Wed. Nov 27th, 2024

ସିଆଇଟିୟୁର ଦୁଇଦିନିଆ ରାଜନୈତିକ ଓ ସାଙ୍ଗଠନିକ କର୍ମଶାଳା ଉଦ୍ଘାଟିତ

rklsanchar@gmail.com' By J.N. Pradhan Jul 21, 2018 #Featured
126 Views

ରାଉରକେଲା, ୨୧/୭ : ସୁନ୍ଦରଗଡ ଜିଲାରେ ଶ୍ରମିକ ଶ୍ରେଣୀର ଛାମୁଆ ବାହିନୀକୁ ରାଜନୈତିକ ଓ ସାଙ୍ଗଠନିକ ଭାବରେ ଶିକ୍ଷିତ ଓ ସୁସଂହତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ଜନବିରୋଧି ନୀତି ବିରୁଦ୍ଧରେ ବଳିଷ୍ଠ ଗଣସଂଗ୍ରାମ ଗଢି ତୋଳିବା ପାଇଁ ସିଆଇଟିୟୁ ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ଦୁଇ ଦିନିଆ ରାଜନୈତିକ ଓ ସାଙ୍ଗଠନିକ କର୍ମଶାଳା ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନଠାରେ ସିଆଇଟିୟୁ ଜିଲା ସଭାପତି ତଥା ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କର୍ମଶାଳାକୁ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ସରକାରୀ ଓ ଦେଶୀ ବିଦେଶୀ ପୁଞ୍ଜିପତି ତଥା କର୍ପୋରେଟ୍ ସଂସ୍ଥାମାନଙ୍କ ପକ୍ଷରୁ ଶ୍ରମିକ ଶ୍ରେଣୀ ଉପରେ ଯେଉଁ ଆକ୍ରମଣ ହେଉଛି ତାର ମୁକାବିଲା କରିବାକୁ ହେଲେ ଶ୍ରମିକ ଶ୍ରେଣୀକୁ ରାଜନୈତିକ ଓ ସାଙ୍ଗଠନିକ ଭାବରେ ସୁଦୃଢ ହେବା ସହିତ ମତାଦର୍ଶଗତ ଭାବରେ ଶାଣିତ ହେବାକୁ ହେବ । କେନ୍ଦ୍ର ମୋଦି ସରକାର ୪ ବର୍ଷର କୁଶାସନକୁ ଶ୍ରୀ ମହାନ୍ତି ତୀବ୍ର ସମାଲୋଚନା କରିବା ସହ ଦେଶ ସ୍ୱାଧୀନ ହେବା ପରେ ଏଭଳି ଏକ ଶ୍ରମିକ, କୃଷକ ତଥା ଦେଶ ବିରୋଧି ସରକାର କେବେ ବି କ୍ଷମତାକୁ ଆସିନଥିଲା ।

ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଦେଶର ଶ୍ରମିକ ଶ୍ରେଣୀ ଏହି ଦେଶ ବିରୋଧି ସରକାରକୁ କ୍ଷମତାରୁ ବାହାର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେବା ସହ ଆଗାମୀ ଅଗଷ୍ଟ ୯ ତାରିଖର ଶ୍ରମିକ-କୃଷକମାନଙ୍କ ଜେଲଭରୋ ଆନ୍ଦୋଳନ, ସେପ୍ଟେମ୍ବର ୫ର ଶ୍ରମିକ-କୃଷକ ସଂଘର୍ଷ ଶୋଭାଯାତ୍ରାକୁ ସଫଳ କରିବାକୁ ହେବ । କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସିଆଇଟିୟୁ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି ବିବରଣୀ ପ୍ରଦାନ କରିବା ସହ ସୁନ୍ଦରଗଡ ଜିଲାରୁ ସମସ୍ତ ୟୁନିୟନର ସମସ୍ତ ନେତାଙ୍କୁ ସ୍ୱାଗତ ଜଣାଇଥିଲେ ।

କର୍ମଶାଳାରେ ଜିଲା ଉପସଭାପତି ଶ୍ରୀମନ୍ତ ବେହେରା ସଙ୍ଗଠନର ଗଣତାନ୍ତ୍ରିକ ପରିଚାଳନା ବିଷୟରେ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ଉପସଭାପତି ବନମାଳୀ ଧୂପାଳ ଶ୍ରମିକ ଶ୍ରେଣୀର ରାଜନୈତିକ ଆଦର୍ଶଗତ ଚେତନାର ଅଭିବୃଦ୍ଧି ଓ କର୍ମନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସିଆଇଟିୟୁ ସଙ୍ଗଠନର ପ୍ରସାର ଓ ସଶକ୍ତିକରଣ ଉପରେ ରାଜ୍ୟ ସମ୍ପାଦକ ବସନ୍ତ ନାୟକ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ପ୍ରମୋଦ ସାମଲ ଓ ଜାହାଙ୍ଗୀର ଅଲ୍ଲୀ କର୍ମଶାଳା ପରିଚାଳନା କରିଥିବା ବେଳେ କର୍ମଶାଳାରେ ଯୋଗ ଦେଇଥିବା ପ୍ରାୟ ୧୧୦ ଜଣ ନେତୃବୃନ୍ଦଙ୍କୁ ୪ ଭାଗରେ ବିଭକ୍ତ କରି ଉକ୍ତ ବିଷୟ ଉପରେ  ବ୍ୟାପକ ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ଓ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା । ଉକ୍ତ ୪ଟି ବିଭାଗରେ ରାଜକିଶୋର ପ୍ରଧାନ, ତାଜମୁନ ନେହାର, ସୁରେନ୍ଦ୍ର ମହାନ୍ତି, ଦିବାକର ମହାରଣା, ବି.ପି. ମହାପାତ୍ର, ଅଜୟ ଶର୍ମା, ଯଯାତୀ କେଶରୀ ସାହୁ, କୃଷ୍ଣ ବାରିକ ପ୍ରମୁଖ କର୍ମଶାଳାରେ ନେତୃତ୍ୱ ନେଇଥିବା ବେଳେ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related Post