Sat. Nov 23rd, 2024

ସାହିତ୍ୟ, ସଂସ୍କୃତି ଓ ସେବା ପାଇଁ ଉତ୍ସର୍ଗୀକୃତ ଚନ୍ଦ୍ରପ୍ରଭା

By amfnews Jun 22, 2019 #Featured
423 Views

ମୋନାଲିସା ପରିଡ଼ା
(ଜୁନ୍ ୨୨ ତାରିଖ ୨୦୧୯ ଦିନ ୭୫ତମ ବର୍ଷ ପୁର୍ତ୍ତୀ ଉପଲକ୍ଷେ )

ପେଷାରେ ଅଧ୍ୟାପିକା ହୋଇଥିଲେ ମଧ୍ୟ ତାଙ୍କର ସବୁଠାରୁ ବଡ଼ ନିଶା ଥିଲା ସେବା । ରାଜଧାନି ସ୍ଥିତ କମଳା ନେହୁର ମହିଳା ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ବିଭାଗରେ ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିବା ଚନ୍ଦ୍ରପ୍ରଭା ପୁରୀ ଗାର୍ଲସ୍ ସ୍କୁଲର ଛାତ୍ରୀଥିବା ସମୟରୁ ସାହିତ୍ୟ ପ୍ରତି ତାଙ୍କର ଯଥେଷ୍ଟ ଆଗ୍ରହ ଥିଲା ଓ ସେ ନବମ ଶ୍ରେଣୀର ଛାତ୍ରୀ ଥିବା ବେଳୁ ତାଙ୍କ ଦ୍ୱାରା ରଚିତ କବିତା ବିଭିନ୍ନ ସମ୍ବାଦ ପତ୍ର ଓ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା । ପୁରୀ ସହରର ଜଣାଶୁଣା ନାରୀନେତ୍ରୀ ଓ ସମାଜ ସେବୀ ଶ୍ରୀମତି ସରସ୍ୱତୀ ଦେବୀଙ୍କର ମଧ୍ୟମା କନ୍ୟା ଚନ୍ଦ୍ରପ୍ରଭା ମାଁ’ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳୀତ ନିଷ୍ପେଶିତ ଓ ନିର୍ଯାତିତା ମହିଳାମାନଙ୍କ ସେବା କରିବା ପାଇଁ ଆଗଭର ହୋଇଥିଲେ । ମା’ଙ୍କ ସହ ସବୁଦିନ ପୁରୀ ଡ଼ାକ୍ତର ଖାନାକୁ ଯାଇ ସେଠାରେ ଥିବା ରୋଗାକ୍ରାନ୍ତ, ପ୍ରସୂତୀ ଓ ଶିଶୂମାନଙ୍କୁ ସେବା କରୁଥିଲେ । ସ୍କୁଲ ଏବଂ କଲେଜ ଶିକ୍ଷା ସମାପ୍ତି ପରେ ଚାକିରୀ ଓ ବୈବାହିକ ଜୀବନରେ ମଧ୍ୟ ସେ ନିଜର କାର୍ଯ୍ୟକଳାପ ଚାଲୁ ରଖିଥିଲେ ଏବଂ ଏଥିନିମନ୍ତେ ଶଶୁର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ସମାଜସେବୀ ରଘୁନାଥ ପଟ୍ଟନାୟକ ଶାଶୁ ଶ୍ରୀମତି ହାରବାଳା ପଟ୍ଟନାୟକ ଏବଂ ସ୍ୱାମୀ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସବୁପ୍ରକାର ସାହାର୍ଯ୍ୟ ଓ ସହଯୋଗ କରିବା ଫଳରେ ସେ ନିଜର ଲକ୍ଷ୍ୟ ପଥରେ ଆଗେଇବା ଲାଗି ସମର୍ଥ ହୋଇଥିଲେ ।

