Sat. Mar 7th, 2026

ସାରା ଦେଶରେ ଏବେ ଏନଆରସି ଲାଗୁ ହେବ ନାହିଁ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

138 Views

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ଲାଗୁ ହେବ କି ନାହିଁ? ଏହି ପ୍ରଶ୍ନର ଉତ୍ତର ମଙ୍ଗଳବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲୋକସଭାରେ ଲିଖିତ ଭାବରେ ଉତ୍ତର ରଖିଛି। ଏନଆରସିକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରାୟା ପ୍ରକାଶ ପାଇଛି। ବିରୋଧୀ ଏହାକୁ ପ୍ରସଙ୍ଗ କରି ମୋଦି ସରକାରକୁ ଘେରିଛନ୍ତି।

ଲୋକସଭାରେ ସାଂସଦ ଚନ୍ଦନ ସିଂହ, ନାଗେଶ୍ୱର ରାଓ ଗୃହ ମନ୍ତ୍ରଣାଳୟକୁ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ଏନଆରସି ଲାଗୁ କରିବା ପାଇଁ କେନ୍ଦ୍ର ପ୍ରସ୍ତୁତ ହେଲାଣି କି? ଏ ବାବଦରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଆଲୋଚନା କଲେଣି କି? ଏଭଳି ୫ଟି ପ୍ରଶ୍ନ ପଚରାଯାଇଥିଲା।

ଏହି ସବୁ ପ୍ରଶ୍ନର ଜବାବ ଦେବାକୁ ଯାଇ କେନ୍ଦ୍ର ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାକୁ ଲିଖିତ ଭାବରେ କହିଥିଲେ, ‘ଏଯାବତ ଭାରତ ସରକାର ସାରା ଦେଶରେ ଏନଆରସି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି’। ସଂସଦରେ ଏହି ପ୍ରଶ୍ନର ଉତ୍ତର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେବାର ଥିଲା। ହେଲେ ବିରୋଧୀ ହଙ୍ଗାମା କରିବା ପରେ ଶାହ ଏହାର ଜବାବ ଦେଇନଥିଲେ। ବାଚସ୍ପତି ଓମ୍ ବିର୍ଲା ସଦନର ସ୍ଥିତିକୁ ଦେଖି କାର୍ଯ୍ୟକାଳ କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ। ଏହାପରେ ଗୃହ ମନ୍ତ୍ରଣାଳୟ ତରଫରୁ ନିତ୍ୟାନନ୍ଦ ରାୟ ଲିଖିତ ଉତ୍ତର ଦେଇଥିଲେ।

ସୂଚନାଯୋଗ୍ୟ, ଡିସେମ୍ୱରେ ସଂସଦରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଗୃହୀତ ହୋଇଥିଲା। ଏହାପରେ ସାରା ଦେଶରେ ସିଏଏ ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ବିରୋଧୀ ହଙ୍ଗାମା କରୁଛନ୍ତି। ସରକାର ବିରୋଧରେ ଅନେକ ସ୍ଥାନରେ ଆନ୍ଦୋଳନ ସାଙ୍ଗକୁ ରାଲି ମଧ୍ୟ ହେଉଛି। ଏମିତିକି ଏନଆରସିକୁ ନେଇ ଅନେକ ରାଜ୍ୟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପଞ୍ଜାବ, ରାଜସ୍ଥାନ ସମେତ ବିରୋଧୀଙ୍କ ଦ୍ୱାରା ଶାସିତ ରାଜ୍ୟ ଏନଆରସିକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି କହି ସାରିଛନ୍ତି।

By amfnews

Related Post