Fri. Mar 6th, 2026

ସାତକୋଶିଆରେ ବାଘୁଣୀର ମଣିଷ ମାରିବା ଘଟଣା: ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ, ଯାତାୟତ ଠପ୍‌

290 Views

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’ର ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଛନ୍ତି। ଉତ୍ତେଜିତ ଲୋକେ ମୃତଦେହ ରଖି ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ମୁଣ୍ଡାସାହି ଦେଇ ଯାଇଥିବା ଜାତୀୟ ରାଜପଥ ୫୫କୁ ଅବରୋଧ କରିଛନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି।

ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ଆଜି ସକାଳେ ପୁଣି ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଛି। ବାଘୁଣୀ ଉକ୍ତ ବ୍ୟକ୍ତିଙ୍କର କାନ୍ଧ ଏବଂ ପିଚାକୁ କାମୁଡ଼ି ଖାଇଛି ବୋଲି ମଧ୍ୟ ଲୋକେ କହୁଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ଦେଖା ଦେଇଛି । ଘଟଣାସ୍ଥଳକୁ ଯାଉଥିବା ପୁଲିସ ଗାଡିକୁ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ମୃତଦେହ ପାଖକୁ ପୁଲିସକୁ ଯିବାକୁ ଦେଉନାହାଁନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଥିଲେ । ଉତ୍ୟକ୍ତ ଲୋକେ ଏସିଏଫଙ୍କୁ ଅଟକ ରଖିଥିଲେ । ତେବେ ବାଘୁଣୀ ସେହି ସ୍ଥାନ ଛାଡି ଯାଉ ନଥିବା ଜଣାପଡିଛି । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସୁନ୍ଦରୀ ଆକ୍ରମଣ କରିଛି ଏବଂ ଆହତ ସାମ୍ବାଦିକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ହେଉଛନ୍ତି ଟାଇଁଶି ଗାଁ’ର ଶ୍ରୀନାଥ ସାହୁ। ୬୦ ବର୍ଷ ବୟସ୍କ ଶ୍ରୀନାଥ ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ପାଖାପାଖି ନିଜ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲିଆ ଜମିରେ ନିଜ ପୁଅ ସହ ହଳ କରୁଥିଲେ। ପୁଅକୁ ହଳ ଧରାଇ ସେ କିଛି ଦୂରରେ ଥିବା ଏକ ଗଛମୂଳକୁ ଯାଇଥିବା ବେଳେ ତାଙ୍କୁ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣ କରି ମାରି ଦେଇଥିବା କଥା ସ୍ଥାନୀୟ ଲୋକେ କହୁଛନ୍ତି।

ଅତୀତରେ ହାତୀବାରି ଗାଁ’ର କୈଳାସୀ ସାଏ ନାମ୍ନା ଜଣେ ମହିଳା ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ଆକ୍ରମଣରେ ନିହତ ହୋଇଥିବା କଥା ଅଭିଯୋଗ ହୋଇଥିଲାଯ। ଏ ଘଟଣା ଯୋଗୁଁ ଟିକରପଡ଼ା ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ବନବିଭାଗର ପ୍ରାୟ ୫ କୋଟି ଟଙ୍କା ନଷ୍ଟ ହୋଇଥିଲା।

By amfnews

Related Post