ନିଜର ବ୍ୟାପକ ଲୋକ ସମ୍ପର୍କ ଓ ସେବା କାର୍ଯ୍ୟ ଯୋଗୁଁ ଚନ୍ଦ୍ରପ୍ରଭା ଓଡ଼ିଶା ରେଡ଼୍ କ୍ରସ୍ ସୋସାଇଟି , ଉତ୍କଳ ମହିଳା ସମୀତି ଓ ଅନ୍ୟାନ୍ୟ ବହୁ ଅନୁଷ୍ଠାନ ସହ ଉତଃପ୍ରାତଃ ଭାବେ ଜଡ଼ିତ ହୋଇଥିଲେ । କଲେଜ୍ରେ ଶିକ୍ଷାଦାନ ସହ ସେ ଅନୁଷ୍ଠାନର ସର୍ବାଙ୍ଗିନ ଉନ୍ନତି ପାଇଁ ସଫଳତାର ସହ ଉଦ୍ୟମ କରି ଛାତ୍ରୀ ଓ ଅଭିଭାବକ ମହଲରେ ଯଥେଷ୍ଟ ପ୍ରସଂଶିତ ହୋଇପାରିଥିଲେ । କମଳା ନେହୁୂର ମହିଳା ମହାବିଦ୍ୟାଳୟର ପରିସର ସଂପ୍ରସାରଣ ସହିତ ପରିବେଶର ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ ତାଙ୍କ କାର୍ଯ୍ୟ କଳାପର ସ୍ୱାକ୍ଷର ବହନ କରିଛି ।
ଛାତ୍ରୀମାନଙ୍କୁ ବିଭିନ୍ନ ଗଠନମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସେ ସର୍ବଦା ଉତ୍ସାହିତ କରୁଥିଲେ । ମହିଳାମାନଙ୍କ ସାମଜିକ ସୁରକ୍ଷା ନିମନ୍ତେ ସେ ସର୍ବଦା ଉଦ୍ୟମ ଅବ୍ୟାହତ ରଖିଥିବାରୁ ବିଶିଷ୍ଟ ନାରୀନେତ୍ରୀ ଭାରତରତ୍ନ ଶ୍ରୀମତି ଅରୁଣା ଆସଫ୍ଅଲ୍ଲୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତନିଖିଳ ଭାରତ ମହିଳା ସଂଗଠନ (ନ୍ୟାସନାଲ୍ ଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଓମେନ)ର ଜାତୀୟ କାର୍ଯ୍ରକାରିଣୀ କମିଟିର ସଦସ୍ୟା ଭାବେ ମନୋନିତା ହୋଇଥିଲେ ।
ପାରମ୍ପାରିକ ଲୋକନାଟ୍ୟ ଓ ସାଂସ୍କୃତିକ କାର୍ଯ୍ରକଳାପ ବଞ୍ଚାଇ ରଖିବା ଲାଗି ତାଙ୍କର ଉଦ୍ୟମ ଅବିସ୍ମରଣୀୟ ଥିଲା । ସେ ଥିଲେ “ଇଣ୍ଡିଆନ୍ ପିପୁଲସ୍ ଥିଏଟର ଆସୋସିଏସନ୍” ବା ଇପ୍ଟା ଓ ରାଜ୍ୟ ସାଖା ସଂପାଦିକା ତଥା ସର୍ବଭାରତୀୟ ସ୍ତରର ଅନ୍ୟତମ ଉପସଭାପତି । ତାଙ୍କରି ଉଦ୍ୟମରେ ଏବଂ ଅନ୍ୟମାନଙ୍କ ସହଯୋଗରେ ଇପ୍ଟାର ଜାତୀୟ ସମ୍ମିଳନୀ ସଫଳତାର ସହ ଓଡ଼ିଶାରେ ଅନୁଷ୍ଠିତ ହୋଇପାରିଥିଲା ।
ଅସହାୟମାନଙ୍କୁ ସେବା କରିବା ଥିଲା ଚନ୍ଦ୍ରପ୍ରଭାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ , ତେଣୁ ବାତ୍ୟା, ବନ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯୟ ସମୟରେ ସେ ଦୁର୍ଗମ ଅଞ୍ଚଳକୁ ଯାଇ ପିଡ଼ିତମାନଙ୍କୁ ସେବା ଓ ସହଯୋଗ ଯୋଗାଉଥିଲେ । ତାଙ୍କର ଅଦମନୀୟ ସେବା ମନୋବୃତି ଓ କାର୍ଯ୍ରକଳାପ ଯୋଗୁଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଜାତୀୟ ସେବା ସଂସ୍ଥାରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧକାଳ କାର୍ଯ୍ୟ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ ।

 

