Fri. Dec 27th, 2024

ସାହିତ୍ୟ ସଂଗଠକ ବିଦ୍ୟାଧର ବାରିକଙ୍କ ଦେହାବସାନରେ ଓଡ଼ିଆ ଭାଷା ବିକାଶ ମଂଚର ଶୋକ

By amfnews Oct 9, 2018 #Featured
260 Views

ଚିର ଆୟୁଷ୍ମାନରାଉରକେଲା, ୮ା୧୦  : କବି, ସ୍ତମ୍ଭକାର, ପ୍ରାବନ୍ଧିକ, ବକ୍ତା, ସଙ୍ଗଠକ, ଭାଷା-ସାହିତ୍ୟ ଓ ସଂସ୍କୃତିର ଆଜୀବନ ସଂଗ୍ରାମୀ ବର୍ଷୀୟାନ ସମାଜବାଦୀ ନେତା, ଖଟିଖିଆ, ଦିନ-ମଜଦୁର-ଶ୍ରମିକ ଶ୍ରେଣୀର ସାଲିସ୍ ବିହୀନ ପ୍ରତୀକ ବିଦ୍ୟାଧର ବାରିକଙ୍କ ତୀରୋଧାନରେ ଓଡ଼ିଆ ଭାଷା ବିକାଶ ମଂଚ ଏହାର ଆନୁଷ୍ଠାନିକ ଶୋକ ବାର୍ତାରେ ରାଉରକେଲା କାହିଁକି ସମଗ୍ର ଓଡ଼ିଶା ଜଣେ ଶାନ୍ତି ଓ କ୍ରାନ୍ତିର ମହାନ କର୍ମଯୋଗୀଙ୍କୁ ହରାଇଲା ବୋଲି ସ୍ମୃତିଚାରଣ କରିଛି । ସମସ୍ତ ପ୍ରକାର ପ୍ରତିକୂଳ ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଚିର ଅବିଚଳିତ ରହି ବିପକ୍ଷର ବ୍ୟଙ୍ଗ ବିଦ୍ରୂପକୁ ନୀରବରେ ହଜମ କରି ତାଙ୍କ ଅସାଧାରଣ ସ୍ତିତପ୍ରଜ୍ଞତାର ପରିଚୟ ସମସ୍ତଙ୍କୁ ବିସ୍ମିତ ଓ ହତବାକ୍ କରିଦିଏ ।

ଗୋଟିଏ ପଟରେ ଶାନ୍ତି ଓ ଅନ୍ୟପଟରେ ସାଲିସ୍ ବିହୀନ ସଂଗ୍ରାମ ତାଙ୍କ ଅନନ୍ୟ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିଶେଷତ୍ୱ । ଇସ୍ପାତ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଦସ୍ୟ ଓ ପରବର୍ତୀ ସମୟରେ ସାଧାରଣ ସଂପାଦକ ଠାରୁ ସଭାପତି ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି ନେତୃତ୍ୱ ସହିତ ଜଣେ କର୍ମୀ ରୂପେ ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି କିଛି ପଢ଼ିବା, କିଛି କହିବା ଓ କିଛି ଲେଖିବାର ଆଭିମୁଖ୍ୟକୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବାରେ ତାଙ୍କର ଉଦ୍ଦେଶ୍ୟ ଫଳବତୀ ହୋଇଅଛି ।

ଓଡ଼ିଆ ଭାଷା ଆନ୍ଦୋଳନର ଜଣେ ପ୍ରମୁଖ ସଂଗ୍ରାମୀ ରୂପେ ତାଙ୍କର ବାର୍ତ୍ତା, ବକ୍ତବ୍ୟ, ପ୍ରବନ୍ଧ, ପତ୍ର ଓ ସମ୍ବାଦ ତାଙ୍କୁ ଏ ଓଡ଼ିଆ ମାଟିର ଜଣେ ଯଥାର୍ଥ ସୈନିକ ରୂପେ ପ୍ରତିପାଦିତ କରେ । ଜୀବନର ଶେଷ ମୁହୂର୍ତ ପର୍ଯ୍ୟନ୍ତ ତାଙ୍କ କଲମର ଝର ଶୁଖି ନଥିଲା ଓ ସାଧନା ଥିଲା ଅବ୍ୟାହତ । ଓଡ଼ିଶାର ବିଭିନ୍ନ ଶ୍ରମିକ ସଂଗଠନର ପଦପଦବୀରେ ରହି ଜଣେ ଯଥାର୍ଥ ମାର୍ଗଦର୍ଶକ ରୂପେ ଶ୍ରମଜୀବୀର ଦାବୀକୁ ଉପସ୍ଥାପନ କରି ଶ୍ରମିକ ମାନଙ୍କ ସମସ୍ୟାର ସମାଧାନର ପନ୍ଥା ନିର୍ଣ୍ଣୟ କରିବାରେ ତାଙ୍କର ସାଫଲ୍ୟ ତାଙ୍କୁ ପ୍ରଦାନ କରିଛି ନେତୃତ୍ୱର ଗୌରବ ।

ଓଡ଼ିଶାର ବହୁ ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କ ପ୍ରତିଭା ଓ କର୍ମ ସାଧନାରେ ଆକର୍ଷିତ ହୋଇ ତାଙ୍କୁ ଜଣେ ଦେଶସେବୀ ବନ୍ଧୁ ରୂପେ ଆଜୀବନ ସ୍ୱୀକାର କରି ନେଇଛନ୍ତି । ଏହି ଅସାଧାରଣ ପ୍ରତିଭା ସଂପନ୍ନ କର୍ମଯୋଗୀଙ୍କ ଦେହାବସାନରେ ସ୍ତବ୍ଧ ଓ ବ୍ୟଥିତ ଓଡ଼ିଆ ଭାଷା ବିକାଶ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମାହାପାତ୍ର ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସମେତ ଏହାର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଶ୍ରୀ କେଦାର ପ୍ରଧାନ, ବଳରାମ ରାଉଳ, ଚନ୍ଦ୍ର ଶେଖର ପାଇକରାୟ, ରମେଶଚନ୍ଦ୍ର ମାଝୀ ସମବେଦନା ଜଣାଇଛନ୍ତି ।

By amfnews

Related Post