ୍ର ଏସ୍‌ପିଙ୍କ ନିଯୁକ୍ତିକୁ କାଠଗଡାକୁ ଟାଣିଆଣିଥିଲେ। କହିଥିଲେ, ସିକ୍ୟୁରିଟି ଵିଙ୍ଗ୍ ନିଯୁକ୍ତି ନେଇ ଟ୍ରିବ୍ୟୁନାଲରେ ଏକ ମାମଲା ରୁଜୁ ହୋଇଥିଲା। ଏସପି ସିକ୍ୟୁରିଟି ଵିଙ୍ଗ୍ ଓ ଏସପି ଟେକ୍ନିକାଲ ଓପିଏସ୍ କ୍ୟା଼ଡର ନିଯୁକ୍ତି କଥା କୁହାଯାଇଥିଲା। ୨୦୧୯ ଜୁନ ୧୮ ତାରିଖର ଏହି ନିର୍ଦେଶ ନାମା ୩ମାସ ମଧ୍ୟରେ କାର୍ଯ୍ୟକାରୀ ହେବା କଥା। ଇତିମଧ୍ୟରେ ଏ ସମୟ ସୀମା ବିତିଗଲାଣି ଓ ସରକାର ଏହା ବିରୋଧରେ ଉପର କୋର୍ଟକୁ ଯାଇନାହାନ୍ତି। ହେଲେ ଆଇନଗତ ବ୍ୟବସ୍ଥା ପ୍ରତି ସରକାରଙ୍କ ସମ୍ମାନ ନଥିବାରୁ ଏସପି ସିକ୍ୟୁରିଟି ଵିଙ୍ଗ ପଦରେ ସଂପୃକ୍ତ ଅଧିକାରୀ ଏଯାଏ କାର୍ଯ୍ୟ କରୁଛନ୍ତି। ଯଦିଓ ଏସପି ଟେକ୍ନିକାଲଙ୍କୁ ଅବ୍ୟାହତି ଦିଆଯାଇଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ। ଗୋଟିଏ ପଟେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ ହୋଇଥିଲା ବେଳେ ଅନ୍ୟପଟରେ ତାଙ୍କ ସଂପର୍କରେ ଟ୍ରିବ୍ୟୁନାଲ ନିର୍ଦେଶନାମା କାର୍ଯ୍ୟକାରୀ ନ ହେବା ନେଇ ବିଧାନସଭାରେ ଶ୍ରୀ ମିଶ୍ର ଉଠାଇବା ପରେ ଏବେ ତାଙ୍କ ପାଇଁ ଅଡୁଆ ବଢିଯାଇଛି। ଉଭୟ ବାଚସ୍ପତି ଓ ରାଜ୍ୟ ସରକାର ଏହା ଉପରେ କଣ ପଦକ୍ଷେପ ନେଉଛନ୍ତି, ତା ଉପରେ ଏବେ ସମସ୍ତଙ୍କ ଲକ୍ଷ୍ୟ।

By amfnews

Related Post