ଅନାଥ ଓ ନିର୍ଯାତିତ ଶିଶୁମାନଙ୍କ ପାଇଁ ତାଙ୍କ ହୃଦୟରେ ଥିଲା ଅମାପ ଦରଦ ଓ ସମବେଦନା । ତେଣୁ ୨୦୧୧ମସିହା ଅକ୍ଟୋବର ମାସରେ ଝାରପଡ଼ା ଅଞ୍ଚଳରେ ଜଣେ ପାନ ଦୋକାନି ପାଖରେ ସାବତ ମା’ ଦ୍ୱାରା ବିକ୍ରି ହୋଇଥିବା ଗୋଟିଏ ୭ବର୍ଷର ଝିଅ ମୁହଁରେ ପାନ ଦୋକାନିଙ୍କ ସ୍ତ୍ରୀ ଏସିଡ଼୍ ଢ଼ାଳିଦେଇଥିବା ଖବର ଯେତେବେଳେ ସେ ପାଇଥିଲେ ସଂଗେସଂଗେ ସେ ଘଟଣା ସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିଥିଲେ ଏବଂ ବାଳ ନିର୍ଯାତନା ସଂପର୍କରେ ପୋଲିସରେ ଖବର ଦେଇ ଅପରାଧିମାନଙ୍କୁ କଠୋର ଦଣ୍ଡ ଦେବା ଲାଗି ତାଙ୍କ ସହଯୋଗୀମାନେ ପରାମର୍ଶ ଓ ଚାପ ଦେଇଥିଲେ ମଧ୍ୟ ସେ ପ୍ରଥମେ ଝିଅଟିକୁ ବଞ୍ଚାଇବା ଲାଗି ତାକୁ ସ୍ଥାନୀୟ ସମ୍ ହସ୍ପିଟାଲକୁ ନେଇ ପୋଡ଼ାଜଳା ବିଭାଗର ଡାକ୍ତର ଜୟନ୍ତ ଦାସ୍ଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରିବା ଲାଗି ବ୍ୟବସ୍ଥା କରିଥିଲେ ।

ଡ଼ାକ୍ତର ଦାସ୍ଙ୍କ ଅକ୍ଳାନ୍ତ କରିଶ୍ରମ ଏବଂ ଚନ୍ଦ୍ରପ୍ରଭାଙ୍କ ସହଯୋଗ ଫଳରେ ସଂଙ୍ଗିତା ଅନେକ ପରିମାଣରେ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ତାକୁ ଥଇଥାନ କରିବା ଏକ ଗୁରୁତର ସମସ୍ୟା ରୂପେ ଦେଖାଦେଇଥିଲା । କୌଣସି ଅନାଥ ଆଶ୍ରମ ସଂଙ୍ଗିତାକୁ ଆଶ୍ରୟ ଦେବା ଲାଗି ମନା କରିଦେଇଥିଲେ ।

ପରେ ଚନ୍ଦ୍ରପ୍ରଭାଙ୍କ ଉଦ୍ୟମ ଫଳରେ ଭୂବନେଶ୍ୱର ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ସଙ୍ଗିତାକୁ ରଖାଇବାର ବ୍ୟବସ୍ଥା କରି ସେ ଆସ୍ୱସ୍ଥ ହୋଇଥିଲେ ମଧ୍ୟ ନିଜେ ଶେଷ ନିଃସ୍ୱାଶ ତ୍ୟାଗ କରିବାର ଅଳ୍ପଦିନ ପର୍ଯ୍ୟନ୍ତ ସେ ଆଶ୍ରମରେ ସଙ୍ଗିତାକୁ ଦେଖାକରି ତାର ଭଲମନ୍ଦ ବୁଝୁଥିଲେ ।


ଚନ୍ଦ୍ରପ୍ରଭା ଥିଲେ ଶିକ୍ଷା ସଂସ୍କୃତି ଓ ସେବା ପାଇଁ ଉତ୍ସର୍ଗୀକୃତ ତେଣୁ ତାଙ୍କରି ସ୍ମୃତିରେ ଆସୋସିଏଟେଡ଼୍ ମିଡ଼ିଆ ଫାଉଣ୍ଡେସନ୍ ତରଫରୁ ସେବା , ସାହିତ୍ୟ ଓ ସଂସ୍କୃତି ନିମନ୍ତେ ଉତ୍ସର୍ଗୀକୃତ ତିନିଜଣ ପ୍ର୍ରତିଭାବାନ୍ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାର ବ୍ôୟବସ୍ତା କରାଯାଇଛି ।

By amfnews

Related Post